“ବିଧାନ ପରିଷଦ” ଗଠନ ଓଡ଼ିଶାର ବୌଦ୍ଧିକ ଜଗତକୁ ଚାଟୁକାରୀତାରେ ଭର୍ପୂର କରିବା ସହିତ “ବାକ୍ ସ୍ୱାଧୀନତା”ର ପରିସରକୁ ଆହୁରି ସଂକୁଚିତ କରିବ-ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ

ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ “ଆମୋଫୋଇ” ପକ୍ଷରୁ ପାଳିତ : ସରକାରୀ କର୍ମଚାରୀଙ୍କ “ବାକ୍ ସ୍ୱାଧୀନତା ଦିବସ” ଉତ୍ସବରେ ମତପ୍ରକାଶ

ଭୁବନେଶ୍ୱର ୦୫/୮ (ଓଡ଼ିଆ ପୁଅ): “ମୁକ୍ତଚିନ୍ତନବାଦୀ” ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ ସଂସ୍କାରବାଦୀ ସଂଗଠନ “ଆମୋଫୋଇ”ର ମିଳିତ ଆନୁକୁଲ୍ୟରେ ସଂସ୍ଥାର କୋପରନିକସ୍ ହଲ୍ରେ “ଅଗଷ୍ଟ ୨” କୁ ସରକାରୀ କର୍ମଚାରୀଙ୍କ ବାକ୍ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଇଛି। “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ସଭାପତି ପ୍ରଫେସର ଡ଼.ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଓଡ଼ିଶା ହେତୁବାଦୀ ସମାଜର ପ୍ରେସିଡ଼େଣ୍ଟ ଅଧ୍ୟାପକ ଧନେଶ୍ୱର ସାହୁ ଓ ମାଲକାନାଗିରି ଜିଲ୍ଲା ଆଦିବାସୀ ସଂଘ ନେତା ସାହିତ୍ୟକ ବିଜୟ କୁମାର ଉପାଧ୍ୟାୟ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ବାକ୍ ସ୍ୱାଧୀନତା ବିନା ଗଣତନ୍ତ୍ର ଅର୍ଥହୀନ ଓ ପ୍ରଶାସନ ଦୁର୍ନୀତିଗ୍ରସ୍ତ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବରେ “ଅଗଷ୍ଟ ୨” ର ମହତ୍ତ୍ୱ ଉପରେ ଆଲୋକପାତ କରିବାକୁ ଯାଇ “ଆମୋଫୋଇ” ପ୍ରତିଷ୍ଠାତା ତଥା “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ସାଧାରଣ ସଂପାଦକ ବି. ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର ଦର୍ଶାଇଥିଲେ ଯେ: ୪୭ ବର୍ଷ ତଳେ ୧୯୭୧ ମସିହା ଅଗଷ୍ଟ ୨ ତାରିଖରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରିଥିଲେ ଏବଂ ତତ୍ ସହିତ କୋର୍ଟ କହିଥିଲେ ଯେ ସରକାରୀ କର୍ମଚାରୀଙ୍କର ସଂବିଧାନ ପ୍ରଦତ୍ତ “ବାକ୍ ସ୍ୱାଧୀନତା” ସଂପର୍କୀୟ “ମୌଳିକ ଅଧିକାର” ରହିଛି। ସରକାରୀ କର୍ମଚାରୀଙ୍କ ପ୍ରକାଶିତ ମତାମତରୁ ସରକାର ଫାଇଦା ଉଠାଇବା ଦରକାର ଏବଂ କର୍ମଚାରୀମାନଙ୍କୁ ଏଥିପାଇଁ କୌଣସି ବାଟରେ ଦଣ୍ଡିତ କରିବା ଠିକ୍ ନୁହେଁ। ମାନ୍ୟବର ହାଇକୋର୍ଟ ବାକ୍ ସ୍ୱାଧୀନତାର ବିରୁଦ୍ଧରେ ରହିଥିବା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ୧୯୫୯ ର ରୁଲ୍ ୬(୨) ଓ ୭(୧)କୁ ସଂବିଧାନ ବିରୋଧୀ କହି ଅସିଦ୍ଧ ଘୋଷଣା କରିଥିଲେ।

