ଓଡ଼ିଶା

ବିଜେପି ଓ ବିଜେଡିକୁ ବିଜେପୁରବାସୀ ଉଚିତ୍ ଜବାବ ଦେବେ – ପ୍ରସାଦ

– ରମଣ ସିଂ ବିଜେପୁର ଆସିବା ପୂର୍ବରୁ ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ବେନିୟମ ଭାବରେ ନିର୍ମାଣାଧିନ ସମସ୍ତ ବନ୍ଧ ଓ ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରନ୍ତୁ।
– ରାଧାମୋହନ ସିଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଓଡିଶାର ଦାବି ମୁତାବକ ୨୯୨୦ ଟଙ୍କାକୁ ବୃଦ୍ଧି କରିବା ସହ ଜାତୀୟକରଣ ବ୍ୟାଙ୍କମାନଙ୍କରେ ଥିବା ଓଡିଶାର ଚାଷୀମାନଙ୍କର କୃଷିଋଣକୁ ଛାଡ କରି ବିଜେପୁର ଆସନ୍ତୁ।
– ନୂତନ ରେଳ ବଜେଟ୍ରେ ଆଗରୁ ଘୋଷଣା କରାଯାଇଥିବା ବରଗଡ – ନୂଆପଡା ରେଳପଥ ପ୍ରକଳ୍ପ କୁଆଡେ ଗଲା?
– ନବୀନ ପଟ୍ଟନାୟକ ସମବାୟ ବ୍ୟାଙ୍କମାନଙ୍କରେ ଥିବା ସମସ୍ତ କୃଷିଋଣ ଛାଡ କରି ବିଜେପୁର ଯାଆନ୍ତୁ। ସେହିପରି ନବୀନ ବାବୁ ଦୁଇବର୍ଷ ତଳେ ସୋହେଲା ଠାରେ କୃଷକମାନଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ୍ କୁଆଡେ ଗଲା?

ଭୁବନେଶ୍ୱର ତା ୭.୨ (ଓଡ଼ିଆ ପୁଅ) – କଂଗ୍ରେସ କର୍ମୀମାନଙ୍କ ତ୍ୟାଗ ଏବଂ ପ୍ରଚେଷ୍ଟା ଫଳରେ ଦୀର୍ଘ ଦିନ ଧରି ବିଜେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଖଲରେ ରହିଆସିଛି। ବିଜେପି ଏବଂ ବିଜେଡି ଅର୍ଥ, ବାହୁବଳ ଏବଂ ଶାସନକଳର ଅପବ୍ୟବହାର କରୁଥିଲେ ମଧ୍ୟ ବିଜେପୁର ଉପନିର୍ବାଚନ ପାଇଁ ନିଜ ଦଳ ମଧ୍ୟରୁ ପ୍ରାର୍ଥୀ ଯୋଗାଡ କରିବାରେ ସମର୍ଥ ହେଲେ ନାହିଁ, ସେମାନଙ୍କୁ ପ୍ରାର୍ଥୀ ଆମଦାନୀ କରିବାକୁ ପଡିଲା। ଓଡିଶାର କ୍ଷତି କରି ଚାଲିଥିବା ବିଜେପି ଓ ବିଜେଡି କଳେବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରୁଛନ୍ତି। କେବଳ ପ୍ରତିଶ୍ରୁତିର ପାହାଡ ତିଆରି କରୁଥିବା ବିଜେପି ଓ ବିଜେଡି ଦଳକୁ ବିଜେପୁରବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ସମସ୍ତ ସୂଚନା ମିଳି ସାରିଲାଣି।

ବିଜେପି ଏହି ଉପନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ତାରକା ପ୍ରଚାରକ ହିସାବରେ ବିଜେପୁର ଆଣୁଛି। ଏମାନଙ୍କ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଏବଂ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ରହିଛନ୍ତି। ରମଣ ସିଂ ପ୍ରଚାର କାର୍ଯ୍ୟକ୍ରମରେ ବିଜେପୁର ଆସିବା ପୂର୍ବରୁ ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ବେନିୟମ ଭାବରେ ନିର୍ମିତ ହେଉଥିବା ସମସ୍ତ ବନ୍ଧ ଓ ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଆସନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି। ଛତିଶଗଡ ବିଜେପିର ଏହି ମନୋମୁଖୀ କାର୍ଯ୍ୟ ଫଳରେ ଓଡିଶାର କୃଷି ଏବ କୃଷକମାନେ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ। ରାଧାମୋହନ ସିଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଓଡିଶାର ଦାବି ମୁତାବକ ୨୯୨୦ ଟଙ୍କାକୁ ବୃଦ୍ଧି କରି ଏବଂ ଜାତୀୟକରଣ ବ୍ୟାଙ୍କମାନଙ୍କରେ ଥିବା ଓଡିଶାର ଚାଷୀମାନଙ୍କର କୃଷିଋଣକୁ ଛାଡ କରି ଆସନ୍ତୁ। ସେହିପରି ସ୍ମୃତି ଇରାନୀ ମଧ୍ୟ ଓଡିଶାର ବୁଣାକାରମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଜିଏସ୍ଟି ଛାଡ କରି ଆସନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ନୂତନ ରେଳ ବଜେଟ୍ରେ ଆଗରୁ ଘୋଷଣା କରାଯାଇଥିବା ବରଗଡ – ନୂଆପଡା ରେଳପଥ ପ୍ରକଳ୍ପ କୁଆଡେ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହି ଉପନିର୍ବାଚନ ଉପଲକ୍ଷେ ବିଜେପୁର ନିର୍ବାଚନ ମଣ୍ଡଳୀ ବିଜେଡିର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କର ଦ୍ୱିତୀୟ ବାସସ୍ଥାନରେ ପରିଣତ ହୋଇଯାଇଥିବା ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇବର୍ଷ ତଳେ ସୋହେଲା ଠାରେ କୃଷକମାନଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ୍ କୁଆଡେ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଘୋଷଣା ଅନୁଯାୟୀ ମିଳିବାକୁ ଥିବା ୨୦୦ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଦଳ ଏବଂ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ପ୍ରତିଶ୍ରୁତିବଦ୍ଧ। ଏହା ଆଗାମୀ ଦିନମାନଙ୍କରେ ପ୍ରତିପାଦିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top