ବିନା ଫିଟନେସ୍ ରେ ଚାଲିଛି ସ୍କୁଲ୍ ବସ୍, ଡ୍ରାଇଭରଙ୍କ ପାଖରେ ଲାଇସେନ୍ସ ନାହିଁ, କାର୍ଯ୍ୟାନୁଷ୍ଠାନ ଶୂନ, ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଅନେକ ଘରୋଇ ସ୍କୁଲ ବସ୍ର ଫିଟ୍ନେସ୍ ନାହିଁ। ଅନେକ ଡ୍ରାଇଭରଙ୍କ ପାଖରେ ଲାଇସେନ୍ସ ମଧ୍ୟ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ସ୍କୁଲ ଯାତ୍ରାକୁ ନେଇ ଏବେ ଚିନ୍ତାରେ ଅଭିଭାବକ। ଜିଲାର ବିଭିନ୍ନ ଘରୋଇ ସ୍କୁଲ, କଲେଜ, କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ବିପଦ ମୁହଁକୁ ଠେଲି ନିଜ ବ୍ୟବସାୟୀକ ସ୍ୱାର୍ଥ ଜଗୁଛନ୍ତି। ଏ ସଂପର୍କରେ ଅଭିଭାବକମାନେ ସବୁ ଜାଣୁଛନ୍ତି। କିନ୍ତୁ କୌଣସି ନା କୌଣସି କାରଣରୁ ନୀରବ ରହୁଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଅପ୍ରିୟ ନହୋଇ ସେମାନଙ୍କ ଗୁଡ୍ବୁକ୍ରେ ରହିବା ହୁଏତ ସେମାନଙ୍କ ପାଇଁ ଏକ ବାଧ୍ୟବାଧ୍ୟକତା ବୋଲି କେହି କେହି କହୁଛନ୍ତି। ଏଣେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଙ୍କ କାର୍ଯ୍ୟାଳୟ ବି ଏ ଘଟଣାରେ ନିଷ୍କି୍ରୟ। ଫଳରେ ପ୍ରତିଦିନ ଏସବୁ ବସ୍ରେ ସ୍କୁଲ ଯାଉଥିବା କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପନ୍ନ ହୋଇଚାଲିଛି। ଚଳିତବର୍ଷ ଜୁଲାଇ ମାସ ୧୯ ତାରିଖ ସଡକ ଦୁର୍ଘଟଣାରେ ରାଣୀତାଲ ହାଇସ୍କୁଲର ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆଶା କରାଯାଉଥିଲା ଏମାନେ ହେଜିବେ। ହେଲେ ସେମିତି କିଛି ଖାସ୍ ପ୍ରଭାବ ସେମାନଙ୍କ ଉପରେ ପଡିନି। ସେତିକି ବେଳେ ଯାହା ପିଲାମାନଙ୍କ ସୁରକ୍ଷିତ ସ୍କୁଲ ଯାତ୍ରାକୁ ନେଇ ଜିଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ବିଭିନ୍ନ ସ୍କୁଲକୁ ଛାତ୍ରଛାତ୍ରୀମାନଙ୍କୁ ପରିବହନ କରୁଥିବା ବସ୍, ଭ୍ୟାନ୍କୁ ଯାଞ୍ଚ କରିବାକୁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଗଲା। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ପରିବହନ କରୁଥିବା ବିଭିନ୍ନ ସ୍କୁଲର ବସ୍ / ଭ୍ୟାନ୍ର ତାଲିକା ପ୍ରସ୍ତୁତ କରାଗଲା। ଆରଟିଓ କାର୍ଯ୍ୟାଳୟର ମୋଟ ୮୨ ଟି ବସ୍ / ଭ୍ୟାନ୍ର ତାଲିକା ପ୍ରସ୍ତୁତ କରି ଜୁଲାଇ ୨୮ ଓ ଅଗଷ୍ଟ ୪ ରେ ଏଗୁଡିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା। ନିର୍ଦ୍ଦେଶ ମୁତାବକ ସ୍କୁଲ ଓ କଲେଜର ମୋଟ ୫୨ ଟି ବସ୍ ଆରଟିଓ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚରେ ଭାଗ ନେଲେ। ଏହି ଦୁଇଦିନର ଯାଞ୍ଚ ପରେ ଆରଟିଓ ୫୨ ଟି ଗାଡି ମଧ୍ୟରୁ ୩୬ ଟି ଗାଡିକୁ ପିଲାମାନଙ୍କୁ ନେବାଆଣିବା କରିବାକୁ ଅନୁମତି ଦେଲେ। ଅବଶିଷ୍ଟ ୧୬ଟି ବସ୍ରେ ଥିବା ତ୍ରୁଟିକୁ ସଜାଡି ଅନୁମତି ପତ୍ର ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତ୍ରୁଟି ନସଜାଡିବା ପର୍ଯ୍ୟନ୍ତ ସେମାନେ ପିଲାମାନଙ୍କୁ ନେବାଆଣିବା କରିପାରିବେ ନାହିଁ ବୋଲି କଡାକଡି କୁହାଯାଇଥିଲା। ହେଲେ ଆରଟିଓଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରି ଚାଲିଛନ୍ତି ବହୁ ସ୍କୁଲ କର୍ତ୍ତୃପକ୍ଷ। ଏବେ ବି ବିନା ଅନୁମତିରେ ୪୬ଟି ବସ୍ ପିଲାମାନଙ୍କୁ ନେବାଆଣିବା କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସହରର କେତେକ ନାମାଦାମୀ ସ୍କୁଲର ବସ୍। ଏ ସମସ୍ତ ସ୍କୁଲ ବସ୍ ଓ ଭ୍ୟାନ୍ର ଫିଟ୍ନେସ୍ ଦୂରର କଥା, ଏଗୁଡିକୁ ଚଳାଉଥିବା ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନସ୍ ମଧ୍ୟ ନାହିଁ। କେବେ କୌଣସି ଅଭିଭାବକ ଏ ବିଷୟରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାକୁ ଉଚି୍ ମନେକରୁନାହାଁନ୍ତି। ଅପରପକ୍ଷରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ସେହିପରି କେତେକ ପ୍ରତିଷ୍ଠିତ ବିଦ୍ୟାଳୟର ନିଜସ୍ୱ ସ୍କୁଲ୍ ବସ୍ କିମ୍ବା ଭ୍ୟାନ୍ ନାହିଁ। ଅଭିଭାବକମାନେ ନିଜ ପ୍ରଚେଷ୍ଟାରେ ପିଲାମାନଙ୍କୁ ସ୍କୁଲ ପଠାଉଛନ୍ତି। ଏଥିପାଇଁ ବ୍ୟବହାର ହେଉଛି ଅଟୋ, ଟାଟା ଏସିଇ, ପୁରୁଣାକାଳିଆ ଫିଟ୍ନେସ୍ ନଥିବା ବସ୍ ଓ ଭ୍ୟାନ୍ ଓ ହାତ ଟଣା ରିକ୍ସା। ଏଗୁଡିକ ଆରଟିଓଙ୍କ ତାଲିକାକୁ ଆସି ନାହାଁନ୍ତି। ଅପରପକ୍ଷରେ ଏସବୁ ଜାଣି ମଧ୍ୟ ଆରଟିଓ କର୍ତ୍ତୃପକ୍ଷ ସେ ସମସ୍ତ ସ୍କୁଲକୁ ପିଲାମାନଙ୍କୁ ନେବା ଆଣିବା କରୁଥିବା ଗାଡି ସଂପର୍କରେ ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହାଁନ୍ତି। ଏହାର ସମ୍ଭାବ୍ୟ ଭୟାବହ ପରିଣତି ସଂପର୍କରେ ଉଭୟ ଅଭିଭାବକ ଓ ଆରଟିଓ କର୍ତ୍ତୃପକ୍ଷ ଜାଣି ମଧ୍ୟ ଉଦାସୀନ ରହୁଛନ୍ତି। ଏ ସଂପର୍କରେ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ପଚାରିବାରେ ନିୟମକୁ ଉଲ୍ଲଂଘନ କରୁଥିବା ସ୍କୁଲ ବସ୍ ସଂପର୍କରେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଖୁବ୍ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଏମ୍ଭିଆଇ ଗୋପାଳ କୃଷ୍ଣ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *