ବିଜେପିର ମିଶ୍ରଣ ପର୍ବ: ଧର୍ମେନ୍ଦ୍ର ପଚାରି ଥିବା ପ୍ରଶ୍ନର ଉତ୍ତର ରଖିବ କିଏ ?

ଭୁବନେଶ୍ୱର ୨୦-୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆଜି ଅନୁଷ୍ଠିତ ହୋଇଥିଲା ଓଡିଶା ବିଜେପିର ମହା ମିଶ୍ରଣ ପର୍ବ। ଏଥିରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂ ତାଙ୍କ ଶତାଧିକ କର୍ମୀଙ୍କ ସହିତ ଯୋଗ ଦେଇଥିଲେ। ତତ୍ ସହିତ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଦୁଇ ଆଗ ଧାଡିର କଳାକାର ମିହିର ଦାସ ଓ ଅନୁ ଚୌଧୁରୀ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଏହା ନିଶ୍ଚିତ ଭାବରେ ଧର୍ମେନ୍ଦ୍ରଙ୍କର ଗୋଟାଏ ମାଷ୍ଟର ଷ୍ଟ୍ରୋକ୍ ଥିଲା। ଓଡିଶାରେ ଚଳଚିତ୍ର ଜଗତର କଳାକାରଙ୍କୁ ରାଜନିତୀରେ ଭର୍ତ୍ତି କରିବାର ପରମ୍ପରା ଯଦିଓ ଆଗରୁ ଥିଲା ମାତ୍ର ୨୦୦୯ ମସିହାରେ ବିଜେଡି ଏହି ପରମ୍ପରାକୁ ତ୍ୱରାନ୍ୱିତ କରିଥିଲା। ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ମୁନା ଖାଁ, ଉତ୍ତମ ମହାନ୍ତି ଓ ଅରିନ୍ଦମ ରାୟ ଆଦି ଅନେକ ନାମିଦାମୀ କଳାକାର ଏବେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୧୪ ମସିହାରେ ମଧ୍ୟ ଅନେକ କଳାକାର ବିଜେଡିରେ ସାମିଲ ହୋଇଥିଲେ। ମିହିର ଦାସ ସେମାନଙ୍କ ମଧ୍ୟରୁ ଅନ୍ୟତମ। ମାତ୍ର ସେଠାରେ ତାଙ୍କର ସେପରି ପ୍ରାଧାନ୍ୟ ନ ରହିବାରୁ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଅନୁ ଚୌଧୁରୀ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଓଜନଦାର କଳାକାର। ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ବିଜେପିକୁ ଫାଇଦା ହେବ ଏଥିରେ ସନ୍ଦେହ ନାହିଁ। ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଥିଲେ। ଖଣି ଦୁର୍ନିତୀ ଠାରୁ ଆରମ୍ଭ କରି ଚିଟ୍ଫଣ୍ଡ ପର୍ଯ୍ୟନ୍ତ ଗୋଟି ଗୋଟି ଦୁର୍ନିତୀର ହିସାବ ମାଗିଥିଲେ ସେ। ତା ମଧ୍ୟରୁ ସେ ଗୋଟିଏ ରୋଚକ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ କହିଥିଲେ। ୨୦୦୧ ମସିହା ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଗୋଟିଏ ପଦକ୍ଷେପ ତାଙ୍କୁ ଓଡିଶା କାହିଁକି ସାରା ଭାରତ ବର୍ଷରେ ପ୍ରଶଂସିତ କରିଥିଲା। ତାହା ହେଉଛି ନିଜ ସରକାର ଗଠନ ହେବାର ଏକ ବର୍ଷରେ ଦୁର୍ନିତୀ ଅଭିଯୋଗରେ ନିଜ ମନ୍ତ୍ରୀମଣ୍ଡଳର ତିନି ସଦସ୍ୟଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା। ସେମାନେ ହେଲେ ସ୍ୱର୍ଗତ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦ। ଧର୍ମେନ୍ଦ୍ର ପୁଣି କହିଥିଲେ ନଳିନୀ ମହାନ୍ତି ଓ କମଳା ଦାସଙ୍କ ବହସ୍କାରର ରହସ୍ୟ ସମସ୍ତଙ୍କୁ ଜଣା। ମାତ୍ର ପ୍ରଶାନ୍ତ ନନ୍ଦଙ୍କ ବହିସ୍କାର କଣ ପାଇଁ ହୋଇ ଥିଲା ଏବଂ କେଉଁ କେଶ୍ ଉପରେ ହୋଇଥିଲା ତାହା ଆଜି ବୋଧ ହୁଏ ପ୍ରଶାନ୍ତ ନନ୍ଦ ସାମ୍ବାଦିକ ସମ୍ମିଳନୀ କରି କହି ପାରନ୍ତି।

ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଏହି ପ୍ରଶ୍ନର ଉତ୍ତର ପ୍ରଶାନ୍ଦ ନନ୍ଦ କାହିଁକି ଦେବେ ? ୨୦୦୦ ମସିହାରେ ରାଜ୍ୟରେ ବିଜେଡି ଓ ବିଜେପି ମିଳିତ ଭାବରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଥିଲେ। ପ୍ରଶାନ୍ତ ନନ୍ଦ ସେହି ସମୟରେ ବିଜେପିରେ ଥିଲେ। ଭାଗୁଆଳୀ ସରକାରରେ ସେ ବିଜେପି କୋଟାରେ ମନ୍ତ୍ରୀ ହୋଇଥିଲେ। ତାହା ପୁଣି ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ। ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ। ବିଜେଡି ବିଜେପି ସରକାରକୁ ଆସିବା ପାଇଁ ଗୋଟିଏ ସ୍ଳୋଗାନ ଦେଇଥିଲେ ସେହି ସମୟରେ। ତାହା ଥିଲା ଆମେ ରାଜ୍ୟକୁ ଗୋଟିଏ ଦୁର୍ନିତୀ ମୁକ୍ତ ସରକାର ଦେବୁ। ରାଜ୍ୟରୁ ଦୁର୍ନିତୀ ଲୋପ କରିବୁ। ତେଣୁ ସରକାରକୁ ଆସିବା ପରେ ଖୋଜା ପଡିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଭିଜିଲାନ୍ସ ଅନୁମୋଦନ ପାଇଁ କେଉଁ କେଉଁ ଫାଇଲ୍ ପଡିଛି। ତନ୍ମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଂଜିନିୟର ଇନ୍ ଚିଫ୍ ବିଚିତ୍ରାନ୍ଦ ମୁଦୁଲିଙ୍କ ଫାଇଲ୍ ସର୍ବାଗ୍ରେ ଥିଲା। ଏହି ଫାଇଲ୍ରେ ହଜାର ହଜାର କୋଟି ଟଙ୍କାର ଦୁର୍ନିତୀ ବାବଦରେ ଉଲ୍ଲେଖ ଥିଲା। କାଳବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଏହି ଫାଇଲ୍କୁ ଅନୁମୋଦନ କରିଥିଲେ। ସାରା ରାଜ୍ୟରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଅଫିସରେ ଭିଜିଲାନ୍ସ ରେଡ୍ ହେଲା। ବିଚିତ୍ରାନନ୍ଦ ମୁଦୁଲିଙ୍କ ଘର, ଅଫିସ, ସଂପର୍କୀୟ କାହାକୁ ଛାଡିଲେନି ଭିଜିଲାନ୍ସ କର୍ମଚାରୀ। ଠିକ୍ ସେହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଥିବା ପ୍ରଶାନ୍ତ ନନ୍ଦ କେଶ୍ଟିକୁ ଚପାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଭିଜିଲାନ୍ସ ବିଭାଗ ଉପରେ ଚାପ ପ୍ରୟୋଗ କରିଥିଲେ। ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନକୁ ଗଲା। ତାହା ମଧ୍ୟ ଶୁଣିବାକୁ ମିଳିଥିଲା ଏଥିପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଥିଲେ। ଏହି ଘଟଣା ବାବଦରେ ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନ ସଂପୂର୍ଣ୍ଣ ଭାବରେ ଅବଗତ ଥିଲେ। ତେଣୁ ପ୍ରଶାନ୍ତ ନନ୍ଦଙ୍କୁ ୨୦୦୧ ମସିହା ଘଟଣାର ପ୍ରଶ୍ନ ପଚାରିବା ଅର୍ଥ ବିଜେପିକୁ ପଚାରିବା ସହିତ ସମାନ। ଏବେ ପ୍ରଶାନ୍ତ ନନ୍ଦ ବିଜେଡିରେ ସାମିଲ ଅଛନ୍ତି। ତେଣୁ ବିଜେଡି ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ଦେବ ବୋଲି ଆଶା। ତା ଛଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଚିତ୍ରାନନ୍ଦ ମୁଦୁଲିଙ୍କ ଦୁର୍ନିତୀର କେଳେଙ୍କାରୀ କଂଗ୍ରେସ ସରକାରରୁ ଆରମ୍ଭ। ବିଚିତ୍ରାନନ୍ଦ ମୁଦୁଲି ଥିଲେ ତତ୍କାଳୀନ କଂଗ୍ରେସ ସରକାରର ଉପମୁଖ୍ୟମନ୍ତ୍ରୀ ଥିବା ବସନ୍ତ ବିଶ୍ୱାଳଙ୍କ ଖାସ୍ ଆନୁଗତ୍ୟ। ତେଣୁ ଭିଜିଲାନ୍ସ ତାଙ୍କ ଫାଇଲ୍ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଇଥିଲା। ମାତ୍ର ତାକୁ ଚପାଇ ରଖା ଯାଇଥିଲା। ତା ପରେ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ସ୍ୱଳ୍ପ କାଳ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ମଧ୍ୟ ଏହି ଫାଇଲ୍ ଖୋଲା ଯାଇ ନଥିଲା। ତେଣୁ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବ କିଏ ? କଂଗ୍ରେସ, ବିଜେଡି ନା ବିଜେପି।

Leave a Reply

Your email address will not be published. Required fields are marked *