ଓଡ଼ିଶା ରାଜ୍ୟରେ ରାଜୁଡ଼ା ପରମ୍ପରା ଓ ଅନ୍ଧବିଶ୍ୱାସ-ଆଧାରିତ ନାନାଦି ପର୍ବପର୍ବାଣୀ ସରକାରଙ୍କ ପ୍ରୋତ୍ସାହନରେ ପାଳିତ ହେଉଥିବାରୁ ଓଡ଼ିଶାର ସଚ୍ଚୋଟ ବୁଦ୍ଧିଜୀବୀମାନେ ସ୍ୱର୍ଗ, ନର୍କ ଆଦି ଭ୍ରାନ୍ତିପୂର୍ଣ୍ଣ ଚିନ୍ତାଧାରା ବିରୁଦ୍ଧରେ ମତାମତ ଦେଇପାରୁ ନାହାନ୍ତି। ସରକାରଙ୍କ ହାତରେ ସାହିତ୍ୟ ଏକାଡ଼େମୀ ଆୱାର୍ଡ଼, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ରାଜ୍ୟସଭା ମେମ୍ବରସିପ୍ ବଣ୍ଟନ ଆଦି ସୁଯୋଗ ରହିଥିବାରୁ ବୁଦ୍ଧିଜୀବୀମାନେ ସରକାରଙ୍କ ସପକ୍ଷରେ ନିଜନିଜ ସ୍ୱାର୍ଥ ଦୃଷ୍ଟିରୁ ରହିବା ସହିତ ଚାଟୁକାରୀତାରେ ପ୍ରତିନ୍ଦ୍ୱନ୍ଦୀତା କରୁଛନ୍ତି। ସେଥିପାଇଁ ସରକାରଙ୍କ ହାତରୁ ସମସ୍ତ ପୁରସ୍କାର ବ୍ୟବସ୍ଥା ହଟାଇ ନେବା ସହିତ ପ୍ରସ୍ଥାବିତ “ବିଧାନ ପରିଷଦ” ଗଠନକୁ ବି. ରାମଚନ୍ଦ୍ର ସିଏସ୍ଟି ଭୋଲ୍ଟେୟାର ଜୋର୍ଦାର ବିରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ସବରେ ବାକ୍ ସ୍ୱାଧୀନତାର ଅପରିହାର୍ଯ୍ୟତା ଉପରେ ନିଜ ନିଜର ମତାମତ ରଖିଥିଲେ ଓଡ଼ିଶା ବିଧାନ ସଭାର ପୂର୍ବତନ ବିଧାୟକ ଶରତ ଚନ୍ଦ୍ର ମିଶ୍ର, ଓଡ଼ିଶା ଦଳିତ ଅଧିକାର ମଂଚର ପରାମର୍ଶଦାତା ମଧୁସୂଦନ ଯାଦବ, କନ୍ଧମାଳର ହେତୁବାଦୀ ନେତା ମହମ୍ମଦ୍ ସୁକୁର୍, “ଆମୋଫୋଇ” ସହ ପ୍ରତିଷ୍ଠାତା ମାଡ଼ାମ୍ ସ୍ୱପ୍ନା ବିଜୟିନୀ, ଏଫ୍ପିଆଇ ଉପ ସଭାପତି ହରିଶ୍ ଚନ୍ଦ୍ର କର ଓ ଯୁଗ୍ମ ସଂପାଦକ ଗନ୍ଧର୍ବ ନାୟକ।

ଉତ୍ସବର ସଭାପତି ଡ଼. ବିଜୟାନନ୍ଦ କର ଦୁଃଖର ସହିତ କହିଥିଲେ ଯେ, ୪୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟ ଦେଇଥିବା ଯଥାର୍ଥ ରାୟକୁ ଆଜ ସୁଦ୍ଧା କାର୍ଯ୍ୟକାରୀ କରି ନାହାନ୍ତି। ରୁଲ୍ ୬(୨) ଓ ୭(୧) ଏବେ ବି ସରକାରୀ କର୍ମଚାରୀ ଆଚରଣବିଧି ପୁସ୍ତକରେ ପୂର୍ବପରି ରହିଛି।

Leave a Reply

Your email address will not be published. Required fields are marked *