ବିନା ପଲ୍ଲୀସଭାରେ କାର୍ଯ୍ୟାଧିକାରୀ ଚୟନ ବେଆଇନ୍ ପ୍ରକଳ୍ପର କାର୍ଯ୍ୟ ବନ୍ଦ ଓ ପଲ୍ଲୀସଭା ଗଠନ ନେଇ ଜିଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ମହରମପୁର ଗ୍ରାମପଞ୍ଚାୟତରେ ବିନା ପଲ୍ଲୀସଭାରେ କାର୍ଯ୍ୟାଧିକାରୀ ଚୟନ ଓ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ପରେ ମଧ୍ୟ ତାହା ନିର୍ମାଣ ହେଉଥିବାରୁ ଆଜି ଉକ୍ତ ଘଟଣାର ତଦନ୍ତ କରି ପୁନର୍ବାର ଏହି କାର୍ଯ୍ୟ ପାଇଁ ତିହିଡି ବିଡିଓଙ୍କୁ ପଲ୍ଲୀସଭା କରାଇବା ନେଇ ନିର୍ଦ୍ଦେଶ ଦେବା ଦାବିରେ ଆଜି ସ୍ଥାନୀୟ ନାଏବ ସରପଞ୍ଚ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ୬ ଜଣ ୱାର୍ଡ ସଭ୍ୟ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମହରମପୁର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପ୍ରଦୀପ କୁମାର ନାୟକ, ୬ନଂ ୱାର୍ଡ ସଭ୍ୟ ମହେଶ୍ୱର ନାୟକ, ୮ନଂର ପ୍ରଭାବତି ଜେନା, ୧୦ନଂ ର ଅର୍ଜୁନ ବେହେରା, ୧୨ ନଂ ର ହରପ୍ରିୟା ମହାଳିକ, ୧୩ ନଂ ର ଜପମଣି ବେହେରା, ୧୪ ନଂ ର କନକଲତା ସେଠୀ ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ମହରମପୁର ଗ୍ରାମପଞ୍ଚାୟତ ରାଜସ୍ୱ ଗ୍ରାମଟି ୧୦ ଗୋଟି ୱାର୍ଡକୁ ନେଇ ଗଠିତ। ଏହି ପଞ୍ଚାୟତର ମହରମପୁର ସ୍କୁଲ ଠାରୁ ମହାବୀର ସାହି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୩ ଲକ୍ଷ ଟଙ୍କା ମୂଲ୍ୟର କଂକ୍ରିଟ୍ ରୋଡ୍, ପଞ୍ଚାୟତ ଗୃହ ଓ ଗୋଦାମ ମରାମତି ବାବଦ ୧.୫ ଲକ୍ଷ ଟଙ୍କା ଏବଂ ଜେନାସାହି ମଙ୍ଗଳା ମନ୍ଦିର ଠାରୁ ଜେନାସାହି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ପକ୍କା ନାଳ ବାବଦ ୩ ଲକ୍ଷ ଟଙ୍କା ହିସାବେ ମୋଟ ୭.୫ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ଗୁଡିକ ପଲ୍ଲୀସଭା ନକରାଇ ଏହି ପଞ୍ଚାୟତର ଦାୟିତ୍ୱରେ ଥିବା ପୂର୍ବତନ ପି.ଇ.ଓ. କାର୍ଯ୍ୟାଧିକାରୀଙ୍କ ନାମକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକଙ୍କ ଦ୍ୱାରା କରାଉଛନ୍ତି। ଏ ସଂପର୍କରେ ତିହିଡିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମପଞ୍ଚାୟତ ଅଧିକାରୀ ଓ ମହରମପୁର ଗ୍ରାମପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ବର୍ତ୍ତମାନର ପି.ଇ.ଓଙ୍କୁ ବହୁବାର ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ। ଏ ସଂପର୍କରେ ପୂର୍ବରୁ ପଞ୍ଚାୟତ ଦାୟିତ୍ୱରେ ଥିବା ପି.ଇ.ଓ. ମାଧବାନନ୍ଦ ନନ୍ଦଙ୍କୁ ପଚାରିବାରେ ସେ ଉକ୍ତ ପ୍ରକଳ୍ପଗୁଡିକର ନିର୍ମାଣ ନେଇ ଆହୂତ ପଲ୍ଲୀସଭାକୁ ଯାଇନଥିବାର କହିଥିଲେ। ଏପରିକି ସରପଞ୍ଚ ତାଙ୍କ ଘରକୁ ପଲ୍ଲୀସଭା ଖାତା ନେଇ ଦେବା ପରେ ସେ ଦସ୍ତଖତ କରିଛନ୍ତି ବୋଲି ତିହିଡିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିବାର କହିଥିଲେ। ଏଣୁ ନାଏବ ସରପଞ୍ଚ ଶ୍ରୀ ନାୟକଙ୍କ ସମେତ ୭ ଜଣ ୱାର୍ଡ ସଭ୍ୟ/ସଭ୍ୟା ଉପରୋକ୍ତ ପଲ୍ଲୀସଭା ବାବଦରେ ସଂପୂର୍ଣ୍ଣ ଅଜ୍ଞ ଥାଇ ନୋଟିସ୍ ଖାତାରେ ଦସ୍ତଖତ କରିନଥିଲେ ମଧ୍ୟ ତାହା କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ଓ ନିମ୍ନମାନର କାର୍ଯ୍ୟର ଖବର ପାଇ ସେଗୁଡିକ ବନ୍ଦ କରାଇବା ପରେ ମଧ୍ୟ ତାହା କେଉଁଭଳି ଭାବେ ଚାଲୁଅଛି ସେଥିନେଇ ଉପରୋକ୍ତ ସ୍ଥାନୀୟ ଜନପ୍ରତିନିଧିମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଏହି ଘଟଣାରେ ଆଜି ଜିଲାପାଳ ଜ୍ଞାନ ଦାସ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *