ବିଜେଡି ବିଧାୟକଙ୍କ ଭୋଟ ପାଇଁ ପ୍ରଲୋଭନ ଦେବାର ଅଡିଓ ଟେପ ଜାରି କଲା ବିଜେପି

– ହିନ୍ଦୋଳ ବିଧାୟିକା ସିମାରାଣି ନାୟକ ଏବଂ ଛେଣ୍ଢିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ନାଁରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫୦ କୋଟିର ଡିଲ କରିଥିବାର ପୁର୍ବରୁ ଏକ ଅଭିଯୋଗ ରହିଛି
– ଏହି ଅଡିଓ ଟେପରେ ବିଧାୟକ ସୁଶାନ୍ତ ବେହେରା ନିଜେ ମଧ୍ୟ ମାନିଯାଇଛନ୍ତି କି ହିନ୍ଦୋଳ ବିଧାୟିକା ସିମାରାଣି ନାୟକ ଏବଂ ସେ ନିଜେ ସେହି ଅର୍ଥ ସେତେବେଳେ ଡିମାଣ୍ଡ କରିଥିଲେ
– ମୁଖ୍ୟମନ୍ତ୍ରୀଙ୍କର ସତସାହାସ ଥିଲେ ବିଧାୟକ ସୁଶାନ୍ତ ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

ଭୁବନେଶ୍ୱର, ତା.୦୧/୦୪ (ଓଡ଼ିଆ ପୁଅ) : ଆଗାମୀ ହିନ୍ଦୋଳ ଏନଏସି ନିର୍ବାଚନକୁ କଳେବଳେ ଏବଂ କୈାଶଳକ୍ରମେ ହାତେଇବାକୁ ଶାସକ ବିଜେଡି ଅର୍ଥ ଏବଂ ଦଳୀୟ ଟିକଟର ପ୍ରଲୋଭନ ଦେଉଥିବାର ଗୁରୁତର ଅଭିଯୋଗ ଆଣିଛି ରାଜ୍ୟ ବିଜେପି। ହିନ୍ଦୋଳ ଏନଏସି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳର ଛେଣ୍ଢିପଦା ବିଧାୟକ ସୁଶାନ୍ତ ବେହେରା, ହିନ୍ଦୋଳର ବିଜେପି ଯୁବ ନେତା ଶ୍ରୀ ଅଶୋକ ନାୟକଙ୍କୁ ପ୍ରଲୋଭିତ କରି ନିର୍ବାଚନରେ ବିଜୁ ଜନତା ଦଳକୁ ସାହାଯ୍ୟ କରିବା ପାଇଁ ଡିଲ କରୁଥିବାର ବାର୍ତ୍ତାଳାପ ଥିବାର ଏକ ଅଡିଓ ଟେପ ଉପସ୍ଥାପିତ କରିଛି ରାଜ୍ୟ ବିଜେପି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି, ପୂର୍ବରୁ ବିଧାୟକ ଶ୍ରୀ ବେହେରା ଏବଂ ବିଧାୟିକା ସୀମାରାଣି ନାୟକଙ୍କ ବିରୁଦ୍ଧରେ ଥିବା ଶିଳ୍ପ ପ୍ରତିଷ୍ଠା ପାଇଁ ୫୦ କୋଟି ଟଙ୍କାର ଲାଂଚ ମାଗୁଥିବାର ଅଭିଯୋଗକୁ ସ୍ୱୟଂ ବିଧାୟକ ଶ୍ରୀ ବେହେରା ଏହି ବାର୍ତ୍ତାଳପରେ ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଅଶୋକ ନାୟକଙ୍କ ପିତା ସ୍ୱର୍ଗତ ତ୍ରିନାଥ ନାୟକ ୩-୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ତକ୍ରାଳୀନ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। ସେହିପରି ତାଙ୍କ ଭଉଣୀ ତଥା ପୂର୍ବତନ ବିଧାୟିକା ଅଂଜଳି ବେହେରା ନବୀନ ପଟ୍ଟନାୟକଙ୍କ ସରକାରରେ ଗତ ଥର ମନ୍ତ୍ରୀ ହୋଇଥିଲେ। ତାଙ୍କ ମାଁ ଶ୍ରୀମତୀ ପାଟ ନାୟକ ମଧ୍ୟ ହିନ୍ଦୋଳ ଅଂଚଳରୁ ବିଦାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ଦିନ ଧରି ହିନ୍ଦୋଳ ଅଂଚଳରେ ଏହି ପ୍ରଭାବଶାଳୀ ପରିବାରର ଶ୍ରୀ ନାୟକ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପ୍ରତ୍ୟାଖାନ କରି କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଛନ୍ତି। ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡ ପାଇଁ ଶାସକ ବିଜେଡିର ୧୬ ଜଣ ବିଧାୟକ ଏବଂ ୧୬ ଜଣ ମନ୍ତ୍ରୀ ଦାୟୀତ୍ୱରେ ଅଛନ୍ତି। ୯ ନମ୍ବର ୱାର୍ଡର ବାସିନ୍ଦା ଶ୍ରୀ ନାୟକଙ୍କ ୱାର୍ଡ ପାଇଁ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା ଦାୟୀତ୍ୱରେ ଅଛନ୍ତି। ଶାସକ ବିଜୁ ଜନତା ଦଳର ପ୍ରମୁଖ ଆୟୁଧ ହେଉଛି ଟଙ୍କା ବଳ ଏବଂ ବନ୍ଧୁକ ବଳ। ଏହାକୁ ବ୍ୟବହାର କରି ଦଳ ନିର୍ବାଚନ ଜିତିବାର ଅପଚେଷ୍ଟା କରିଆସିଛି। ଶାସକ ବିଜେଡି ପ୍ରର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଧାୟକ ଶ୍ରୀ ବେହେରା, ଶ୍ରୀ ନାୟକଙ୍କୁ ପ୍ରଲୋଭିତ କରିଛନ୍ତି। ଏହା ସଂପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଯଦି ସତସାହାସ ଅଛି ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ଲାଂଚ ଯାଚୁଥିବା ବିଧାୟକ ସୁଶାନ୍ତ ବେହେରା ଏବଂ ଲାଂଚ ମାଗୁଥିବା ବିଧାୟିକା ସୀମାରାଣି ନାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଫୈାଜଦାରୀ ମକଦ୍ଦମା ଦାୟର କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏଭଳି ସଙ୍ଗୀନ ଅଭିଯୋଗର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

କିଛି ଦିନ ତଳେ ୭ ନମ୍ବର ୱାର୍ଡର ବିଜେପି କର୍ମୀ ବସନ୍ତ ପଣ୍ଡା ଏବଂ ମହିଳା ନେତ୍ରୀଙ୍କୁ ଶାସକ ବିଜେଡିର ଗୁଣ୍ଡାମାନଙ୍କ ମରଣାନ୍ତକ ଆକ୍ରମଣର ଦୃଷ୍ଟାନ୍ତ ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଆସନ୍ନ ପରାଜୟରେ ଭୟଭୀତ ହୋଇ ଶାସକ ବିଜେଡି ହିଂସାର ଆଶ୍ରୟ ନେବାକୁ ମଧ୍ୟ ପଛାଉ ନାହିଁ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଢେଙ୍କାନାଳ ଜିଲ୍ଲା ସଭାପତି ବିଭୁତି ପ୍ରଧାନ ଏବଂ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *