ବିଧାୟକ ପାଇବେ ଉତ୍କଳମଣି ଗୋପବନ୍ଧୁ ସମ୍ମାନ ; ଦୁଃଖି ଦରିଦ୍ରଙ୍କ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରୀତିରଞ୍ଜନ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ନିଜର ଚତୁର ରାଜନୈତିକ ଗୋଟିଚାଳନା ବଳରେ ନିଜ ରାଜନୈତିକ ପ୍ରତିଦ୍ୱନ୍ଦି ମାନଙ୍କୁ ମାତ ଦେଇ ନିଜର ତଥା ଦଳର ସଂଗଠନକୁ ବେଶ ଆଗକୁ ବଢାଇଥିବା ସୁକିନ୍ଦାର ଯୁବ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ନିଜ ନିର୍ବାଚନ ମଣ୍ଡଳୀ ସହିତ ଜିଲାର ବିଭିନ୍ନ ସ୍ଥାନର ଦୁଃଖି ଦରିଦ୍ରଙ୍କ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟାରେ ଥିବା ଜନସାଧାରଣଙ୍କ ସମସ୍ୟାକୁ ଦୂରକରିବା ସହିତ ବିଭିନ୍ନ ରୋଗରେ ପୀଡିତ ରୋଗୀ ମାନଙ୍କ ଔଷଧ ଖାଇବାକୁ ସହାୟତା ଦେବା ସହିତ ସେମାନଙ୍କୁ କିଭଳି ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯାଇପାରିବ ତା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ବିଧାୟକ। ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ ଗସ୍ତ କରିବା ସମୟରେ ଅବହେଳିତ ହୋଇ ସାଧାରଣ ରୁ ଜଟିଳ ଚିକିତ୍ସା ସେବା ପାଇବାରୁ ବଂଚିତ ହେଉଥିବା ଜନସାଧାରଣଙ୍କୁ ଭେଟିବା ସହିତ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୁଅନ୍ତି। ଆବଶ୍ୟକ ହେଲେ ତୁରନ୍ତ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଚିକିତ୍ସାକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥାଆନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସାର ଆବଶ୍ୟକତା ଦେଖାଦେଲେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କଟକ ମଧ୍ୟ ପଠାଇ ଥାଆନ୍ତି। ଏହା ସହିତ ବହୁ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ଓ ଦିଲ୍ଲୀ ଏଏମଏସକୁ ମଧ୍ୟ ପଠାଇ ଚିକିତ୍ସାର ବ୍ୟବସ୍ଥା କରାଇ ଥାଆନ୍ତି। ଯାହା ଦ୍ୱାରା ବହୁ ଗୁରୁତର ରୋଗୀ ଆରୋଗ୍ୟ ହୋଇ ଫେରିଥିଲାବେଳେ ବହୁ ରୋଗୀ ଏବେ ମଧ୍ୟ ଚିକିତ୍ସାଧିନ ଆଛନ୍ତି। ନିଜେ ଏ ବିଷୟରେ ଖବର ସଂଗ୍ରହ କରିବା ସହିତ ନିଜ ସଂଗଠନର ଯୁବକମାନଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ରୋଗୀମାନଙ୍କ ବିଷୟରେ ଖବର ସଂଗ୍ରହ କରି ତାଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ବିଧାୟକ। ଯାହା ଫଳରେ ଏହି ଖବର ତାଙ୍କ ନିକଟକୁ ଆସିବାରେ କୈାଣସି ଅସୁବିଧା ହୁଏନାହିଁ। ନିକଟରେ ବିଧାୟକଙ୍କୁ ବିଧାନସଭା ପକ୍ଷରୁ ୨୦୧୦ ମସିହାରେ ଉକୃଷ୍ଟ ସେବା ପାଇଁ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସମ୍ମାନୀତ କରାଯିବାକୁ ମନୋନୀତ ମଧ୍ୟ କରାଯାଇଛି। ଆଜି ପ୍ରାତ ସ୍ମରଣୀୟ ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକଙ୍କ ୯୦ ତମ ପବିତ୍ର ଶ୍ରାଦ୍ଧ ଦିବସରେ ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲା ବେଳେ ଉତ୍କଳମଣୀଙ୍କ ନାମରେ ପାଇବାକୁ ଥିବା ସମ୍ମାନ ମୋ ପାଇଁ ଏକ ଅମୁଲ୍ୟ ସମ୍ମାନ ବୋଲି ମତଦେଇଥିଲେ। ଏହା ସହିତ କହିଥିଲେ ଗୋପବନ୍ଧୁ ଗରିବ ନିଷ୍ପେସିତଙ୍କ ସମସ୍ୟାକୁ ଦୂର କରିବାକୁ ନିଜ ଜୀବନର ବ୍ରତ କରିଥିଲେ। ତାଙ୍କ ଆଦର୍ଶକୁ ପାଥେୟ କରି ମୁଁ ଦୁଃଖି ଦରିଦ୍ରଙ୍କ ସେବାକୁ ପ୍ରାଧାନ୍ୟ ଦେଇଛି। ଯାହା ମୋତେ ବେଶ ଆନନ୍ଦ ଦେଉଛି। ଆଜିର ପବିତ୍ର ଦିନରେ ସେଇ ମହାନ ଆତ୍ମାଙ୍କୁ ମୋର କୋଟି ପ୍ରଣାମ।

Leave a Reply

Your email address will not be published. Required fields are marked *