ଓଡ଼ିଶା

ବିଜେପି ନେତା ତୁଷାର ଜେନାଙ୍କ ବନ୍ଧୁ ମିଳନ ୨୦୧୯ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ତୁଷାର, ୩୬ ପଞ୍ଚାୟତ ୩୦ ୱାର୍ଡର ହଜାର ହଜାର ଶୁଭେଚ୍ଛୁ ସାମିଲ ଭଦ୍ରକ ବିଧାନସଭା ମଣ୍ଡଳୀ ସ୍ତରୀୟ ନେତାଙ୍କୁ ନିମନ୍ତ୍ରଣ ନହେବା ନେଇ ସମର୍ଥକଙ୍କ ତୁମୂଳ କାଣ୍ଡ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ତୁଷାରକାନ୍ତି ଜେନା ଭଦ୍ରକ ନୂଆବଜାର ସ୍ଥିତ ଦ୍ରୌପଦୀ କଲ୍ୟାଣ ମଣ୍ଡପରେ ଏକ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଥିଲେ। ଏଥିରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ତଥା ଭଦ୍ରକ ବ୍ଲକର ୩୬ ପଞ୍ଚାୟତ ଓ ଭଦ୍ରକ ପୌରପାଳିକାର ୩୦ଟି ୱାର୍ଡରୁ ହଜାର ହଜାର ତୁଷାରଙ୍କ ଶୁଭେଚ୍ଛୁ ଯୋଗ ଦେଇଥିଲେ। ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଜଣେ ଦକ୍ଷ ନେତାଙ୍କୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଭାବେ ତୁଷାରଙ୍କୁ ମଇଦାନରେ ଠିଆ କରାଯିବାର ମୂଳଦୁଆ ଦିଆଗଲା ବୋଲି ପରୋକ୍ଷ ମତ ପ୍ରକାଶ ପାଇଥିଲା। ଶ୍ରୀ ଜେନାଙ୍କ ଆବାହକତ୍ୱ ଓ ସଭାପତିତ୍ୱରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବରେ ବିଜେପି କେନ୍ଦ୍ରୀୟ ପ୍ରଶିକ୍ଷଣବର୍ଗ ପ୍ରକୋଷ୍ଠ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ବିଜେପିର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ମୁରଲୀ ମନୋହର ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନବନ୍ଧୁ ପତି, ରାଜ୍ୟ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ଅନିଲ ଧିର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅକ୍ଷୟ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ବିଶ୍ୱିଜତ୍ ବେହେରା, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବାସୁଦେବ ବାରିକ ପ୍ରମୁଖ ମଞ୍ଚାଶୀନ ହୋଇ ବକ୍ତବ୍ୟରେ ରାଜ୍ୟରେ ଆଗାମୀ ଦିନରେ ବିଜେପି ଶାସନ କ୍ଷମତାକୁ ଆସିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି। ଏହିଭଳି ସମୟରେ ବିଜେପି ଘରେ ଶୋଇଲେ ପୁଣି ଦଳ ବହୁ ପଛକୁ ପଛେଇ ଯିବ। ସେଥିଲାଗି ଏବେଠାରୁ ରାତି ଦିନକୁ ଏକ କରି ସଂଗଠନକୁ ଶକ୍ତିଶାଳୀ କରିବାକୁ ହେବ। ହତୋତ୍ସାହିତ ହୋଇ ପଡି ସୁପ୍ତ ଭାବେ ରହିଥିବା କର୍ମୀମାନେ ଏବେ ଜାଗ୍ରତ ହୋଇଛନ୍ତି। ଦଳ ଆଉ ପଛକୁ ଚାହିଁବ ନାହିଁ। ସେଥିଲାଗି ଜଣେ ଦକ୍ଷ ନେତାର ଆବଶ୍ୟକତା ରହିଛି। ସେହି ଦକ୍ଷ ନେତା ତୁଷାରକାନ୍ତି ଜେନାଙ୍କୁ ସମସ୍ତ ପ୍ରକାରର ସହଯୋଗ କରି ଦଳକୁ ମଜବୁତ କରିବାକୁ ନେତୃମଣ୍ଡଳୀ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ଆଇନଜୀବୀ କାହ୍ନୁ ଚରଣ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୃଷକମୋର୍ଚ୍ଚାର ରାଜ୍ୟ ସଂଯୋଜକ ରଘୁନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ କାଉନସିଲର ଘାଉଲି ଯେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାକର ଧଳ, ସତ୍ୟ ମହାନ୍ତି, ଗତିକୃଷ୍ଣ ମହାନ୍ତି, ମୁକ୍ତିକାନ୍ତ ବାରିକ, ସମୀର ଗୋସ୍ୱାମୀ, ମୁନା ସିଂ, ଅମୀୟ ନାୟକ, ରାଜୀବ ଦାସ, ବିଜୟ ସେଠୀ, ଏନାମୁଲ ହକ୍, ଅଲେଖ ଦାସ, ସମୀର ଜେନା, ରମାକାନ୍ତ ମିଶ୍ର, ଲକ୍ଷ୍ମୀଧର ରାଉତ, ରଞ୍ଜନ ବଳ, ଶ୍ରବଣ ପତି, ଦେବରାଜ ପାତ୍ର, ବିଜୟ ସାହୁ, ଜୟନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଶ୍ରୀ ଜେନାଙ୍କ ଏହି ବନ୍ଧୁମିଳନ ଉତ୍ସବ ଆରମ୍ଭ ସମୟରେ ଭଦ୍ରକର ବିଧାନସଭା ମଣ୍ଡଳୀ ସ୍ତରୀୟ ନେତା ଡ. ପ୍ରଦୀପ ନାୟକଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାନଯିବା ନେଇ ତାଙ୍କର ସମର୍ଥକ ମାନେ ଭଦ୍ରକର ବିଜେପି ନେତା ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ କଲ୍ୟାଣ ମଣ୍ଡପ ସମ୍ମୁଖରେ ହଟଗୋଳ କରିଥିଲେ। ଏପରିକି ଉପସ୍ଥିତ ଥିବା ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ କିଛି ସମୟ ଧରି ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଶ୍ରୀ ଜେନାଙ୍କ ସମର୍ଥକମାନେ ଡ. ନାୟକଙ୍କ ସମର୍ଥକମାନଙ୍କୁ କଲ୍ୟାଣ ମଣ୍ଡପ ଭିତରକୁ ନଛାଡି ଗେଟ୍ ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଡ. ନାୟକ ସେଠାରେ ପହଞ୍ଚି ସଭାସ୍ଥଳକୁ ନଯାଇ ବାହାରେ କିଛି ସମୟ ବସିରହିବା ମଧ୍ୟରେ ନିଜ ସମର୍ଥକମାନଙ୍କୁ ସଭା ସ୍ଥଳକୁ ଛଡାନଯିବାରୁ ସେ ସ୍ଥାନ ପରିତ୍ୟାଗ କରିଥିବାର ଦେଖାଯାଇଥିଲା। ଏହାପରେ ସଭାର ପରିସମାପ୍ତି ପରେ ଅତିଥି ଭାବେ ଆସିଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାଉତ, ଓ ବିଜେପିର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶର୍ମାଙ୍କ ଗାଡିକୁ ଡ. ନାୟକଙ୍କ ଶୁଭମ୍ ହସ୍ପିଟାଲ ନିକଟରେ ତାଙ୍କର ସମର୍ଥକମାନଙ୍କ ଦ୍ୱାରା ପ୍ରାୟ ୪୦ ମିନିଟ୍ ଧରି ଅଟକ ରଖାଯାଇଥିଲା। ଏପରିକି ପ୍ରବଳ ଖରାରେ ଉଭୟ ପକ୍ଷର ଦୁଇଗୋଷ୍ଠୀ ମଧ୍ୟରେ ଦୀର୍ଘସମୟର ଏହି ଉତ୍ତେଜକ ପରିସ୍ଥିତିରେ ଡ. ନାୟକଙ୍କ କେତେକ ସମର୍ଥକ ଠେଙ୍ଗାବାଡି ଧରି ଉଦଣ୍ଡ ନୃତ୍ୟ କରିଥିବାର ଦେଖାଯାଇଥିଲା। ପରେ ବିଜେପି ନେତା ଶ୍ରୀ ଜେନା ଓ ଶ୍ରୀ ସାହୁ ସେଠାରେ ପହଞ୍ଚି ପରିସ୍ଥିତିକୁ ସୁଧାରିବାର ପ୍ରୟାସ କରିଥିଲେ ମଧ୍ୟ ଡ. ନାୟକଙ୍କ ସମର୍ଥକମାନେ ଡ. ପ୍ରଦୀପ ନାୟକ ଜିନ୍ଦାବାଦ ଓ ତୁଷାର ଜେନା ମୁର୍ଦାବାଦ୍ ଧ୍ୱନି ଦେଇ ଉପରୋକ୍ତ ନେତାଙ୍କ ଗାଡିକୁ ଛାଡିବାକୁ ଦେଇନଥିଲେ। କେତେକ ସମର୍ଥକ ଗାଡି ସମ୍ମୁଖରେ ବସିଯାଇଥିବାର ଦେଖାଯାଇଥିଲା। ଦୀର୍ଘ ସମୟର ହଟଗୋଳ ପରେ ଡ. ନାୟକଙ୍କ ସମର୍ଥକମାନେ ଅଟକ ଥିବା ୨ଟି ଗାଡିକୁ ଛାଡିଥିବାର ଦେଖାଯାଇଥିଲା। ଏ ସଂପର୍କରେ ଶ୍ରୀ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଉତ୍ସବ ପବିତ୍ର ରଜରେ ତାଙ୍କର ବ୍ୟକ୍ତିଗତ ବନ୍ଧୁମିଳନ ଥିବାର ଦର୍ଶାଇ ଏହା କୌଣସି ଦଳୀୟ କର୍ମୀ ସମାବେଶ କିମ୍ବା ସଭା ହୋଇନଥିବାରୁ ଏଭଳି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ବୋଲି ସୂଚାଇଥିଲେ। ଏବଂ ତାଙ୍କର ସୁଖଦୁଃଖରେ ଦଳମତ ନିର୍ବିଶେଷରେ ସହଯୋଗ କରିଥିବା ବନ୍ଧୁମାନଙ୍କୁ ସେ ଏହି ଉତ୍ସବରେ ଏକତ୍ରିତ କରିବାର ଏକମାତ୍ର ଲକ୍ଷ୍ୟ ବୋଲି କହି ବିନା ନିମନ୍ତ୍ରଣରେ ଯେଉଁମାନେ ଗଣ୍ଡଗୋଳ କରିବା ଲକ୍ଷ୍ୟ ନେଇ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି କଲେ, ତାହା ମାନବିକତାର ପରିପନ୍ଥୀ ନୁହେଁ ବୋଲି କହିଥିଲେ। ଅପରପକ୍ଷରେ ବିଜେପିର ବ୍ୟାନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରୀୟ ବିଜେପି ନେତାଙ୍କ ଫଟୋଚିତ୍ର ଥାଇ ଭଦ୍ରକ ବିଧାନସଭା ମଣ୍ଡଳୀରେ ବନ୍ଧୁମିଳନ ଆଳରେ ଆୟୋଜିତ ଉତ୍ସବକୁ ଶ୍ରୀ ଜେନା ଦଳର କୌଣସି ମଣ୍ଡଳସ୍ତରୀୟ ନେତା ଓ କର୍ମୀଙ୍କୁ ନିମନ୍ତ୍ରଣ ନକରିବା ଦୁର୍ଭାଗ୍ୟ ଜନକ ବୋଲି କହି ଯେଉଁସବୁ ଅପ୍ରିତିକର ଘଟଣା ଘଟିଗଲା, ସେଥିପାଇଁ ଶ୍ରୀ ଜେନାଙ୍କୁ ଦାୟୀ କରିଛନ୍ତି। ତେବେ ବିଜେପି ଭଳି ଗୋଟିଏ ଦଳର ଦୁଇଗୋଷ୍ଠୀଙ୍କ ଏଭଳି ହୀନ କାର୍ଯ୍ୟକୁ ବହୁ ରାଜନୈତିକ ପର୍ଯ୍ୟବେକ୍ଷକ ନିନ୍ଦା କରିବା ସହ ଏହା ଆଗାମୀ ନିର୍ବାଚନ ଦୃଷ୍ଟିରୁ ଆଦୌ ଶୁଭଙ୍କର ନୁହେଁ ବୋଲି ସୂଚାଇଛନ୍ତି। ଏବଂ ଏହା “ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା” ସଦୃଶ ବୋଲି କଟାକ୍ଷ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top