ଓଡ଼ିଶା

ବିଧାନସଭାରେ ୬ ବର୍ଷ ଧରି ଉପସ୍ଥାପିତ ହୋଇନାହିଁ ସଂରକ୍ଷଣ ଆଇନ୍ ସଂକ୍ରାନ୍ତୀୟ ରିପୋର୍ଟ : ବଞ୍ଚିତ ଏସ୍ ଟି ପ୍ରାର୍ଥୀ ପାଇବେ ନିଯୁକ୍ତି

ଭୁବନେଶ୍ୱର, ୧୯ା୯(ଓଡ଼ିଆ ପୁଅ): ସ୍ଥାନ ସଂରକ୍ଷଣ ଆଇନ୍ ରେ ଖୋଲା ଉଲ୍ଲଙ୍ଘନ କରାଯାଇ ଜଳ ସମ୍ପଦ ବିଭାଗରେ ଅନୁସୂଚିତ ଜନଜାତି (ଏସ୍ ଟି) ବର୍ଗର ୬୧ ଜଣ ପ୍ୟାନେଲ୍ ଭୁକ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ନିଯୁକ୍ତି ଦିଆଯାଇ ନ ଥିବା କଥାକୁ ରାଜ୍ୟ ସରକାର ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଆଇନ୍ ଅନୁଯାୟୀ ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରସ୍ତାବ ସକ୍ରିୟ ବିଚାରାଧିନ ରହିଛି ବୋଲି ସ୍ୱୀକାର କରିଛନ୍ତି। କେବଳ ସେତିକି ନୁହେଁ ସଂରକ୍ଷଣ ଆଇନ୍ ର ୧୭ ଧାରା ଅନୁଯାୟୀ ପ୍ରତି ବର୍ଷ ରାଜ୍ୟ ସରକାର ବିଧାନସଭାକୁ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବା ଲାଗି ଉଲ୍ଲେଖ ଥିଲେ ମଧ୍ୟ ପ୍ରାୟ ୬ ବର୍ଷ ଧରି ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇନଥିବା ମଧ୍ୟ ମାନିଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସରକାରଙ୍କ ନିର୍ଦ୍ଦେଶ ମୁତାବକ ୩୧୪ ଜଣ ଡିପ୍ଲୋମା ଇଞ୍ଜିନିୟର ପ୍ରାର୍ଥୀଙ୍କ ନାମ ପଠାଇବାକୁ ମୁଖ୍ୟଯନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟିର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଏଥିରେ ବହୁ ବର୍ଷରୁ ଗଡ଼ି ଆସୁଥିବା ୧୨୬ଟି ବ୍ୟାକ୍ ଲଗ୍ ଭାକାନ୍ସି ସହିତ ଏସ୍ ଟି ବର୍ଗର ମୋଟ୍ ୧୬୫ ଜଣ ପ୍ରାର୍ଥୀ ନିଯୁକ୍ତି ପାଇବା କଥା। କିନ୍ତୁ କମିଟି ମାତ୍ର ୧୦୮ ଜଣ ଏସ୍ ଟି ପ୍ରାର୍ଥୀଙ୍କ ସମେତ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ନାମ ପଠାଇଥିଲେ। ଅନ୍ୟ ବର୍ଗର ସବୁ ପ୍ରାର୍ଥୀ ନିଯୁକ୍ତି ପାଇଥିବା ବେଳେ ଏସ୍ ଟି ବର୍ଗ ଭିତରୁ ମାତ୍ର ୪୫ ଜଣଙ୍କୁ ସରକାର ନିଯୁକ୍ତି ଏହି ବର୍ଗର ୬୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ୫ ବର୍ଷ ଧରି ଝୁଲାଇ ରଖିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ପ୍ରାର୍ଥୀ ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇ ମାମଲା ଜିଣିଛନ୍ତି। ଆଇନ୍ ବିଭାଗ ମଧ୍ୟ ଏହି ବଞ୍ଚିତ ଏସ୍ ଟି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାକୁ ସ୍ପଷ୍ଟ ମତ ଦେଇଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବି ଏହି ଏସ୍ ଟି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ସପକ୍ଷରେ। କିନ୍ତୁ ସମସ୍ତଙ୍କ ସହାନୁଭୂତି ଓ ସମବେଦନା ସତ୍ତ୍ୱେ ଏହି ଏସ୍ ଟି ପ୍ରାର୍ଥୀମାନେ ନିଯୁକ୍ତି ପାଇପାରୁନାହାନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏମାନଙ୍କୁ ନିଯୁକ୍ତି ଦେବା ସପକ୍ଷରେ ମତବ୍ୟକ୍ତ କରିଥିଲେ।

ଏସ୍ ଟି ବର୍ଗର ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଅନଯିବା ଫଳରେ ସ୍ଥାନ ସଂରକ୍ଷଣ ଆଇନ୍ ର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ବିଧାୟକ ଦିଲିପ ରାୟ ଉଲ୍ଲଙ୍ଘନାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ। ଏହି ଆଇନ୍ ର ୧୭ ଧାରା ଅନୁଯାୟୀ ପ୍ରତିବର୍ଷ ବିଧାନସଭାରେ ରିପୋର୍ଟ ଉପସ୍ଥାପନର ବ୍ୟବସ୍ଥା ଥିବା ଏବଂ ୧୩ ଧାରା ଅନୁଯାୟୀ ଇନ୍ସପେକ୍ଟିଂ ଅଫିସର ଆଇନ୍ ର ଉଲ୍ଲଙ୍ଘନ ଘେନି ତଦନ୍ତ କରି ଜଣାଇବାର ବ୍ୟବସ୍ଥା ଥିବା ବେଳେ ତାହା କାହିଁକି କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ଏସ୍ ସି ଓ ଏସ୍ ଟି ବିଭାଗ ଉନ୍ନୟନ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ୨୦୧୪ରେ ଲିଖିତ ପଞ୍ଚଦଶ ବିଧାନସଭାର ଏଯାବତ୍ ଅନୁଷ୍ଠିତ ୧୩ଟି ଅଧିବେଶନ ମଧ୍ୟରୁ କୌଣସିଟିରେ ବି ସ୍ଥାନ ସଂରକ୍ଷଣ ଆଇନ୍ ର ୧୭ ଧାରା ଅନୁଯାୟୀ ରିପୋର୍ଟ ଉପସ୍ଥାପିତ ହୋଇନାହିଁ। ତେବେ ୨୦୦୯ରେ ଗଢ଼ା ଯାଇଥିବା ଚତୁର୍ଦ୍ଦଶ ବିଧାନସଭାର ଏକାଦଶ ଅଧିବେଶନରେ ଶେଷ ଥର ପାଇଁ ଓଆର୍ ଭି ଆକ୍ଟର ୧୭ ଧାରା ଅନୁଯାୟୀ ରିପୋର୍ଟ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସେ ପୁଣି ସ୍ୱୀକାର କରିଛନ୍ତି ଯେ ୨୦୧୩ରୁ ଏଯାବତ୍ ଜଳ ସମ୍ପଦ ବିଭାଗର ବିଭିନ୍ନ ସଂସ୍ଥାରେ ଏସ୍ ଟି ବର୍ଗର ଖାଲିଥିବା କନିଷ୍ଠ ଯନ୍ତ୍ରୀ ପଦବୀରେ ବ୍ୟାକଲଗ୍ ଭାକାନ୍ସିରୁ ଆସିଥିବା ନାମ ଆଧାରରେ ୬୧ ଜଣ ଏସ୍ ଟି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଓ ଏ ସଂକ୍ରାନ୍ତଝରେ ଆଇନ୍ ବିଭାଗର ମତାମତ ପ୍ରାପ୍ତ ହୋଇଥିବା ବେଳେ ଉପରୋକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧିନ ଅଛି। ତେବେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଉପେକ୍ଷା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଆଇନାନୁଯାୟୀ ପ୍ରତିବର୍ଷ ବିଧାନସଭାରେ ଏ ସଂକ୍ରାନ୍ତୀୟ ରିପୋର୍ଟ କାହିଁକି ଉପସ୍ଥାପିତ ହୋଇନାହିଁ ତାହା ଉପରେ ମନ୍ତ୍ରୀ ନିରବ ଅଛନ୍ତି।

ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଦୁଇଟି ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଅନୁରୂପ ଉତ୍ତର ଦେଇ ଏହି ୬୧ ଜଣ ବଞ୍ଚିତ ଏସ୍ ଟି ପ୍ରାର୍ଥୀଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ବ୍ୟାକ୍ ଲଗ୍ ଭାକାନ୍ସିରେ ନିଯୁକ୍ତି ପ୍ରଦାନ କରିବା ପ୍ରସ୍ତାବ ସରକାରଙ୍କ ବିଚାରାଧିନ ଥିବା ଉଲ୍ଲେଖ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top