ବିଧାନସଭାରେ କୃଷିମନ୍ତ୍ରୀଙ୍କ ସ୍ୱୀକାରୋକ୍ତି : ଓଡ଼ିଶାରେ ଦୁଗ୍ଧଚାଷୀମାନେ ଲିଟର ପିଛା କମ୍ ମୂଲ୍ୟ ପାଉଛନ୍ତି – ସର୍ବନିମ୍ନ ଲିଟର ପିଛା ୩୦ ଟଙ୍କା ଦେବାକୁ ଦୁଗ୍ଧଚାଷୀ ମହାସଂଘର ଦାବି

ଭୁବନେଶ୍ୱର, ତା ୨୫ା୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଦୁଗ୍ଧ ଲିଟର ପିଛା ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ବୋଲି ଗତକାଲି ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଓଡ଼ିଶାର ଚାଷୀମାନେ ଲିଟର ପିଛା ୨୬ଟଙ୍କା ୧୦ ପଇସା ପାଉଥିଲାବେଳେ କେରଳରେ ଚାଷୀମାନେ ୩୫ଟଙ୍କା ୬୧ ପଇସା, ଗୁଜୁରାଟରେ ୩୧ଟଙ୍କା ୨୪ ପଇସା ଓ ସୁରାଟରେ ୩୦ ଟଙ୍କା ୭୬ ପଇସା, ବିହାରରେ ୨୮ଟଙ୍କା ୧ ପଇସା, ତେଲେଙ୍ଗାନାରେ ୨୭ ଟଙ୍କା ୮୮ ପଇସା, ତାମିଲନାଡୁରେ ୨୭ଟଙ୍କା ୭୮ ପଇସା, ଆନ୍ଧ୍ରପ୍ରଦେଶରେ ୨୬ଟଙ୍କା ୯୪ ପଇସା, ମଧ୍ୟପ୍ରଦେଶରେ ୨୬ଟଙ୍କା ୩୭ ପଇସା, ଉତ୍ତରପ୍ରଦେଶରେ ୨୬ଟଙ୍କା ୨୯ ପଇସା ଚାଷୀମାନେ ଦୁଗ୍ଧ ଲିଟର ପିଛା ପାଇଥାଆନ୍ତି। କର୍ଣ୍ଣାଟକରେ ଚାଷୀମାନଙ୍କୁ ଲିଟର ପିଛା ୫ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିଲାବେଳେ ଏହା ତେଲେଙ୍ଗାନାରେ ଲିଟାର ପିଛା ୪ ଟଙ୍କା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ଦାବି କରି ଗତ ଦେଢବର୍ଷ ହେଲା ଦୁଗ୍ଧ ଚାଷୀ ମହାସଂଘ ତରଫରୁ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଚାଲୁ ରହିଛି। ଦୁଗ୍ଧଚାଷୀମାନଙ୍କର ଦାବି ପ୍ରତି ସମ୍ମାନ ଜଣାଇ ମାନ୍ୟବର ମନ୍ତ୍ରୀ ନିଜେ ଗତବର୍ଷକ ତଳେ ମଇ ମାସ ୨୫ ତାରିଖ ଦିନ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଏକ ବୈଠକ ଡାକି ଆଲୋଚନା କରିଥିଲେ। ସେହିଭଳି ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପାଢୀ ମଧ୍ୟ ଜୁନ୍ ୧ ତାରିଖ ଦିନ ଦୁଗ୍ଧଚାଷୀ ମହାସଂଘର ଦାବି ଉପରେ ସହୃଦୟତାରେ ବିଚାର କରାଯିବ ବୋଲି ପ୍ରକାଶ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୩୦ ଟଙ୍କା ମିଳିପାରିଲା ନାହିଁ। ଇତିମଧ୍ୟରେ ଯେଉଁ ଗୋଖାଦ୍ୟ କିଲୋ ପିଛା ୧୬ ଟଙ୍କା / ୧୮ଟଙ୍କାରେ ବିକ୍ରି ହେଉଥିଲା ତାହା ୨୦ ଟଙ୍କାରୁ ୨୨ ଟଙ୍କାରେ ପହଞ୍ଚିଲାଣି। ଗୋଚର ଜମିର ପରିମାଣ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ତେଣୁ ରାଜ୍ୟ ସରକାର ଦୁଗ୍ଧଚାଷୀମାନଙ୍କର ଦୁର୍ଦ୍ଦଶାକୁ ବିଚାରକୁ ନେଇ ଲିଟର ପିଛା ସର୍ବନିମ୍ନ ୩୦ ଟଙ୍କା ସହାୟକ ମୂଲ୍ୟ ଦେବାପାଇଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ସମାଜବାଦୀ ପାର୍ଟି ସଭାପତି ରବି ବେହେରା ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର ଓ ସମ୍ପାଦକ ନାରାୟଣ ଡାଳୁଅ ପ୍ରମୁଖ ଦାବି କରିଛନ୍ତି। ସରକାର ଯଦି ଦୁଗ୍ଧଚାଷୀମାନଙ୍କର ସମସ୍ୟାକୁ ବିଚାରକୁ ନ ନିଅନ୍ତି, ତା’ହେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସେମାନେ ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ପୁନଶ୍ଚ ସେମାନେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ୯.୨୫ ହଜାର ମେଟି୍ରକ୍ ଟନ୍ ଦୁଗ୍ଧର ଆବଶ୍ୟକତା ଥିଲାବେଳେ ଓଡ଼ିଶାରେ ପ୍ରତିଦିନ ୫.୬୪ ମେଟି୍ରକ୍ଟନ୍ ଦୁଗ୍ଧ ଉତ୍ପାଦନ ହେଉଛି। ତେଣୁ ରାଜ୍ୟ ସରକାର ଦୁଗ୍ଧଚାଷୀମାନଙ୍କୁ ଯଦି ପ୍ରୋତ୍ସାହନ ଓ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନିଅନ୍ତେ ତାହେଲେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ଓ ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିରେ ଏକ ନୂଆ କ୍ରାନ୍ତି ଆସିପାରନ୍ତା। ତେଣୁ ରାଜ୍ୟ ସରକାର ଦୁଗ୍ଧ ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ଏ ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ଏବଂ ମଧ୍ୟାହ୍ନ ଭୋଜନ ଓ ସମନ୍ୱିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟକ୍ରମରେ ଦୁଗ୍ଧ ଓ ପନିରକୁ ଏକ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଭାବରେ ସାମିଲ୍ କରିବାକୁ ପଦକ୍ଷେପ ନେବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *