ବିଡମ୍ବନା : ନ୍ୟୁଜ୍ କଟିଂ ଆଧାରରେ ମିଳୁଛି ପ୍ରକୃତି ମିତ୍ର ପୁରସ୍କାର

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବୃକ୍ଷରୋପଣ କରିବା କିମ୍ବା ପରିବେଶ ସୁରକ୍ଷା ଓ ସଂରକ୍ଷଣ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ। କାରଣ ଖବରକାଗଜର ନ୍ୟୁଜ୍ କଟିଂ ଆଧାରରେ ମିଳିଯାଉଛି ପ୍ରକୃତି ମିତ୍ର ପୁରସ୍କାର। ଏଭଳି ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଦ୍ରକ ଜିଲାରେ ଘଟିଥିବା ଏଭଳି ଘଟଣା ବୁଦ୍ଧିଜୀବୀ, ପରିବେଶବିତ୍ ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କୁ ବ୍ୟଥିତ କରିଛି। ପ୍ରକାଶ ଯେ, ଚଳିତବର୍ଷ ଏହି ଜିଲାର ତିହିଡିର ମଂଚ ନାମକ ଏକ ସଂଗଠନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ଜଣାପଡିବା ପରେ ସଂପୃକ୍ତ ସଂଗଠନ ତିହିଡି ଅଂଚଳରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ କି ପ୍ରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛି, ତାହା ଜାଣିବା ଲାଗି ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ (ଜିଲା ସମାଜ ମଂଗଳ ବିଭାଗ ପତ୍ର ସଂଖ୍ୟା ୧୪୪୭/୧୬-୦୭/୧୮) ମୂଳେ ହାସଲ କରାଯାଇଥିଲା। ସଂପୃକ୍ତ ସଂଗଠନର କର୍ମକର୍ତ୍ତା ନିଜ ଆବେଦନ ପତ୍ରରେ ମାତ୍ର ୩ ଧାଡିରେ ସେମାନେ କରିଥିବା କାର୍ଯ୍ୟର ବିବରଣୀ ପ୍ରଦାନ ସହିତ ସଂଗଠନ ପକ୍ଷରୁ ପାଳନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ସଂପର୍କିତ ଖବରକାଗଜ ନ୍ୟୁଜ୍ କଟିଂ ସଂଲଗ୍ନ କରାଯାଇଛି। କେବଳ ସେତିକି ନୁହେଁ ତିହିଡି ମେଡିକାଲ ଅଫିସର ମଧ୍ୟ ଆବେଦନ ଫର୍ମରେ ସଂଗଠନ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ସୁପାରିଶ କରିଛନ୍ତି। ଯାହାର ଆଧାରରେ ସଂଗଠନକୁ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରକୃତି ମିତ୍ର ପୁରସ୍କାର ପାଇବାକୁ ସରକାରୀ ସ୍ତରରେ ୧୭ ଟି ଯୋଗ୍ୟତାକୁ ମାନଦଣ୍ଡ ଭାବେ ନିଆଯାଇଛି। ସେଗୁଡିକ ମଧ୍ୟରୁ ପ୍ରକୃତି ଓ ପରିବେଶ ସଂରକ୍ଷଣ ଉପରେ ପ୍ରାୟ ୫ ବର୍ଷର ନିରନ୍ତର ପ୍ରୟାସ ରହିଥିବା ଜରୁରୀ। ମାତ୍ର ସଂପୃକ୍ତ ସଂଗଠନ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଗୋଟିଏ ବି ଯୋଗ୍ୟତା ପୂରଣ କରୁନଥିବା ବେଳେ କେବଳ ତିହିଡି ଅଂଚଳରେ କେଉଁଠି ଗୋଟିଏ ଦୁଇଟି ବୃକ୍ଷରୋପଣ କରିବା ସହ ଏହାର ଫଟୋ ଖବର କାଗଜରେ ଛାପିଦେଇ ଓ ସଭାସମିତି ଆୟୋଜନ କରି କିଭଳି ଏହି ପୁରସ୍କାର ହାତେଇ ନେବାକୁ ସକ୍ଷମ ହୋଇପାରିଲା, ତାହା ତଦନ୍ତ ସାପେକ୍ଷ। ଅନୁରୂପ ଭାବେ ଉକ୍ତ ସଂଗଠନ ୨୦୧୭ ମସିହାରେ ପଂଜିକୃତ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି। ସଂଗଠନ ମାତ୍ର ବର୍ଷକ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଏମିତି କି ଉଲ୍ଲେଖନୀୟ କାର୍ଯ୍ୟ କରି ପକାଇଲା ଯେ, ଜିଲା ଅଧିକାରୀମାନେ ସଂଗଠନକୁ ପ୍ରକୃତି ମିତ୍ର ପୁରସ୍କାର ଦେବାକୁ ଆକର୍ଷିତ ହୋଇପଡିଲେ। ଅନ୍ୟପକ୍ଷେ ଏହି ପୁରସ୍କାର ପ୍ରଦାନ ଲାଗି ଜିଲାପାଳଙ୍କ ଅଧ୍ୟକ୍ଷତାରେ ରହିଥିବା ଚୟନ କମିଟିରେ ଜିଲା ମଂଗଳ ବନ୍ୟଜନ୍ତୁ, ମୃତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ ଓ ଉଦ୍ୟାନ ବିଭାଗର ଅଧିକାରୀମାନେ ରହିବା ସହ ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ୨ଟି ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ସଦସ୍ୟ ରହିବେ। ସେହିପରି ଜିଲା ସମାଜ ମଂଗଳ ଅଧିକାରୀ କମିଟିର ସଂପାଦକ ଓ ଆବାହକ ଦାୟିତ୍ୱ ନିର୍ବାହ କରିଥାନ୍ତି। ଚଳିତବର୍ଷ କୌଣସି ସ୍ୱେଚ୍ଛାସେବୀ ସଂଗଠନକୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇ ନଥିବା ଜଣାଯାଇଛି। ପରିତାପର ବିଷୟ ଏହିଯେ, କୌଣସି ସଂଗଠନକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ ପୂର୍ବରୁ ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର କ୍ଷେତ୍ରୀୟ ତଦନ୍ତ କରାନଯାଇ କେବଳ ଖବରକାଗଜର ନ୍ୟୁଜ୍ କଟିଂ ଆଧାରରେ ଏହି ପୁରସ୍କାର ପ୍ରଦାନ କରିବା ଆଇନ୍ ସମ୍ମତ ନୁହେଁ। କାରଣ ସାଧାରଣ ଲୋକଙ୍କ ଠାରୁ କର ଖଜଣା ବାବଦରେ ଆଦାୟ ଅର୍ଥକୁ ସରକାର ଏହି ପୁରସ୍କାରରେ ବିନିଯୋଗ କରୁଥିବାବେଳେ ଉପରୋକ୍ତ ଢଙ୍ଗରେ ଯଦି ସଂଗଠନ ଗୁଡିକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଏ, ତେବେ ଏହା ଅପାତ୍ରରେ ଦାନ କରିବା ସଦୃଶ ଓ ପାଣିରେ ପଡିବା ସାର ହେବ। ଏଥିଲାଗି ଆଗାମୀ ଦିନରେ ସାଧାରଣ ଲୋକ ମୁହଁ ଖୋଲିବାକୁ ବାଧ୍ୟ ହେବେ ଓ ସରକାରୀ ଅଧିକାରୀଙ୍କ ଏତାଦୃଶ ବେନିୟମ କାର୍ଯ୍ୟ ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ବାଧ୍ୟ ହେବେ, ଏଥିରେ ସନ୍ଦେହ ନାହିଁ। ତେଣୁ ଜିଲାପାଳ ଉପରୋକ୍ତ ଚଂଚକତା ସଂପର୍କରେ କ୍ଷେତ୍ରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତିହିଡି ଅଂଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ପରିବେଶବିତ୍ ଦାବି କରିଛନ୍ତି। ତାହା ନହେଲେ ଆଗାମୀ ଦିନରେ ଏମିତି ବହୁ ସଂଗଠନ ପରିବେଶ ସୁରକ୍ଷା ଓ ସଂରକ୍ଷଣ ଉପରେ କୌଣସି କାର୍ଯ୍ୟ ନକରି କେବଳ ମିଥ୍ୟା କାଗଜପତ୍ର, ଗଛ ଲଗାଉଥିବାର ଫଟୋକପି ଓ ଖବରକାଗଜରେ ପ୍ରକାଶିତ ଫଟୋ ଓ ସମ୍ବାଦ ସର୍ବୋପରି ଧରାଧରି, ହାତଗୁଂଜା ଓ ରାଜନେତାଙ୍କ ସୁପାରିସ ଆଧାରରେ ଏହି ପୁରସ୍କାର ହାତେଇ ନେବାକୁ ପଛାଇବେ ନାହିଁ।

Leave a Reply

Your email address will not be published. Required fields are marked *