ଭୁବନେଶ୍ୱର, ତା ୭ା୨ (ଓଡ଼ିଆ ପୁଅ) : ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନରେ ବିଜେପି ଦଳ ପାଇଁ ପ୍ରଚାରରେ ଆସୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ବିରୋଧ କରି ଆଜି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାନଦୀର ଉପର ମୁଣ୍ଡରେ ଦେଶର ଆଇନ୍ କାନୁନ୍କୁ ଜଳାଞ୍ଜଳି ଦେଇ ଘରୋଇ ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ ଛତିଶଗଡ଼ ସରକାର ଯେଉଁ ବେଆଇନ୍ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ କରୁଛନ୍ତି, ଏହା ଓଡ଼ିଶାକୁ ମରୁଭୂମିରେ ପରିଣତ କରିବ। ବାରମ୍ବାର ପ୍ରତିବାଦ ସତ୍ତ୍ୱେ ରମଣ ସିଂହଙ୍କ ସରକାର ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣରୁ କ୍ଷାନ୍ତ ହେଉନାହାଁନ୍ତି। ତେଣୁ ବିଜେପୁର ଉପନିର୍ବାଚନରେ ତାଙ୍କର ପ୍ରଚାରକୁ ସମାଜବାଦୀ ପାର୍ଟି ଘୋର ବିରୋଧ କରାଯିବ ବୋଲି ପ୍ରକାଶ କରାଯାଇଛି। ମାଟି ଆଗ, ପାର୍ଟି ପଛ ବୋଲି କହୁଥିବା ବିଜେପି ଦଳ ରମଣ ସିଂହଙ୍କୁ ବିଜେପୁର ଉପନିର୍ବାଚନ ପ୍ରଚାରରେ ସାମିଲ୍ କରିବା, ଏହି ଦଳର ଦୋମୁହାଁ ନୀତିର ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଆଜି ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେବା ସହିତ ରମଣ ସିଂହଙ୍କର ଓଡ଼ିଶା ବିରୋଧି ପଦକ୍ଷେପ ଯୋଗୁଁ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସତର୍କ କରାଇ ଦିଆଯାଇଛି ଯେ, ଏହି କାର୍ଯ୍ୟକ୍ରମ ସତ୍ତ୍ୱେ ଯଦି ରମଣ ସିଂହ ବିଜେପୁର ନିର୍ବାଚନକୁ ଆସନ୍ତି ତା’ହେଲେ ସମାଜବାଦୀ ପାର୍ଟି କଳାପତାକାରେ ରମଣ ସିଂହଙ୍କୁ ସ୍ୱାଗତ କରିବ। ବିଜେପୁରର ସଚେତନ ଭାଇଭଉଣୀମାନଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ବିନମ୍ର ନିବେଦନ କରାଯାଇ କୁହାଯାଇଛି ଯେ, ସେମାନେ ରମଣ ସିଂହଙ୍କ ନିର୍ବାଚନ ପ୍ରଚାରକୁ ବର୍ଜନ କରନ୍ତୁ। ପାର୍ଟିର ରାଜ୍ୟସଭାପତି ରବି ବେହେରା ଆହୁରି କହିଛନ୍ତି ଯେ, ମହାନଦୀ ଓ ଇବ୍ ନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବ୍ୟାରେଜ୍ ଓ ଡ୍ୟାମ ଯୋଗୁଁ ଅର୍ଦ୍ଧାଧିକ ଓଡ଼ିଶା ମରୁଭୂମିରେ ପରିଣତ ହେବ। ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଂକଟ ଦେଖାଦେବା ସହିତ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେବ। ତେଣୁ ତୁରନ୍ତ ରମଣ ସିଂହ ମହାନଦୀ ଉପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖନ୍ତୁ, ତା’ନହେଲେ ବିଜେପୁର ବାସୀ ତାର ଉଚିତ୍ ଜବାବ ଦେବେ। ଏହି ବିକ୍ଷୋଭରେ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଚାଷୀନେତା ବିଜୟ ବେହେରା, ଯୁବନେତା ସମ୍ବିତ୍ ଦାସ, ପ୍ରଦୀପ ମିଶ୍ର, ସୁବ୍ରତ ଲେଙ୍କା, ସୁନୀଲ ମିଶ୍ର ପ୍ରଦୋଷ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ। ଓଡ଼ିଶା ବିରୋଧି ରମଣ ସିଂହ ଯଦି ଉପନିର୍ବାଚନ ପ୍ରଚାରରେ ଆଗାମୀ ଦିନରେ ଓଡ଼ିଶା ଆସନ୍ତି ତାହା ହେଲେ ବିଜେପୁର ବାସୀ ତାଙ୍କ ପ୍ରଚାର ସଭାକୁ ବର୍ଜନ କରିବାକୁ ସମାଜବାଦୀ ପାର୍ଟି ଆହ୍ୱାନ କରୁଛି।
