ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ୮ ଗିରଫ

ବ୍ରହ୍ମପୁର ୨୨-୯ (ଓଡ଼ିଆ ପୁଅ): ଛତ୍ରପୁର ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ (୩୫)ଙ୍କ ହତ୍ୟାକାଣ୍ଡ ଘଟଣାରେ ଆଠ ଜଣ ଆରୋପୀଙ୍କୁ ଆଜି ପୋଲିସ୍ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ ତିନିଟି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଖଡଗପୁରରୁ ଚାରି ଜଣଙ୍କୁ ଏବଂ ଓଡିଶାରୁ ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇଛି। ବହୁତ ଶିଘ୍ର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ନାୟକକୁ ମଧ୍ୟ ଗିରଫ କରାଯିବ।

ବିଶ୍ୱସନୀୟ ସୂତ୍ରରୁ ଜଣା ପଡ଼ିଛିଯେ, ତିନିମାସ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମିଶିଥିବା ଏହି ଘଟଣାର ମୁଖ୍ୟ ଆରୋପୀ କୃଷ୍ଣ ନାୟକ ଯୋଜନାବଦ୍ଧ ଭାବରେ ଏହି ଘଟଣାକୁ ଘଟାଇଥିଲା। ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଏବଂ ୨୦୧୪ ମସିହାରେ ହତ୍ୟା କରାଯାଇଥିବା ସିପିଆଇ ନେତା ସକୁରା ବେହେରାଙ୍କ ମଧ୍ୟରେ ଥିବା ପୂର୍ବ ଶତୃତା ଏହି  ହତ୍ୟାର ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଶୁକ୍ରବାରଦିନ ଏକ ପ୍ରେସ ସମ୍ମିଳନୀରେ ସଂବୋଧିତ କରି ଗଞ୍ଜାମ ଏସ୍ପି ଆଶିଷ ସିଂହ ପ୍ରକାଶ କରିଛନ୍ତିଯେ, ଯେଉଁ ୮ ଜଣଙ୍କୁ ଗିରଫ କରାଯାଇଛି  ସେମାନେ ହେଲେ ସୋନୁ ଏରଫ ପ୍ରଭାତ କୁମାର ନାୟକ, ସୁର୍ଯ୍ୟ କୁମାର ନାୟକ, ପ୍ରେମ କୁମାର ନାୟକ, ଏନ ଈଶ୍ୱର ରେଡ୍ଡୀ , କୁନା ନାୟକ, ଜତିନ କୁମାର ନାୟକ, ସୁଶିଳା ନାୟକ, ଏବଂ ପ୍ରଶାନ୍ତ ସ୍ୱାଇଁ।

ଏସ୍ପି ଆଶିଷ ସିଂହ ପ୍ରକାଶ କରିଛନ୍ତିଯେ, ଗିରଫ ହୋଇଥିବା ଆଠଜଣ ଆରୋପୀଙ୍କ ମଧ୍ୟରୁ ୭ଜଣ ଛତ୍ରପୁର ନିବାସୀ ଏବଂ ଜଣେ କୋଦଳା ନିବାସୀ। ପୋଲିସ୍ ତିନୋଟି ବାଇକ୍ (ଗୋଟିଏ ସ୍କୁଟି ଏବଂ ଦୁଇଟି ପଲସର), ଗୋଟିଏ କାର (ହୁଣ୍ଡାଇ) ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ଗୁଡ଼ିକୁ ଜବତ କରିବା ସହ କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ଲଗା ଯାଇଥିବା ସିସିଟିଭିକୁ ମଧ୍ୟ ଜବତ କରିଛି।

ଏଠାରେ ସୂଚନାଯୋଗ୍ୟଯେ, କିଛିଦିନତଳେ କେତେକ ଦୁର୍ବୃତ୍ତ ୬ନଂ ୱାର୍ଡ଼ ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଛତ୍ରପୁରରେ ଥିବା ଏଲଆଇସି କଲୋନୀ ବାସଭବନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଗୁରୁତ୍ତରଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *