ବିଜେପି ନେତା ଶଶି ସାହୁଙ୍କ ଗିରଫ ଦାବିରେ ଭୁବନେଶ୍ୱର ପୋଲିସ କମିଶନରେଟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) – ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେୃତ୍ୱରେ ବିଜେପି ନେତା ଶଶି ସାହୁଙ୍କ ଗିରଫ ଦାବିରେ ଏକ ମୋଟର ସାଇକେଲ ର୍ୟାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଭୁବନେଶ୍ୱର ପୋଲିସ୍ କମିଶନରେଟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭ୍ରଷ୍ଟାଚାରୀ, ଦଳିତ ଆଦିବାସୀଙ୍କ ଜମି ହଡ଼ପକାରୀ ଏବଂ ଶିଶୁ ହତ୍ୟାକାରୀ ବିଜେପି ନେତା ଶଶି ସାହୁଙ୍କୁ ତୁରନ୍ତ ଗିରଫ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠା ପାଇଁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

ଶ୍ରୀ ମହାରଥି କହିଛନ୍ତି ଯେ ବିଜେପି ଦଳ ନେତୃତ୍ୱ ପାଇଁ ସ୍ୱଚ୍ଛତା ଓ ଉତ୍ତମ ବ୍ୟକ୍ତିତ୍ୱର ଆବଶ୍ୟକତା ଉପରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ବିଜେପି ଦଳରେ ଅସମାଜିକ ନେତା ରହିଛନ୍ତି। ଶିମୁଳିଆର ବିଜେପି ନେତା ତଥା ବିଧାନସଭା ନିର୍ବାଚନରେ ବିଜେପିର ସିମୁଳିଆ ବିଧାୟକ ପ୍ରାର୍ଥୀ ଶଶିଭୂଷଣ ସାହୁଙ୍କ କଳା ସାମ୍ରାଜ୍ୟର କାହାଣୀ ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି।

୧୯୮୦ ମସିହାରେ କଂଗ୍ରେସ ସରକାର କ୍ଷମତାସୀନ ହେବାପରେ ଭୂମିହୀନମାନଙ୍କୁ ଜମି ପ୍ରଦାନ ବ୍ୟବସ୍ଥା କରିଥିଲେ। ଏହି ସୂତ୍ରରେ ଭୁବନେଶ୍ୱର ସନ୍ନିକଟ ମେଣ୍ଢାଶାଳ ଗ୍ରାମ ପାଖରେ ଗଙ୍ଗାପାଟଣାରେ ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଜମି ଯୋଗାଇ ଦିଆଯାଇଥିଲା।

ଭୁବନେଶ୍ୱରର ପ୍ରସାରଣକୁ ଦୃଷ୍ଟିରେ ରଖି ଏହି ଲିଜ୍କୁ ବାତିଲ କରାଯାଇଥିଲା ହେଲେ ଶଶି ସାହୁ ବିଜେଡ଼ି ସରକାରର ସହାୟତାରେ ଏବଂ ସ୍ଥାନୀୟ ବିଜେଡି ନେତାଙ୍କ ସହଯୋଗରେ ଚଞ୍ଚକତା କରି ଏହି ଜମିକୁ ହାତେଇଥିଲେ। ସ୍ଥାନୀୟ ରାଜସ୍ୱ ନରିକ୍ଷରକଙ୍କ କାର୍ଯ୍ୟାଳୟରେ ଏହି ଜମି ହସ୍ତାନ୍ତର ପାଇଁ ବ୍ୟାପକ ଅନିୟମିତତାର ପନ୍ଥା ଅବଲମ୍ବନ କରାଯାଇଛି। ଶଶି ସାହୁ ଅର୍ଥବଳରେ ସରକାରୀ କଳର ମୁଁହ ବନ୍ଦକରିବାକୁ ସମର୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଶିଶିସାହୁ କେଉଁଝର ଜିଲାର ଠାକୁରମୁଣ୍ଡା ଅଞ୍ଚଳରୁ ଜନୈକ ଆଦିବାସୀ ନାବାଳକକୁ ଆଣି ସେହି ଜମିରେ ବଳି ଦେବାର ଅଭିଯୋଗ ହୋଇଛି ଏବଂ ସମ୍ବାଦପତ୍ର “ବଜ୍ରକୀଳା” ଏବଂ “କଳିଙ୍ଗ ଖବର”ରେ ମଧ୍ୟ ଏ ଖବର ପ୍ରକାଶିତ ହୋଇଛି। ବଳିଦେବାର ଉଦ୍ଦେଶ୍ୟ ହେଲା ଅନ୍ଧବିଶ୍ୱାସରେ ପଡ଼ି ବିଧାନସଭା ନିର୍ବଚନରେ ଟିକେଟ ହାସଲ କରିବା। ବଳି ପଡ଼ିଥିବା ନାବାଳକ ସ୍କୁଟି ଧକ୍କାରେ ମରିଛି ବୋଲି ମିଛରେ ଦର୍ଶାଯାଇଛି। ଚନ୍ଦକା ଥାନାରେ ଏ ସଂପର୍କରେ ଏକ ଏତଲା ଦରଜ ହୋଇଥିଲା। ମାତ୍ର ଚନ୍ଦକା ଥାନାକୁ ଶଶି ସାହୁ ଆପ୍ୟାୟିତ କରି ଘଟଣାକୁ ଚପାଇ ଦେବାକୁ ସମର୍ଥ ହୋଇଛନ୍ତି। ପୋଷ୍ଟମର୍ଟମର ରିପୋର୍ଟକୁ ମଧ୍ୟ ପ୍ରଭାବିତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଘଟଣାର ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ। ଅନ୍ଧବିଶ୍ୱାସର ବଶବର୍ତ୍ତୀହୋଇ ସଂମ୍ପୃକ୍ତ ବିଜେପି ନେତା କେତେ ଘୃଣ୍ୟ କାର୍ଯ୍ୟକରିପାରନ୍ତି ତାହା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅନ୍ୟପକ୍ଷରେ ଶଶି ସାହୁ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଏବଂ ସେ ସିବିଆଇ ତଦନ୍ତର ସମ୍ମୁଖିନ ହୋଇଛନ୍ତି। ସାଧାରଣ ଜନତାଙ୍କର ଚିଟଫଣ୍ଡରେ ଜମା ଅର୍ଥରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଏଭଳି ଏକ ଭ୍ରଷ୍ଟାଚାରୀ ଲୋକଙ୍କୁ ବିଜେପି ସିମୁଳିଆରେ ନେତୃତ୍ୱଦେବା ଏକ ଲଜ୍ଜାକର ଘଟଣା। ବର୍ତ୍ତମାନ ଶଶି ସାହୁଙ୍କ ବିରୁଦ୍ଧରେ ହୋଇଥିବା ସିବିଆଇ ତଦନ୍ତ କ’ଣ ପାଇଁ ଚାପି ଦିଆଯାଇଛି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗଙ୍ଗାପାଟଣା ଜମିରେ ହୋଇଥିବା ନରବଳି, ଆଦିବାସୀ / ଦଳିତଙ୍କ ଜମିହଡ଼ପ ଘଟଣାର ସିବିଆଇ ତଦନ୍ତ / ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଶଶି ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ କରିବାକୁ ଶ୍ରୀ ମହାରଥି ଦାବି ଜଣାଇଛନ୍ତି। ଶଶି ସାହୁଙ୍କ ଭଳି ଜଣେ ଅସମାଜିକ ବ୍ୟକ୍ତିଙ୍କୁ ସିମୁଳିଆରେ ବିଜେପି ଦଳ ବିଧାୟକ ପ୍ରାର୍ଥୀକରି ଥିବାରୁ ବିଜେପିର ସ୍ୱଚ୍ଛତା ଉପରେ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ବୋଲି ଶ୍ରୀ ମହାରଥି କହିଛନ୍ତି। ଗଙ୍ଗାପାଟଣାର ଆଦିବାସୀ ଓ ଦଳିତ ଲୋକଙ୍କର ଜମି ଫେରସ୍ତ ସହ ଶଶୀ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିିସି ସଭାପତି ଶ୍ରୀ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମଲୋଚନ ପଣ୍ଡା, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗଦେଇ ଏହି ଭ୍ରଷ୍ଟାଚାରୀ ବିଜେପି ନେତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ, ନୀଳମାଧବ ପଣ୍ଡା, ରଞ୍ଜିତ ପାତ୍ର ୟାସିର ନୱାଜ, କୃଷ୍ଣ ମହାନ୍ତି, ଆଲୋକ ଲେଙ୍କା, ସଂକୁନା କହଁର, ବଳରାମ ନନ୍ଦ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ବିରଞ୍ଚି ବାରିକ, ଦେବାଶିଷ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *