ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି

– ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ
– ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ
– ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପିର ଦାବି

ଭୁବନେଶ୍ୱର, ତା.୨୧/୦୨(ଓଡ଼ିଆ ପୁଅ): କଳା ଟଙ୍କା ଭର୍ତ୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବନ୍ଦ କୋଠରୀରେ ଅଛି। ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ଥିବାର ସୂଚନା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦେବା ସହ ଏହି ସ୍ଥାନକୁ ଚଢାଉ କରି ଟଙ୍କା ଜବତ ସହ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି।

ବିଜେପି ନିର୍ବାଚନ ଆୟୋଗଙ୍କୁ ସୂଚନା ପ୍ରଦାନ କରି କହିଛି ଯେ, ଗତ କାଲି ୩ଟି ସୁଟକେସକୁ ଏକ ପାଜେରୋ ଗାଡିରେ ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରଖାଯାଇଅଛି। ଏହି ରୁମ୍ର ଚାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ହାତରେ ଅଛି। ନିର୍ବାଚନରେ ଜଣେ ପ୍ରଶାସନିକ ଅଧିକାରୀ ଟଙ୍କା ବ୍ୟବହାର କରିବା ମଧ୍ୟ ଏକ ଧର୍ତବ୍ୟ ଅପରାଧ। ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଏହି ବିପୁଳ କଳା ଟଙ୍କା ବିଜେପୁର ଉପନିର୍ବାଚନରେ ଭୋଟର ମାନଙ୍କୁ ପ୍ରଲୋଭିତ କରିବା ପାଇଁ ବ୍ୟବହୃତ ହେବ।

ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ବନ୍ଦ କୋଠରୀ ଉପରେ ଚଢାଉ କରି ଏଠାରେ ଥିବା କଳା ଟଙ୍କାକୁ ଜବତ କରିବାକୁ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରିଛି। ଏହା ସହ ଏହି ଟଙ୍କା ଆସିବାର ମୂଳ ଉତ୍ସକୁ ଠାବ କରିବାକୁ ଯଥା ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ। ତଥ୍ୟ ଆଧାରରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରି ନିର୍ବାଚନ ଆୟୋଗ ବିହିତ ପଦକ୍ଷେପ ନେବେ ବୋଲି ଦୃଢ ବିଶ୍ୱାସ ରହିଛି ବୋଲି ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *