ବିଜେପୁର ଉପ-ନିର୍ବାଚନ ଖୁସି ଆଣିବ: ନିର୍ବାଚନ ମଣ୍ଡଳୀ ବାସୀ ବିକାଶ ର ଚେହେରା ଦେଖିବାର ସୁଯୋଗ ପାଇବେ

ବରଗଡ଼, ତା.୨୫.୧୧(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ହେଉଛି ସବା ଆଗ ଧାଡ଼ିରେ ଥିବା ଏକ ଅବହେଳିତ ଅଞ୍ଚଳ। ବିକାଶ କଣ? ଅଞ୍ଚଳର ଲୋକେ ଏଯାଏଁ ତାର ସଠିକ୍ ରୂପ ବି ଦେଖି ନାହାଁନ୍ତି ବୋଲି ଚାରିଆଡ଼େ ଆଲୋଚନା ଚାଲିଛି। ମାତ୍ର ଏବେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ହେବାକୁ ଥିବା ଉପ-ନିର୍ବାଚନ ଯୋଗୁଁ ଅଞ୍ଚଳବାସୀ ବିକାଶର ରୂପ ଦେଖିବେ ବୋଲି ବର୍ତ୍ତମାନ ବୁଦ୍ଧିଜିବୀ ମହଲରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ବିଜେପୁର ବିଧାନସଭା କ୍ଷେତ୍ର ସ୍ୱଚ୍ଛ ଭାରତ ଅଭିଯାନର ଏକ ସ୍ୱତନ୍ତ୍ର ନମୂନା ହେବାକୁ ଯାଉଛି ବୋଲି ମଧ୍ୟ ଆଲୋଚନା ଆରମ୍ଭ ହେଲାଣି। ଆଗାମୀ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାଜିପାରେ ବିଜେପୁର ଉପ-ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ। ବିଗୁଲ ବାଜିବା ପରେ ବିଜେପୁର ବିଧାନସଭା ଅଞ୍ଚଳ ପାଲଟିବ ଜନସମୁଦ୍ର। ବିକାଶର ଧାରା ଅବିରାମ ଗତିରେ ଚାଲିବ, ଯାହା ପ୍ରମାଣ କରିବା ପାଇଁ ପ୍ରତ୍ୟେକ ଦଳ ନିଜନିଜ ଦଳକୁ ବିଜୟୀ ପ୍ରମାଣିତ କରିବା ପାଇଁ ଅଣ୍ଟା ଭିଡ଼ି ସାରିଲେଣି। ବିଜେପୁର ବିଧାନସଭା କ୍ଷେତ୍ର ଉପ-ନିର୍ବାଚନ ବେଳେ ବର୍ତ୍ତମାନର ପାରିପାର୍ଶିକ ସ୍ଥିତି ତଥା ଆନୁମାନିକ ଭାବରେ ଯାହା ଦେଖିବ ତାର ଏକ ସ୍ୱପ୍ରସ୍ତୁତ ନମୂନା –

ଭାରତୀୟ ଜନତା ପାର୍ଟି : ବିଜେପୁର ଉପ-ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କରୁଛି ହାଇଟେକ୍ ଯୋଜନା। ଯେଉଁ ଯୋଜନା ଆଜିଯାଏଁ ଯେଉଁଠି ପ୍ରୟୋଗ ହୋଇଛି ସେଇଠି ବିଜେପିର ବିଜୟ ସୁନିଶ୍ଚିତ ବୋଲି ରାଜନୈତି ବିଷେଶଜ୍ଞଙ୍କ ମତ ରହିଛି। ଉକ୍ତ ଯୋଜନା ମୂତାବକ ବିଜେପି ବିଜେପୁର ନିର୍ବାଚନ ମଣ୍ଡଳୀରେ ଥିବା ୩ ଟି ବ୍ଲକ ପାଇଁ ପ୍ରତ୍ୟେକ ବ୍ଲକରେ ପ୍ରାୟ ୧୦୦୦ ଜଣ ହିସାବରେ ମୋଟ ୩୦୦୦ ରାଷ୍ଟ୍ରିୟ ସ୍ୱୟଂ ସେବକ ନିୟୋଜିତ କରିବ। ସେମାନେ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଗାଁ ଗାଁ ବୁଲି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କାମ କରିବେ ବୋଲି ସୂଚନା ମିଳୁଛି। ଏହାଛଡ଼ା ଓଡ଼ିଶା ପ୍ରତ୍ୟେକ ଜିଲ୍ଲା ସମେତ ବାହ୍ୟ ରାଜ୍ୟରୁ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ପାର୍ଟି କର୍ମକର୍ତ୍ତା ଉପସ୍ଥିତ ଆସି ପ୍ରତ୍ୟେକ ବ୍ଲକରେ ପ୍ରାୟ ୫୦୦ ଜଣ ଲେଖାଏଁ କର୍ମକର୍ତ୍ତା ଉପସ୍ଥିତ ରହି ନିର୍ବାଚନୀ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ ରହିବେ। ଯେଉଁଥି ପାଇଁ ବିଜେପି ତାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଚୂଡ଼ାନ୍ତ କରି ସାରିଥିବା ସୂଚନା ମିଳୁଛି। ମାତ୍ର କେଇଦିନ ଉପସ୍ଥିତ ରହି ଉତ୍ତର ପ୍ରଦେଶ ନିର୍ବାଚନ ଭଳି ନିଜର ପାରଙ୍ଗମତା ପ୍ରଦର୍ଶନ କରି ବିଜେପୁର ବିଧାନ ସଭା କ୍ଷେତ୍ରର ଲୋକଙ୍କୁ ଦେଖେଇଦେବେ ବିକାଶର ଅସଲି ରୂପ…

ବିଜୁ ଜନତା ଦଳ: ଓଡ଼ିଶାର ଶାସନ କ୍ଷମତା ତାଙ୍କ ହାତରେ, ନିର୍ବାଚନରେ ବିଜେପୁର ଆସନ ହାତେଇବା ପାଇଁ ବ୍ୟବହାର ହେବ ଉଭୟ ରାଜନୈତିକ ଓ ପ୍ରଶାସନିକ କଳ। ବିଗତ ଦିନ ଗୁଡ଼ିକରେ ଶାସକ ଦଳ ବିଜେପୁର ବିଧାନସଭା କ୍ଷେତ୍ର ପାଇଁ ବହୁତ କିଛି ଲଲିପପ୍ ଦେଇ କେବଳ ବିଜେପୁର ନିର୍ବାଚନ ମଣ୍ଡଳୀ ନୁହେଁ ରାଜ୍ୟବାସୀଙ୍କ ନଜରକୁ ଆସି ସାରିଛି। କରି ଚାଲିଲେ ଘୋଷଣା ଉପରେ ଘୋଷଣା, ମାତ୍ର ଏଯାଏଁ କୌଣସି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇନଥିବା ବେଳେ ଗୋଟିଏ ହେଲେ କାମ ଆରମ୍ଭ ହୋଇନଥିବା ଦେଖିବାକୁ ମିଳୁଛି। ଏଣୁ ଅଞ୍ଚଳବାସୀ ନିର୍ବାଚନ ବେଳେ କାମ ସବୁ ଆରମ୍ଭ ହେବ ବୋଲି ଆଶା ବାନ୍ଧି ରହିଛନ୍ତି। ମାତ୍ର ନିର୍ବାଚନ ଘୋଷଣା ହେଲେ ସରକାରୀ ସ୍ତରରେ କୌଣସି କାର୍ଯ୍ୟାଦେଶ ଦିଆଯିବାର ନିୟମ ନଥିବା ହେତୁ ବୋଧହୁଏ ସରକାର ନିର୍ବାଚନ ଘୋଷଣା ର ଅଳ୍ପ ଦିନ ପୂର୍ବରୁ ହିଁ କାର୍ଯ୍ୟାଦେଶ ଜାରି କରି ଠିକ୍ ନିର୍ବାଚନ ବେଳେ ଲୋକଙ୍କୁ ବିକାଶର ରୂପ ଦେଖେଇବାକୁ ଚାହୁଥିବେ ଏବଂ ଏହାହିଁ ବିଜୁ ଜନତା ଦଳର ମୁଖ୍ୟ ରଣ କୌଶଳ ହୋଇପାରେ ବୋଲି ବୁଦ୍ଧିଜିବୀ ମହଲ ଅନୁମାନ ଲଗାଉଛି। ଏହାଛଡ଼ା ନିର୍ବାଚନ ପାଇଁ ରାଜ୍ୟର ପ୍ରାୟ ୧୦ ଜଣରୁ ଉର୍ଦ୍ଧ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟର ସବୁ ଜିଲ୍ଲାରୁ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବରଗଡ଼ ଜିଲ୍ଲାରେ ଡ଼େରା ପକାଇବେ। ବିଜେପି ଦଳ ଭଳି ଏମାନେ ମଧ୍ୟ ଅଣ୍ଟା ଭିଡ଼ି ପ୍ରସ୍ତୁତ ହୋଇ ସାରିଲେଣି ମାତ୍ର କେଇଦିନର କାର୍ଯ୍ୟକଳାପ ବଳରେ ବିଜେପୁର ବିଧାନ ସଭା କ୍ଷେତ୍ରର ଲୋକଙ୍କୁ ଦେଖେଇଦେବେ ବିକାଶର ଅସଲି ରୂପ…

କଂଗ୍ରେସ: ଉଭୟ କେନ୍ଦ୍ର ଓ ରାଜ୍ୟରେ ନିଜର ଶାସନ କ୍ଷମତା ହରାଇ ସାରିଥିବା ସତ୍ତ୍ୱେ କଂଗ୍ରେସ ଦଳ ଚୁପ ମାରି ବସିବନି ବିଜେପୁର ଉପ-ନିର୍ବାଚନ ପାଇଁ। ଯେହେତୁ ବିଜେପୁର ବିଧାନସଭା ଆସନ କେବଳ ବରଗଡ଼ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଗତ ୨୦୧୪ ମସିହା ନିର୍ବାଚନରେ ଖୋଦ୍ ଶାସକ ଦଳର ଅର୍ଥମନ୍ତ୍ରୀ ଙ୍କୁ ନିର୍ବାଚନ ହରାଇ ପ୍ରମାଣ କରି ସାରିଛି ଏହା କଂଗ୍ରେସର ଗଡ଼ ବୋଲି। ହେଲେ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ଦଳର ରୂପରେଖ କିଛି ଠିକ୍ ବାଟରେ ଯାଉନଥିବା ଦେଖିବାକୁ ମିଳୁଛି। ଯେହେତୁ ଉପ-ନିର୍ବାଚନ ହେଉଛି ସେହି ଦୃଷ୍ଟିରୁ ଜଣେ ପୁରୁଖା ଅଭିଜ୍ଞ ଦକ୍ଷ ନେତା ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କୁ ନିର୍ବାଚନୀ ଦାୟିତ୍ୱ ଦେଇଛି କଂଗ୍ରେ ଦଳ। ସବୁ ସ୍ତରରେ ସେ ଅନ୍ୟ ଦୁଇ ପ୍ରମୂଖ ଦଳ ସହ ଲଢ଼େଇ କରିବାରେ ସମର୍ଥ ଥିବା ବେଳେ ଦଳ ତାଙ୍କ ଭଳି ଜଣେ ପୁରୁଖା ଅଭିଜ୍ଞ ଦକ୍ଷ ନେତାଙ୍କୁ ବିଜେପୁର ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳୁଛି। ଯଦି ଏଭଳି ହୁଏ ତେବେ କଂଗ୍ରେସ ଦଳ ମଧ୍ୟ ମାତ୍ର କେଇଦିନ ଭିତରେ ବିଜେପୁର ବିଧାନ ସଭା କ୍ଷେତ୍ରର ଲୋକ ତାଙ୍କ ଦଳ ସହ ଥିଲେ – ଅଛନ୍ତି –ରହିଥିବେ ବୋଲି ପ୍ରମାଣ କରି ଦେଖେଇଦେବ…

କିଏ ଜିତିବ କିଏ ହାରିବ ସେ ଯାହା ହେଉ… ଜିଲ୍ଲାର ଚୀର ଅବହେଳିତ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକେ ଦେଖିବେ ବିକାଶର ଅସଲି ରୂପ। କେବଳ ଗୋଟିଏ ଉପ-ନିର୍ବାଚନ ପାଇଁ ଯେତେ ପରିଶ୍ରମ ପ୍ରତ୍ୟେକ ଦଳ ଓ ଦଳୀୟ ନେତାମାନେ କରୁଛନ୍ତି ଯଦି ତାହାର ମାତ୍ର ୨୫ ପ୍ରତିଶତ ବର୍ଷତମାମ କରନ୍ତେ, ତାହେଲେ କେବଳ ବିଜେପୁର ନିର୍ବାଚନ ମଣ୍ଡଳୀ ନୁହେ କି ବରଗଡ଼ ଜିଲ୍ଲା ନୁହେଁ, ଦେଶର ପ୍ରତ୍ୟେକ ଅଞ୍ଚଳ ବିକାଶର ଧାରାରେ ସାମିଲ ହୋଇ ପାରନ୍ତା ଓ ଆମ ଦେଶର ସଂପୂର୍ଣ୍ଣ ବିକାଶ ହୋଇପାରନ୍ତା ବୋଲି କୌଣସି ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *