ବିଜେପୁର ଉପନିର୍ବାଚନ: ରିପୁଙ୍କ ନାଆଁ ଆପାତତଃ ଚୁଡାନ୍ତ

ଭୁବନେଶ୍ୱର ୫-୧୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଯଦି ଶେଷ ମୁହୁର୍ତ୍ତରେ କୌଣସି ରାଜନୈତିକ ହଟଚମଟ ସୃଷ୍ଟ ନହୁଏ ତେବେ ରିପୁନାଥ ସେଠ୍ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେବା ଏକ ପ୍ରକାର ଚୁଡାନ୍ତ। ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତା ରିପୁଙ୍କ ସପକ୍ଷରେ ନିଜର ମତ ଉପସ୍ଥାପନ କରି ସାରିଲେଣି। ଏପରିକି ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ରିପୁଙ୍କ ସପକ୍ଷରେ ଅଛନ୍ତି। ଯେଉଁ କିଛି ବରିଷ୍ଠ ନେତା ଯାହା ମଧ୍ୟରୁ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଛନ୍ତି ପ୍ରଣୟ ସାହୁଙ୍କୁ ଟିକେଟ୍ କରାଇବା ଚକ୍କରରେ ଥିଲେ ଏବେ ପରିସ୍ଥିତି ଦେଖି ଶାନ୍ତ ପଡି ଯାଇଛନ୍ତି। କାରଣ ରାହୁଳ ଗାନ୍ଧୀଙ୍କ ଅଫିସରେ ବିଜେପୁର ବାବଦରେ ପୁଙ୍ଖାନୁପୁଙ୍ଖ ଖବର ପହଁଚିଛି। ହାତରେ ଥିବା ଆସନକୁ ହରାଇବାକୁ ଚାହୁନାହିଁ କଂଗ୍ରେସ। ରିପୁନାଥ ସେଠ୍ ହିଁ ଏକମାତ୍ର ପ୍ରାର୍ଥୀ ଯାହାକୁ ଟିକେଟ୍ ଦେଲେ କଂଗେସ ତାର ଗଡ ବଂଚାଇ ପାରିବ। କେବଳ ଔପଚାରିକ ଦୃଷ୍ଟିରୁ ଘୋଷଣା ବାକି ରହିଛି।

ରିପୁ କଂଗ୍ରେସ ପ୍ରାର୍ଥୀ ହେଲେ ବିଜେପୁରର ରାଜନୈତିକ ପାଣିପାଗ ସଂପୂର୍ଣ୍ଣ ବଦଳି ଯିବ। ଅନ୍ୟ ଦୁଇ ଦଳ ବିଜେଡି ଓ ବିଜେପି ପାଇଁ ଚିନ୍ତା ବଢିଯିବ। କଂଗ୍ରେସ ପୂରା ମଇଦାନକୁ ଆସିଯିବ। ଗତ ଦୁଇ ମାସ ଭିତରେ ବିଜେଡି ଓ ବିଜେପି ସେଠାରେ ଯେଉଁ ଦଳବଦଳ ରାଜନୀତି କରିଆସୁଛନ୍ତି ତାହା ଦୁଇ ଦଳର ତଳସ୍ତରର କର୍ମୀଙ୍କୁ ଘୋର ଆଘାତ ଦେଇଛି। ବିଶେଷ କରି ବିଜେଡିର ତଳସ୍ତରର କର୍ମୀ ସଂପୂର୍ଣ୍ଣ ଅସନ୍ତୁଷ୍ଟ। ସେହିପରି ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବାକୁ କଂଗ୍ରେସର କୌଣସି କର୍ମୀ ସହି ପାରୁ ନାହାଁନ୍ତି। ଯେଉଁ ସହାନୁଭୁତି ଭୋଟ ହାତେଇବା ପାଇଁ ବିଜେଡି ଚେଷ୍ଟା କରୁଥିଲା ତାହା ବର୍ତ୍ତମାନ ଶୂନରେ ପହଁଚିଛି। ବରଗଡ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ବିଜେଡିରେ ସାମିଲ କରାଇବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସମଗ୍ର ବିଜେପୁରବାସୀ ଜାଣିଛନ୍ତି ନାରାୟଣ ସାହୁଙ୍କ ହାତରେ ୫୦୦ ଖଣ୍ଡ ଭୋଟ୍ ମଧ୍ୟ ନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ବାବଦରେ ଗୁଇନ୍ଦା ତଥ୍ୟ ପାଇବା ପରେ ସଂପୂର୍ଣ୍ଣ କ୍ଷୁବ୍ଧ। ତେଣୁ ଏହି ଦୁଇ ଦଳର ବିକଳ୍ପ ଭାବରେ ସମଗ୍ର ବିଜେପୁରବାସୀ କଂଗ୍ରେସ ସପକ୍ଷରେ ଅଛନ୍ତି। କେବଳ ଅପେକ୍ଷା କଂଗ୍ରେସରୁ କିଏ ପ୍ରାର୍ଥୀ ହେଉଛି। ଯଦି ରିପୁଙ୍କ ଟିକେଟ୍ରେ ମୋହର ବାଜେ ତେବେ ଦଳମତ ନିର୍ବିଶେଷରେ ବିଜେପୁରବାସୀ ରିପୁଙ୍କ ସପକ୍ଷରେ ଯିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପୋଷଣ କରିଛନ୍ତି। କାରଣ ପୂର୍ବରୁ ଏହି ଆସନରୁ ରିପୁନାଥ ସେଠ୍ ବିଧାୟକ ହୋଇ ମନ୍ତ୍ରୀ ହୋଇଛନ୍ତି। ରାଜନୈତିକ ଘଟଣା ଚକ୍ରରେ ପରେ ଯଦିଓ ସେ ଭଟଲୀରୁ ନିର୍ବାଚନ ଲଢିଥିଲେ ମାତ୍ର ବିଜେପୁର ହେଉଛି ତାଙ୍କର ମୂଳ ନିର୍ବାଚନମଣ୍ଡଳୀ। ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନାହିଁ। ଯେକୌଣସି ମୂହୁର୍ତ୍ତରେ ଘୋଷଣା ହୋଇ ପାରେ। ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରୁ ଶାସକ ବିଜେଡି ପାଇଁ ବିଜେପୁର ଉପ ନିର୍ବାଚନ କର ବା ମର ପରିସ୍ଥିତି। ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଚିନ୍ତା ବଢାଇ ଦେଇଛି। ଯଦି ବିଜେପୁରରେ ବିଜେଡି ପରାଜୟ ବରଣ କରେ ତେବେ ୨୦୧୯ ସାଧାରଣ ର୍ନିର୍ବାଚନ ପାଇଁ ଏହା ଆହୁରି କ୍ଷତିକାରର ହେବ ଏଥିରେ ସନ୍ଦେହ ନାହିଁ। (ଫଟୋ ସୌଜନ୍ୟ – ଇଂ ଅନିମେଶ)

Leave a Reply

Your email address will not be published. Required fields are marked *