ବିପଦରେ ମତ୍ସ୍ୟଜୀବୀ, ୬ ବର୍ଷ ହେଲା ଅଧାରେ ପଡିଛି ଯୋଜନା ଟ୍ରଲରରେ ଲାଗିପାରୁନି ସତର୍କ ସୂଚନା ଯନ୍ତ୍ର

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗଭୀର ସମୁଦ୍ରରେ ହଜିଯାଉଛନ୍ତି, ବୁଡିଯାଉଛନ୍ତି ମତ୍ସ୍ୟଜୀବୀ। ସେମାନଙ୍କୁ ସୁରକ୍ଷା ଦେବା ଓ ସତର୍କ କରିବା ପାଇଁ ତିଆରି ହେଲା ଯୋଜନା। ଏମିତି ଯନ୍ତ୍ର ଦିଆଯିବ, ଯାହାର ବଟନ୍ ଚିପିଲେ ସୂଚନା ପହଞ୍ଚିଯିବ ଉଦ୍ଧାରକାରୀଙ୍କ ପାଖରେ। ଏମିତି ହେଲେ ଉଦ୍ଧାର ହୋଇପାରିବ ଟ୍ରଲର ଓ ସେଥିରେ ଥିବା ବହୁ ମୂଲ୍ୟ ଜୀବନ। ମାତ୍ର ମତ୍ସ୍ୟଜୀବୀଙ୍କ ଏହି ସୁରକ୍ଷା ଯୋଜନା କେବଳ କାଗଜପତ୍ରରେ। ୨୦୧୦ ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଆଜିଯାଏ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁନି। ତଥ୍ୟ ଅନୁସାରେ ୧୯୭୬ ରେ ପ୍ରତିଷ୍ଠା ହୋଇଥିଲା ଉପକୂଳ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ। ୨୦୦୯ ରେ ହେଲା ସାମୁଦ୍ରିକ ଥାନା। ଶେଷରେ ୨୦୧୦ ରେ ଯୋଜନା ହେଲା ସମୁଦ୍ରରେ ମାଛ ମାରୁଥିବା ଧୀବରମାନଙ୍କ ସୁରକ୍ଷା ପାଇଁ ଆଗରୁ ପ୍ରତିଷ୍ଠା ହୋଇଥିବା ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୁଲିସ୍ ତୁରନ୍ତ ସାହାଯ୍ୟ ଦେବାର ବନ୍ଦୋବସ୍ତ। ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ପଂଜିକୃତ ଟ୍ରଲର ଗୁଡିକରେ ଲାଗିବ ଟ୍ରାଞ୍ଜିଷ୍ଟର। କାରଣ କୂଳରୁ ୨୨ କିଲୋମିଟର ସମୁଦ୍ର ମଧ୍ୟରେ ସାମୁଦି୍ରକ ଥାନା ନିଜ ସୁରକ୍ଷା ବଳୟ ତିଆରି କରିଥିବା ବେଳେ କୂଳରୁ ୧୦୦ କିଲୋମିଟର ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା କେବଳ ତଟରକ୍ଷୀ ବାହିନୀର। ଏଥିପାଇଁ ଟ୍ରଲର ଗୁଡିକରେ ଟ୍ରାଞ୍ଜିଷ୍ଟର। ଏଥିପାଇଁ ଟ୍ରଲର ଗୁଡିକରେ ଟ୍ରାଞ୍ଜିଷ୍ଟର ଲାଗିବାର ବନ୍ଦୋବସ୍ତ ହୋଇଛି। ଇସ୍ରୋ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରାଞ୍ଜିଷ୍ଟର ବ୍ୟବହାର ପାଇଁ ଟ୍ରଲରରେ କାମ କରୁଥିବା ଚାଳକମାନଙ୍କୁ ତାଲିମ୍ ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ଟ୍ରାଞ୍ଜିଷ୍ଟରରେ ୪ଟି ବଟମ୍ ରହିଛି। ସବୁଗୁଡିକ ନାଲି ରଂଗର। ବଡ ବଡ ବଟମରେ ଛବି ବି ରହିଛି, କେଉଁଟା କେଉଁ ପରିସ୍ଥିତିରେ ବ୍ୟବହାର ହେବ। ନିଆଁ ଲାଗିଲେ, ଟ୍ରଲରର ଯାନ୍ତ୍ରିକ ତୃଟି, ବାହାର ଟ୍ରଲର ଆକ୍ରମଣ ଓ ଦେଶ ଉପରେ ଆକ୍ରମଣ ଯୋଜନା ଦେଖିଲେ ସୂଚନା ଦେବା ପାଇଁ ବଟମରେ ବ୍ୟବସ୍ଥା ରହିଛି। ବଟମ୍ ଟିପିଲେ ସାଟେଲାଇଟ୍ରେ ହାଇଦ୍ରାବାଦ୍ ଓ ଚେନ୍ନାଇକୁ ୫ ସେକେଣ୍ଡ ମଧ୍ୟରେ ଖବର ମିଳିବ। ତଟରକ୍ଷୀ ବାହିନୀ ଅଧିକାରୀମାନେ ତୁରନ୍ତ ସାଟେଲାଇଟ୍ ଜରିଆରେ ଅକ୍ଷାଂଶ ଓ ଦ୍ରାଘିମାରେ ଏହି କାଣ୍ଡ କେଉଁ ଜାଗାରେ ହେଉଛି, ତାହା ନିରୂପଣ କରି ସଂପୃକ୍ତ ଅଂଚଳରେ ପଇଁତରା ମାରୁଥିବା ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାକୁ ଖବର ଦେବେ। ଫଳରେ ଅମୂଲ୍ୟ ଜୀବନ ରକ୍ଷା ହେବ। ଓଡ଼ିଶା ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୮୦ କିଲୋମିଟର ବେଳାଭୂମି ସନ୍ନିକଟ ମତ୍ସ୍ୟଜୀବୀ ପଂଜିକୃତ ଟ୍ରଲର ମଧ୍ୟରୁ ୨ ହଜାର ଟ୍ରଲରରେ ଟ୍ରାଞ୍ଜିଷ୍ଟର ଲଗାଇବା ପାଇଁ ଯୋଜନା କରିଥିଲେ। ପ୍ରତି ଟ୍ରାଞ୍ଜିଷ୍ଟରର ମୂଲ୍ୟ ୧୧ ହଜାର ଟଙ୍କା। ଭଦ୍ରକ ଜିଲାର ଧାମରା, ଚନ୍ଦିନୀପାଳ, ଚୂଡାମଣୀ, କଷିଆ ଆଦି ସ୍ଥାନରେ ମାଛ ମାରୁଥିବା ୨ ଶହ ଟ୍ରଲର ପଂଜିକୃତ ହୋଇଛନ୍ତି। ଜିଲା ମତ୍ସ୍ୟ ବିଭାଗକୁ ଏଥିପାଇଁ ଅନୁଦାନ ମଧ୍ୟ ଆସିଛି। ହେଲେ ବିଡମ୍ବନା ଯେ ୨୦୧୦ ରୁ ୬ବର୍ଷ ମଧ୍ୟରେ ଭଦ୍ରକ ଜିଲାରେ ମାତ୍ର ୩୦୦ ଟି ଟ୍ରାଞ୍ଜିଷ୍ଟର ଟ୍ରଲରରେ ଲାଗିଛି। ମତ୍ସ୍ୟ ବିଭାଗ କହୁଛି ଆହୁରି ୧୩୦ ଟି ଟ୍ରାଞ୍ଜିଷ୍ଟର ପାଇଁ ବରାଦ ହୋଇଛି। ଏବେ ଯଦି ଟ୍ରାଞ୍ଜିଷ୍ଟର ଲଗାଯିବ, ତେବେ ବର୍ଷା ଦିନେ ଝଡବାତ୍ୟାରେ ବିପଦର ସମ୍ମୁଖୀନ ହେଉଥିବା ଏହି ଟ୍ରଲର ଗୁଡିକ ସୁରକ୍ଷା ପାଇପାରନ୍ତେ। ହେଲେ ବିଭାଗ ସେ ଦିଗରେ ଗୁରୁତ୍ୱ ଦେଉନି। ମୋଟ ଉପରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *