ବିଜୁ ଶ୍ରମିକ ସଂଘର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର,୨୯/୫ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବିଜୁ ଶ୍ରମିକ ସଂଘର ୧୧ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ସେମାନଙ୍କ ହକ୍ ପ୍ରଦାନରେ ବିଜୁ ଶ୍ରମିକ ସଂଘର ଭୂମିକା ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ। ଶ୍ରମ ଆଇନ୍ ର ଉଚିତ କାର୍ଯ୍ୟକାରୀ ଓ ବିଭିନ୍ନ ବର୍ଗର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ନେଇ ସଂଘର କର୍ମକର୍ତ୍ତାମାନେ ପ୍ରୟାସ ଜାରି ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ମନ୍ତ୍ରୀ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଭିନ୍ନ ଶିଳ୍ପାନୁଷ୍ଠାନ ଶ୍ରମିକଙ୍କ ସ୍ୱାର୍ଥରକ୍ଷାରେ ବିଜୁ ଶ୍ରମିକ ସଂଘର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ସଂଘର କାର୍ଯ୍ୟ ପରିସର ଆହୁରି ବ୍ୟାପକ କରିବା ସହ ଜିଲ୍ଲାର ପ୍ରତିଟି କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବାକୁ ଶ୍ରୀ ଜେନା କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ପୌରପାଳ ଆଲୋକ କୁମାର ସାହୁ, ବିଦ୍ୟୁତ୍ କର୍ମଚାରୀ ସଂଗଠନର ବରିଷ୍ଠ କର୍ମକର୍ତ୍ତା ତାରାକାନ୍ତ ପଟ୍ଟନାୟକ, ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରୋଜିନୀ ମହାପାତ୍ର, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ରଘୁନାଥ ଲେଙ୍କା, ଛାତ୍ରନେତା ସିମନ ଦାସମହାପାତ୍ର, ଯୁବ ନେତା ଦିଲ୍ଲୀପ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ଶ୍ରମିକଙ୍କ ଉନ୍ନତି କ୍ଷେତ୍ରରେ ବିଜୁ ଶ୍ରମିକ ସଂଘର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଏଥିରେ ସଭାପତିତ୍ୱ କରିଥିବା ବେଳେ ବିଜୁ ଶ୍ରମିକ ସଂଘର ସମ୍ପାଦକ କମଳ ଲୋଚନ ଦାସ ବିବରଣୀ ପାଠ କରିଥିଲେ। ସଂଗଠନର କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରମିକ ଏଥିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *