ବିଜେପୁର ଉପ-ନିର୍ବାଚନ : ସମୀକରଣ ବଦଳୁଛି : ଶଙ୍କାରେ ବିଜେଡ଼ି ଓ ବିଜେପି

ବରଗଡ଼, ତା.୦୭.୧୨(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ଦିନକୁ ଦିନ ସମୀକରଣ ବଦଳିବାରେ ଲାଗିଛି। ଗତ କିଛିଦିନ ଆଗରୁ ବାହୁଷ୍ଫଟ ମାରୁଥିବା ନେତାଏ କଂଗ୍ରେସ ଦଳର ପ୍ରାର୍ଥିତ୍ୱ ବଦଳିବା ଓ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇବା ଖବର ପ୍ରଚାରିତ ହେବାପରେ ଏବେ ଚିନ୍ତାରେ ଥିବା ଆଲୋଚନାର ବିଷୟ ହୋଇଛି। ଅନ୍ୟଦଳ ଗୁଡ଼ିକର ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ କଂଗ୍ରେସ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପ୍ରାର୍ଥିତ୍ୱକୁ ନେଇ ଉତ୍ସୁକତା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ କଂଗେସ ଦଳ ତାର ପୂର୍ବସ୍ଥିତି ବଜାୟ ରଖିବାର ଉଦ୍ୟମ ଜାରି ରଖିବାକୁ ଚେଷ୍ଟିତ ଥିବା ବେଳେ ଅନ୍ୟ ଦୁଇ ପ୍ରମୂଖ ଦଳ ତାଙ୍କ ଅନ୍ତଃ ଦ୍ୱନ୍ଦକୁ ଲୁଚାଇ ବାହୁଷ୍ଫଟ ମାରିବାରେ ଆଗଭର ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନାର ଖୁରାକ ଯୋଗାଇଛି।

ବିଜେଡ଼ି ଦଳ ଭିତରେ ଲାଗି ରହିଥିବା ଅପ୍ରିତିକର କନ୍ଦଳ ସ୍ୱଷ୍ଟ ହେବାବେଳେ ପାର୍ଟି ସୁପ୍ରିମୋ ନବୀନ ବାବୁ ଖପ୍ପା ହେବା ଘଟଣା ଏବେ ତାହାକୁ ସ୍ୱଷ୍ଟ କରିଦେଇଛି। ଗୋଟିଏ ପଟେ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା କ୍ୟାମ୍ପ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ସେମାନେ ଘରବାହୁଡ଼ା ହେବାକୁ ଚିନ୍ତା କରୁଥିବା ପ୍ରକ୍ରିୟା ଆରମ୍ଭ ହେଲାଣି। ଏପରିକି କିଛି କଂଗ୍ରେସ କର୍ମି ଓ ନେତା ବିଜେଡ଼ିରୁ ଇସ୍ତାଫା ଦେଇ ପୁଣି ଘରବାହୁଡ଼ି ସାରିଲେଣି। ଅନ୍ୟପଟେ ବିଜେଡ଼ି ଦଳର ଆଭ୍ୟନ୍ତରୀଣ କନ୍ଦଳ ଖୋଲି ଯାଇଛି ପୁରୁଣା ନେତାଙ୍କୁ ଦଳରୁ ବହିସ୍କୃତ କରିବା ଘଟଣା ପରେ। ଯେଉଁ ୬ ଜଣ ପୂରୂଖା କର୍ମିଙ୍କୁ ବିଜେଡ଼ି ଦଳ ଦଳରୁ ବହିସ୍କୃତ କରିଛି ସେମାନେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଖାସ୍ ଲୋକଥିବା ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଆଲୋଚନାର ମୁଖ୍ୟ ଖୋରାକ ହୋଇଛି। ଏବେ ଶାସକ ବିଜେଡ଼ି ଦଳ ନିର୍ବାଚନ ବେଳେ ଅନ୍ୟଦଳ ସହ ଲଢ଼ିବ ନା ନିଜ ଦଳର ବିଦ୍ରୋହୀ ମାନଙ୍କ ସହ ବୋଲି ଚର୍ଚ୍ଚା ଜୋର ଧରିଲାଣି।

ଅନୁରୂପ ଭାବରେ ବିଜେପି ଦଳ ମଧ୍ୟରେ ରହିଥିବା କନ୍ଦଳ ଯୋଗୁଁ ଦଳଛାଡ଼ି ବିଜେଡ଼ିରେ ଯୋଗଦାନ କରିଥିବା ନେତାଏ କେଉଁ ଭାବରେ ବିଜେପି ବିରୁଦ୍ଧରେ କାମ କରିବେ ତାହା କଳନା କରିବା ବଡ଼ ମୁସ୍କିଲ ବ୍ୟାପାର ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଗାଇସିଲାଟ ବ୍ଲକରେ ସବୁଠୁ ବେଶୀ ଭୋଟ ପାଇଥିବା ବିଜେପି ତାର ଅଜାଗା ଘା ଲୁଚେଇ ପାରୁନଥିବା ବେଳେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ହାତରେ ୫୦୦ ଭୋଟ ନଥିବା ପ୍ରଚାରିତ ହେଉଛି। ମାତ୍ର ଅଜାଗା ଘା ଲୁଚେଇଲେ ବି ଦଳ ଠିକ୍ ଜାଣିଛି ତାଙ୍କ ସାଂଗଠନିକ କାର୍ଯ୍ୟକଳାପ ଓ ଗୃହଶତ୍ରୁ କେତେ ବିପଦପୂର୍ଣ୍ଣ ଅଟେ, ଯାହା ଏବେ ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଅନ୍ୟପଟେ ବିଜେଡ଼ି ଦଳ ଛାଡ଼ି ଅଶୋକ ପାଣିଗ୍ରାହୀଙ୍କୁ ଦଳୀୟ କର୍ମିଙ୍କ ବିରୋଧ ସତ୍ତ୍ୱେ ତାଙ୍କୁ ପ୍ରାର୍ଥି ଦିଆଯିବା ନେଇ ଆଉଏକ ଅଜାଗା ଘା ସୃଷ୍ଟି ହୋଇଥିବା ବେଳେ ତାର ଉପଚାର ପାଇଁ ବିଜେପି କଣ ପଦକ୍ଷେପ ନେଉଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କିଏ କାହାକୁ ପ୍ରାର୍ଥି କରୁଛି ଓ କାହାର ରାଜନୈତିକ ବିଚକ୍ଷଣତା ବିଜେପୁର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ଷମ ହୋଇ ସଫଳତା ଆଣି ଦେଉଛି।

Leave a Reply

Your email address will not be published. Required fields are marked *