ଓଡ଼ିଶା

ବିଜୁ ସନ୍ତରଣାଗାର ଭାଙ୍ଗାଗଢ଼ାରେ ୮ କୋଟି ଟଙ୍କା ଖର୍ଚ୍ଚ

ଭୁବନେଶ୍ୱର, ୨୮ା୦୩ (ଓଡ଼ିଆ ପୁଅ) : କଳିଙ୍ଗ ଷ୍ଟାଡିୟମ୍ ପରିସରରେ ୩୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟରେ ବିଜୁ ପଟ୍ଟନାୟକ ସନ୍ତରଣାଗାର ନିର୍ମାଣ କରାଯାଇଥିଲା। ହକି ଖେଳ ପାଇଁ ଏହାକୁ ଭାଙ୍ଗି ଦେଇ ପୁଣିଥରେ ନିର୍ମାଣ ପାଇଁ ୪୫୭ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ସରକାର ସ୍ଥିର କରିଛନ୍ତି। ବିଜୁ ପଟ୍ଟନାୟକ ସନ୍ତରଣାଗାର କାହିଁକି ବନ୍ଦ ରହିଛି ବୋଲି ବିଧାୟକ ଦିଲିପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ନାମିତ ଏହି ସନ୍ତରଣାଗାରଟି ଆନ୍ତର୍ଜାତିକ ମାନର ଥିଲା ଏହାକୁ ନିର୍ମାଣ କରିବା ପାଇଁ ୨୦୦୮ ସୁଦ୍ଧା ୩୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଶ୍ୱକପ୍ ହକି ପ୍ରତିଯୋଗିତା ପାଇଁ ନୂତନ ଗ୍ୟାଲେରୀର ଆବଶ୍ୟକତା ଥିବାରୁ ଏହି ସନ୍ତରଣାଗାରକୁ ଗତବର୍ଷ ସେପ୍ଟେମ୍ବର ମାସରୁ ବନ୍ଦ କରିଦିଆଯାଇଛି। ଏଠାରେ ଯେଉଁ କ୍ରୀଡ଼ାବିତ୍ମାନେ ସନ୍ତରଣ ଅଭ୍ୟାସ କରୁଥିଲେ ସେମାନଙ୍କୁ ସାମୁହିକ ଭାବେ ଅନ୍ୟତ୍ର ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସନ୍ତରଣାଗାରକୁ ସ୍ଥାନାନ୍ତରିତ କରି ପୁନଃନିର୍ମାଣ ଲାଗି ୪୫୭ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି। ଏହି ନୂଆ ସନ୍ତରଣାଗାର ଚଳିତ ବର୍ଷ ମଇ ମାସ ସୁଦ୍ଧା ଖୋଲିବାକୁ ପଦକ୍ଷେପ ନିଆଯାଉଥିବା ସେ ସୂଚାଇଛନ୍ତି।

ବିଜୁ ବାବୁଙ୍କ ନାମରେ ଏହି ଆନ୍ତର୍ଜାତିକ ମାନର ସନ୍ତରଣାଗାରକୁ ଭାଙ୍ଗିଦେବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ସରକାରୀ ଅର୍ଥର ଏଭଳି ଅପବ୍ୟୟକୁ ନାପସନ୍ଦ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top