ବିଜେପୁର ବ୍ଲକରେ ମାରାଥନ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରଚାର ଅବ୍ୟବହିତ ପୂର୍ବରୁ ପିଇବା ପାଣି ଓ ଜଳସେଚନ ନ ହେବା ନେଇ ମାଗିଲେ ଜବାବ

– ବୃନ୍ଦା ସାହୁ ଓ ମୃତ ଚାଷୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ କଲେ ଆହ୍ୱାନ

ବିଜେପୁର /ଭୁବନେଶ୍ୱର,  ୧୯ ଫେବୃଆରୀ (ଓଡ଼ିଆ ପୁଅ)– ବିଜେପୁରରେ ସୋମବାର ଦିନ ମାରାଥନ ପ୍ରଚାର କରି ବିଜେପୁରକୁ ପ୍ରଚାରରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନେକ ପ୍ରଶ୍ନ ଠିଆ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରର ତିନିଟି ଯାକ ବ୍ଲକରେ ପିଇବାକୁ ମୁନ୍ଦେ ପାଣି ନାହିଁ। ଧାନ ବିଲକୁ ବୁନ୍ଦେ ବି ପାଣି ପହଂଚି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ୧୮ ବର୍ଷର ସ୍ଥାଣୁତା- ଅପାରଗତାର ଉତର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନା ବିଜେପୁରକୁ ନିର୍ବାଚନ ପ୍ରଚାର କରିବାକୁ ଆସିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ପ୍ରତି ସମ୍ବେଦନହୀନ ନ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିଜେପୁରରେ ପ୍ରଚାର ସମୟରେ ଆତ୍ମହତ୍ୟା କରିଥିବା ବୃନ୍ଦା ସାହୁ ଓ ଅନେକ ଚାଷୀଙ୍କ ସମେତ ନିକଟରେ ଗାଇସିଲଟ ବ୍ଲକରେ ଆତ୍ମହତ୍ୟା କରିଥିବା ଚାଷୀ ମାନଙ୍କ ପରିବାର ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ବିଜେପୁର ବ୍ଲକର ଟି. ଗଣ୍ଡପଲି, ବଡ ବ୍ରାହ୍ମଣୀ, ସାଇପାଲି, ବିଣିଆଛାଲ, ଲାଉମୁଣ୍ଡା, ପଥରଲା, ବଡବଉସେନ ଆଦି ସ୍ଥାନରେ ଉଦବୋଧନ ଦେଇ ୧୮ ବର୍ଷ ପରେ ବି ବିଜେପୁରବାସୀଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛନ୍ତି, ଏଥି ନେଇ ମୁଖର ଭାବରେ ରାଜ୍ୟ ସରକାରଙ୍କୁ ଉତର ମାଗିବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡିଶାର ଲୋକ ମାନେ ବଡ ପରିବର୍ତ୍ତନ ପାଇଁ ମନ ସ୍ଥିର କଲେଣି। ବିଜେପୁରବାସୀ ସେହି ପରିବର୍ତ୍ତନ ସ୍ୱରକୁ ନିର୍ବାଚନରେ ପ୍ରତିଫଳିତ କଲେ ପରିବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *