ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ – ବିଜେଡ଼ି

ଭୁବନେଶ୍ୱର, ୧୭/୬/୨୦୧୮(ଓଡ଼ିଆ ପୁଅ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ଏହି ଯୋଜନାର କୌଣସି ସଂପର୍କ କେନ୍ଦ୍ର ଦ୍ୱାରା ଘୋଷଣା କରାଯାଇଥିବା ଆୟୁଷ୍ମାନ ଯୋଜନା ସହିତ ନାହିଁ। ଯେଉଁ ଯୋଜନା କେବଳ ଶିରୋନାମାରେ ଘୋଷଣା ହୋଇଛି, କିନ୍ତୁ ତା’ର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି। ଅପରପକ୍ଷେ ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନାକୁ କାର୍ଯ୍ୟକାରିତା ପାଇଁ ଅଗଷ୍ଟ ୧୫ ତାରିଖକୁ ଘୋଷଣା କରାଯାଇଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦଳ ତରଫରୁ ଘୋଷଣା କରାଯାଇଥିଲା ଯେ ବିଜୁ ଜନତା ଦଳ ସରକାରକୁ ଆସିଲେ ଏକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହିଭଳି ଏକ ଐତିହାସିକ ଘୋଷଣା ୨୦୧୪ ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ। କେନ୍ଦ୍ର ସରକାର ତାଙ୍କ ଶେଷବେଳକୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଦିନ ପ୍ରଧାନମନ୍ତ୍ରୀ ଏହିଭଳି ଏକ ଯୋଜନା ହେବ ବୋଲି ଘୋଷଣା କରିଥିଲେ, ଯାହା ତାଙ୍କ ବଜେଟ୍ରେ ରୂପାୟନ ଦେଇଥିଲେ। କିନ୍ତୁ କେବେ ହେବ, କେଉଁ ପ୍ରକାର ହେବ ତାହା ଏ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଖରେ ଉପସ୍ଥାପିତ କରିପାରି ନାହାନ୍ତି। ସେତେବେଳେ କେନ୍ଦ୍ର ସରକାର କହୁଥିଲେ ଏଥିରେ ଦେଶର ୫୦ କୋଟି ଜନସାଧାରଣ ଉପକୃତ ହେବେ। ହିସାବକୁ ଦେଖିଲେ ଓଡ଼ିଶାର ୨ କୋଟି ଲୋକେ ଏହି ଯୋଜନାରେ ଉପକୃତ ହୋଇଥାନ୍ତେ।

ବର୍ତ୍ତମାନ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭିତରେ ଗୋଟିଏ ମୌଳିକ ପ୍ରାର୍ଥକ୍ୟ ରହିଛି, ଯାହା ଦୁଇଟିଯାକ ଯୋଜନା ଏକାଭଳିଆ ନୁହେଁ। ଆୟୁଷ୍ମାନ ଯୋଜନା ବୀମା ଆଧାରିତ ଯୋଜନା, ଯାହା କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଏଥିରେ ୪୦ ଭାଗ ଅର୍ଥ ଦେବେ। ହିତାଧିକାରୀଙ୍କୁ ଚୟନ କରିବା, ସର୍ବେକ୍ଷଣ ଭଳି ଯଦି ରାଜ୍ୟର ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣଗୁଡିକୁ ଯୋଡ଼ିବେ, ତେବେ ଏହା ୫୦:୫୦ ଅନୁପାତକୁ ଆସିଯିବ। କେନ୍ଦ୍ର ସରକାର ଅତୀତରେ ଏହିଭଳି ଯୋଜନା ରାଜ୍ୟମାନଙ୍କ କାନ୍ଧ ଉପରେ ରଖି ଯେଉଁ ନିଜର ବାହାବା ନେଇଆସିଛନ୍ତି, ଆୟୁଷ୍ମାନ ଯୋଜନା ତା’ର ଏକ ନମୂନା। ଅପରପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଶ୍ୱାସନା ଭିତ୍ତିକ ଯୋଜନା। ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ସେଥିରେ ଜଣେ ନାଗରିକ ସିଧାସଳଖ ଉପକୃତ ହୋଇପାରିବ। ଏଥିରେ କୌଣସି ବୀମା କରିବାକୁ ପଡିବ ନାହିଁ। ଗୋଟିଏ ଯୋଜନାରେ ଜଣେ ହିତାଧିକାରୀ ସିଧାସଳଖ ଉପକୃତ ହେଉଥିବା ବେଳେ ଅନ୍ୟ ଯୋଜନାରେ ବୀମା ମାଧ୍ୟମରେ ଉପକୃତ ହେଉଛି, ଯାହା ଏହି ଦୁଇଟି ଯୋଜନା ମଧ୍ୟରେ ପ୍ରାର୍ଥକ୍ୟ।

ଆୟୁଷ୍ମାନ ଯୋଜନା ବିଶେଷତଃ ସାମାଜିକ ଆର୍ଥିକ ଓ ଜାତିଭିତ୍ତିକ ଜନଗଣନା (ଏସ୍ଇସିସି) ତାଲିକା ଆଧାରରେ ହିତାଧିକାରୀ ଚୟନ ହୋଇ ଉପକୃତ ହେବେ। ଅତୀତରେ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଯୋଜନାକୁ ଏହି ତାଲିକାକୁ ଆଧାର କରି କାର୍ଯ୍ୟକାରୀ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଯଦି ୨୦୧୧ ମସିହା ଏସ୍ଇସିସି ତାଲିକାକୁ ଅନୁଯାୟୀ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯାଏ, ତେବେ ରାଜ୍ୟର ବହୁ ଜନସାଧାରଣ ଏଥିରୁ ବଞ୍ଚିତ ହେବେ। ପ୍ରଥମେ କେନ୍ଦ୍ର ସରକାର ରାଜ୍ୟର ୪୮ଲକ୍ଷ ପରିବାରକୁ ଏଥିରେ ସାମିଲ କରି ପରେ ୬୧ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବେ ବୋଲି କହିଛନ୍ତି। ଏହା କେତେଦୂର ଫଳପ୍ରଦ ହେବ, ତାହା କହିବା କଷ୍ଟକର। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସିଧାସଳଖ ୭୦ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି। ଆୟୁଷ୍ମାନ ଯୋଜନା ପାଇଁ ସହରାଞ୍ଚଳରେ ଏସ୍ଇସିସି ତାଲିକା ଭୁକ୍ତ ଜନସାଧାରଣଙ୍କ ମଧ୍ୟରେ ପୁନର୍ବାର ଆଉ ଏକ ସର୍ଭେ ହୋଇ ବୃତ୍ତିଗତ ଆଧାରରେ ଚୟନ କରାଯିବ, ଯାହା ପାଖାପାଖି ୯୦ ଭାଗ ସହରବାସୀ ଏଥିରୁ ବଞ୍ଚିତ ହେବେ। କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନାରେ ଏଭଳି କୌଣସି ସର୍ତ୍ତାବଳୀ ନାହିଁ। ଉପା ସରକାର ଯେପରି ଖାଦ୍ୟ ନିରାପତ୍ତା ଆଇନ୍୨୦୧୩ ଅକ୍ଟୋବର ମାସରେ ଲାଗୁ କଲେ, ସେହିଭଳି ଏନ୍ଡିଏ ସରକାର ୨୦୧୮ରେ ଏହି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କେଇମାସ ବାକି ଅଛି। କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ପାଇଁ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି। ଏହା ଏକ ସମୟସାପେକ୍ଷ କାର୍ଯ୍ୟଧାରା। ନିର୍ବାଚନର କିଛି ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଇବା ନିଶ୍ଚିତ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଜରିଆରେ ଅବଗତ କରାଇଥିଲେ ଯେ ଯଦି କେନ୍ଦ୍ର ସରକାରଙ୍କର ଏହି ପ୍ରସ୍ତାବିତ ଆୟୁଷ୍ମାନ ଯୋଜନା ଯୋଗୁ କେବଳ ୬୧ଲକ୍ଷ ପରିବାର ଲାଭବାନ ହେବା ଆଶଙ୍କା ଥିଲା ବେଳେ ପାଖାପାଖି ୯ଲକ୍ଷ ପରିବାର ଏହି ଯୋଜନାରୁ ବାଦ୍ପଡିବେ। ଏଥିପାଇଁ ଅନୁରୋଧ କରାଯାଇଥିଲା ଯେ ବାଦ୍ପଡୁଥିବା ୯ଲକ୍ଷ ପରିବାରଙ୍କୁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରାଇବାର ଆବଶ୍ୟକତା ରହିଛି। ଦ୍ୱିତୀୟରେ ଯେହେତୁ ରାଜ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ସେଥିପାଇଁ କେନ୍ଦ୍ରର ଏହି ଯୋଜନାକୁ ତନ୍ମଧ୍ୟରେ ସାମିଲ ନକରାଯାଉ। କାରଣ ଯେଉଁ ବର୍ଗର ବ୍ୟକ୍ତିମାନେ ଆୟୁଷ୍ମାନ ଯୋଜନାରେ ପ୍ରିମିୟମ୍ଭରିବାର ଆର୍ଥôକ ସମ୍ବଳ ନାହିଁ, ସେମାନେ ମାଗଣା ଚିକିତ୍ସାରୁ ବଞ୍ଚିତ ହେବେ ଏବଂ କେନ୍ଦ୍ରର ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ନାହିଁ। ତୃତୀୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଆଧାର ନମ୍ବର ଦ୍ୱାରା ହିତାଧିକାରୀଙ୍କର ଯାଞ୍ଚ କରି ସ୍ୱାସ୍ଥ୍ୟସେବା ଯୋଗାଇଦେଲେ ଅନେକ ସମସ୍ୟା ଉପୁଜିବ। ଅନେକ ହିତାଧିକାରୀ ଏ ପର୍ଯ୍ୟନ୍ତ ଆଧାର କାର୍ଡରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି, ଯାହା କେନ୍ଦ୍ରର ଏହି ଯୋଜନା ଦ୍ୱାରା ସେମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହିବେ। କେନ୍ଦ୍ର ସରକାର ଚିଠି ଉପରେ ନିଜର ଉତ୍ତର ରଖି ରାଜ୍ୟ ସରକାରଙ୍କ ଏହି ୩ଟି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ପରେ, ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ଯୋଜନା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଠିକ୍ବୋଲି ପ୍ରମାଣିତ ହୋଇଛି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ଅପହରଣ କରୁଛନ୍ତି ବୋଲି ବିଜେପିର ଉକ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା। କେନ୍ଦ୍ର ସରକାର ଆଜି ଯେଉଁ ଯୋଜନା କରୁଛନ୍ତି, ରାଜ୍ୟ ସରକାର ତାକୁ ୨୦୧୪ରୁ ପରିକଳ୍ପନା କରିସାରିଛନ୍ତି। ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବେ ବୋଲି, ତାହା ଆଜି ନିଜସ୍ୱ ପାଣ୍ଠି ଜରିଆରେ ଲାଗୁ କରିବାକୁ ଯାଉଛନ୍ତି। ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଯଦି ଏଥିରେ କୌଣସି ବ୍ୟାଘାତ ଦେଖାଦେଲେ, ହିତାଧିକାରୀଙ୍କୁ ତୁରନ୍ତ ଅର୍ଥ ଯୋଗାଇ ଦେବାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରେ ଉପରୋକ୍ତ ପ୍ରାର୍ଥକ୍ୟ ଥିବାବେଳେ ଉଭୟ ଯୋଜନା ସମାନ ବୋଲି କହିବା ନିହାତି ହାସ୍ୟାସ୍ପଦ। ଗୋଟିଏ ଯୋଜନା ଆସିବା ଆଗରୁ ତାକୁ ନିନ୍ଦା ଓ ସମାଲୋଚନା କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *