ବିଜେପିର ଲଟକା ଜାରୀ

କୋରାପୁଟ ୨୩-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସହରାଂଚଳ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଥିବା ପ୍ରତିବାଦରେ କୋରାପୁଟ ନଗର ବିଜେପି ପକ୍ଷରୁ ସୋମବାର ପୌର କାର୍ଯ୍ୟାଳୟରେ ଲଟକା ଜାରୀ କରା ଯାଇଛି। ନଗର ସଭାପତି ଜି.ସଂଜୀବ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଉପ-ଜିଲାପାଳ କାର୍ଯ୍ୟାଳୟ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରକ୍ରମା କରି ପୌର କାର୍ଯ୍ୟାଳୟରେ ପହଂଚି ନିର୍ବାହି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟ ସରକାର ବିରୁଦ୍ଧରେ ଲେଖାଥିବା କାଗଜକୁ ଅଫିସ କାନ୍ଥରେ ମାରିଥିଲେ। ୧୮ବର୍ଷ ଶାସନ କାଳରେ ସହରାଂଚଳର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା, ବର୍ଯ୍ୟ ବସ୍ତୁ ପରିଚାଳନାରେ ବିଫଳ, ସହରାଂଚଳରେ ରାସ୍ତାଘାଟ ବିଜୁଳୀ, ଜଳ ଯୋଗାଣରେ ବିଫଳ, ସହରାଂଚଳର ଗରିବ ଲୋକଙ୍କୁ ଘର ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୨ରେ ଆଣିଥିବା ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ୍ ଡ୍ୱେଲର ଏଣ୍ଡ୍ ପ୍ରିଭେନସନ ଅଫ ନ୍ୟୁ ସ୍ଲମ୍ ବିଲ କାର୍ଯ୍ୟକାରୀ ନକରିବା ବିଷୟକୁ ବିଜେପି କଡା ସମାଲୋଚନା କରିଛି। ୨୦୧୪ରେ କ୍ୟାବିନେଟ ମଂଜୁରୀ ଦେଇଥିବା ସହରର ଗରିବ ଲୋକଙ୍କୁ ଜମି ସହ ପକ୍କା ଘର ଦେବା କାର୍ଯ୍ୟକ୍ରମ ମଧ୍ୟ ସରକାର ପୂରଣ କରିନଥିବା ଲଟକାରେ ସୂଚୀତ କରା ଯାଇଛି। ସେହିପରି କୋରାପୁଟ ପୌର ପରିଷଦର କେତେକ ସମସ୍ୟାର ସମାଧାନ ନିମନ୍ତେ ପୌର ନିର୍ବାହି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସହରର ଆମିଷ ବଜାରରେ ନିୟମିତ ଯାଂଚ, ମଶା ଦୂରୀକରଣ ନିମନ୍ତେ ନିୟମିତ ଧୁଆଁ ପ୍ରୟୋଗ, ବିଦ୍ୟୁତ ଲାଇନ ନିକଟ ଗଛର ଡାଳ କଟା ଯିବା, ସହର ବିଭିନ୍ନ ଛକରେ ମହିଳା ଓ ପୁରୁଷଙ୍କ ନିମନ୍ତେ ପରିଶ୍ରାଗାର ନିର୍ମାଣ ଓ ବାସଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରା ଯାଇଛି। ଦୁଇ ସପ୍ତାହ ମଧ୍ୟରେ ବିଜେପି ଦେଇଥିବା ଦାବି ଗୁଡିକ ପୌର କର୍ତୂପକ୍ଷ ପୂରଣ ନକଲେ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆ ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଭାପତି ବିଜୟ ମିଶ୍ର, ବିଜେପି ନେତା ଘନଶ୍ୟାମ ଟାକ୍ରୀ, ଜୟରାମ ଗରଡା, ରାଜ କିଶୋର ସାମନ୍ତରାୟ.ସୁମନ୍ତ ପ୍ରଧାନ, ସନ୍ତୋଷ ମହାପାତ୍ର, ତ୍ରିନାଥ ପଣ୍ଡା, ବିଜୟ କୁମାର ଦଳେଇ.ସନ୍ତୋଷ ଦାସ, ଅଶ୍ୱିନୀ ପଟ୍ଟନାୟ.ସିଦ୍ଧାର୍ଥ ଶଙ୍କର ମୁଦୁଲି, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *