ବିଦ୍ୟାଳୟରେ ଅବ୍ୟବସ୍ଥା, ଶିକ୍ଷକ ପାଇଁ ପାଠ ପଢାରୁ ବଚିଂତ ଆଦିବାସୀ ଛାତ୍ରୀ

ମାଲକାନଗିରି, ୧ା୨ (ଓଡିଆ ପୁଅ ).ସଭିଏଁ ପଢନ୍ତୁ ସଭିଏ ବଢନ୍ତୁ ରାଜ୍ୟସରକାରଙ୍କ ଶିକ୍ଷାବିଭାଗର ନାରା ଥିବା ବେଳେ ଓ ୫ବର୍ଷରୁ ୧୪ବର୍ଷର ଶିଶୁଙ୍କୁ ମାଗଣାରେ ଶିକ୍ଷାଦାନ ଓ ଅଧାରୁ ପାଠ ଛାଡିଥିବା ଛାତ୍ରୀମାନଙ୍କୁ କସ୍ତୁରାବା ଗାନ୍ଧି ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି ବୋଲ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଡିଣ୍ଡିମ ପିଟା ଯାଉଥିବାବେଳେ ଜଣେ ଶିକ୍ଷକଙ୍କ ପାଇଁ ଆଦିବାସୀ ଛାତ୍ରୀ ପାଠପଢାରୁ ବଚିଂତ ହେବା ଘଟଣା ଜିଲ୍ଲାବାସୀଙ୍କୁ ଚକିତ କରିଛି। ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ଗୋବିନ୍ଦପାଲି ପଚାଂୟତ କମଳାପଦର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଉକ୍ତ ବିଦ୍ୟାଳୟରେ ନାନାପ୍ରକାର ଅବ୍ୟବସ୍ଥା ହେବା ଓ ପ୍ରଧାନ ଶିକ୍ଷକଙ୍କ ମନମୁଖି ଶାସନକୁ ବିରୋଧ କରି କମଳାପଦର ଗ୍ରାମବାସୀ ମାନେ ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ଜଣାଇ ଏକ ଦରଖାସ୍ତ ଦେଇଥିଲେ। ଜିଲ୍ଲା ଶିଶୁ ମଙ୍ଗଳ କମଟିର ସଭ୍ୟ କିଶୋର ଚନ୍ଦ୍ର ମହାରଣା ଓ ହରେଶଚନ୍ଦ୍ର ବେହେରା ତଦନ୍ତ ପାଇଁ କମଳାପଦର ସ୍କୁଲକୁ ଯାଇ ଥିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଆଉ ଏକ ଗୁରୁତର ଘଟଣା ସେମାନଙ୍କ ନଜରକୁ ଆସିଥିଲା। ସେ ଗ୍ରାମର ଅର୍ଜୁନ ଖିଲ ଙ୍କ ଝିଅ କାଚଂନଖିଲ କୁ ତାଙ୍କ ମା ସାବିତ୍ରୀ ଖିଲ ଉକ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ନାମ ଲେଖାଇବାକୁ ଆଣିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଳମାଧବ ସେଠୀ ଛାତ୍ରୀ ଜଣଙ୍କ ଅଧାରୁ ପାଠ ପଢା ଛାଡି ପଳାଇଥିବାରୁ ତାଙ୍କର ନାମ ଲେଖା ହୋଇପାରିବ ନାହିଁ ବୋଲି ରୋକ ଠୋକ ଭାବେ ମନା କରି ଦେଇଥିଲେ। ଝିଅ ଆଉ ପାଠ ପଢିପାରିବ ନାହିଁ ବୋଲି ଶିକ୍ଷକ ମନାକଲାରୁ ମା ଓ ଝିଅ ମନଦୁଃଖରେ ଘରକୁ ଫେରି ଯାଇଥିଲେ। ଶିଶୁ ମଙ୍ଗଳ କମିଟିର ସଦସ୍ୟ ମାନେ ଏହାର କାରଣ କଣ ବୋଲି ତଦନ୍ତ କରିବାରୁ ଜଣାପଡିଥିଲା ଯେ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୧୨ଜଣ ଛାତ୍ର, ୧୨ଜଣ ଛାତ୍ରୀ ମୋଟ ୨୪ଜଣ ପିଲାପାଠ ପଢନ୍ତି। ସେହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ରହିଛନ୍ତି। ପିଲାମାନଙ୍କୁ ଠିକ ଭାବେ ମଧ୍ୟାହ୍ନ ଭୋଜନ ଦିଆଯାଇନଥାଏ। ସାରୁ ତରକାରି ଓ ପେଜ ମିଶାଇ ଡାଲି ଦିଆହୁଏ, ଭାତ ମଧ୍ୟ ଅଧାପେଟ ପିଲା ମାନେ ଖାଇଥାନ୍ତି। ଅଣ୍ଡାକୁ ଫାଳ କରି ଦିଆ ଯାଇଥାଏ। ଏହି ପରି ନାନାପ୍ରକାର ଅସୁବିଧା ସହ ଉକ୍ତବିଦ୍ୟାଳୟ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ବାଦବିବାଦ ପାଇଁ କମଳାପଦର ଗ୍ରାମର ଉକ୍ତ ଝିଅକୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଶିକ୍ଷକ ମନାକରିଥିବାର ଜଣାପଡିଛି। ଗ୍ରାମ ବିବାଦରେ ଜଣେ ଅବୋଧ ଛାତ୍ରୀ ବଳିପଡିବା ଘଟଣାକୁ ସମଗ୍ର ଗ୍ରାମବାସୀ ନିନ୍ଦାକରିଛନ୍ତି। ତଦନ୍ତ କାରି ଶିଶୁ ମଙ୍ଗଳ କମଟି ସଦସ୍ୟ ମାନେ ଏ ସଂପର୍କରେ ଜିଲ୍ଲା ଶିଶୁସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳକମଟି ଅଧ୍ୟକ୍ଷା ଙ୍କୁ ଜଣାଇଛନ୍ତି। ଜିଲ୍ଲାଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ ଉକ୍ତ ଛାତ୍ରୀ କିପରି ପାଠପଢିବ ସେନେଇ ଚାଇଲ୍ଟ ଲାଇନକୁ ଜଣାବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ମନମୁଖି କାରବାର ଓ ଅବ୍ୟବସ୍ଥା ସଂପର୍କରେ ଜିଲ୍ଲାଶିକ୍ଷା ଅଧିକାରୀ ଙ୍କୁ ଜଣାଇ ବିହିତ ପଦକ୍ଷେପ ନେବାପାଇଁ ଚିଠି ପଠାଇଥିବାର କହିଛନ୍ତି।

Leave a Reply

Your email address will not be published. Required fields are marked *