ଓଡ଼ିଶା

ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ଓଟିଏମ୍ କୁ କାର୍ଯ୍ୟକ୍ଷମ କରିବା ପାଇଁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୭ା୯(ଓଡ଼ିଆ ପୁଅ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ପ୍ରତିଷ୍ଠିତ ଚୌଦ୍ୱାରର ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବନ୍ଦ ରହିଥିବା ଦୃଷ୍ଟିରୁ ବିଜୁବାବୁଙ୍କ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ରାଜ୍ୟ ସରକାର ଏହାକୁ କେବେସୁଦ୍ଧା ପୁନଃ କାର୍ଯ୍ୟକ୍ଷମ କରାଇବା ସଂକ୍ରାନ୍ତରେ ବିଧାନସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଯେଉଁ ସୂଚନା ଦେଇଛନ୍ତି ସେଥିରୁ କିଛି ଆଶାର ସଞ୍ଚାର ହେଉନାହିଁ।

ଏ ପ୍ରସଙ୍ଗରେ ଅନ୍ୟତମ ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ଚୌଦ୍ୱାର ଓଟିଏମ୍ର ଉତ୍ପାଦନ କାର୍ଯ୍ୟ ୨୦୦୦ ମସିହା ଅକ୍ଟୋବର ମାସରୁ ବନ୍ଦ ରହିଛି। ବର୍ତ୍ତମାନ ଏହି ମିଲ୍ର ସମାପନ ପ୍ରକ୍ରିୟା ଉଚ୍ଚ ନ୍ୟାୟାଳୟଙ୍କ କମ୍ପାନୀ ଅଦାଲତଙ୍କ ଠାରେ ବିଚାରାଧିନ ଅଛି। ଅଦାଲତଙ୍କ ରାୟ ପ୍ରକାଶ ପରେ ବିହିତ ପଦକ୍ଷେପ ନିଆଯିବ। ଏଥିସହିତ ଓଡ଼ିଶାରେ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ୧୩ଟି ବୟନଶିଳ୍ପ ଓ ୭ଟି ସୂତାକଳ ବି ବନ୍ଦ ହୋଇଯାଇଥିବା ମନ୍ତ୍ରୀ ସୂଚାଇଛନ୍ତି।

ସରକାରୀ ଉଦ୍ୟମରେ ଚାଲୁଥିବା ବରଗଡ଼ ଜିଲ୍ଲା ତୋରାର ଓଡ଼ିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରର ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ୍ସିଂହପୁର ଜିଲ୍ଲାର ଶ୍ରୀ ସାରଳା ବୁଣାକାର ସମବାୟ ସୂତାକଳ, କଟକ ଜିଲ୍ଲା ଆଠଗଡ଼ର ଶ୍ରୀ ଜଗନ୍ନାଥ ବୁଣାକାର ସମବାୟ ସୂତାକଳ, ଖୋର୍ଦ୍ଧାର ଉତ୍କଳ ବୁଣାକାର ସମବାୟ ସୂତାକଳ ଓ ଝାରସୁଗୁଡ଼ାର ଭାସ୍କର ଟେକ୍ସଟାଇଲ୍ ମିଲ୍ ବନ୍ଦ ହୋଇଯାଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ଏହାଛଡ଼ା କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧାର ବାଜପୁର, ବ୍ରହ୍ମପୁର, ଛତିଆ, ଆଠଗଡ଼, ରାହାମା, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼ର କୁଣ୍ଡୁକେଲା, ଭବାନୀପାଟଣା, କଟକ ଓ ଚୌଦ୍ୱାରରେ ଥିବା ବୟନଶିଳ୍ପ ତଥା କଳତନ୍ତ ସମବାୟ ସମିତିଗୁଡ଼ିକ ବନ୍ଦ ହୋଇଯାଇଥିବା ବେଳେ ଏଥିରୁ ତିନୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରି ହୋଇସାରିଥିବା ମନ୍ତ୍ରୀ ଦର୍ଶାଇଛନ୍ତି।

ବନ୍ଦ ଥିବା ସମବାୟଭିତ୍ତିକ ସୂତାକଳଗୁଡ଼ିକ ଭିତରୁ ଢେଙ୍କାନାଳ, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାର ତିନୋଟିକୁ ଘରୋଇକରଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯାଉଥିବା ବେଳେ ନୂଆ ବୟନଶିଳ୍ପ ଓ ସୂତାକଳ ପ୍ରତିଷ୍ଠା ଲାଗି ସରକାରଙ୍କର ଅଦ୍ୟାବଧି କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କାର କପଡ଼ା ଆବଶ୍ୟକ ପଡ଼ୁଥିବା ବେଳେ ରାଜ୍ୟରେ ହଜାରେ କୋଟି ଟଙ୍କାର ବି କପଡ଼ା ଉତ୍ପାଦିତ ହୋଇପାରୁନାହିଁ। ଓଡ଼ିଶାରେ କପା ଉତ୍ପାଦନ ସହ ସୂତା ତିଆରି ଓ କପଡ଼ା ତିଆରି ପାଇଁ ଅନୁକୂଳ ଭିତ୍ତିଭୂମି ରହିଥିବା ବେଳେ ତାହାର ଉପଯୋଗ କରାଯାଇପାରିଲେ ଓଡ଼ିଶାରେ ବାର୍ଷିକ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୟନଶିଳ୍ପ ସାମଗ୍ରୀ ଉତ୍ପାଦିତ ହୋଇପାରିବ ଏବଂ ୨ ଲକ୍ଷରୁ ଅଧିକ ଲୋକ କର୍ମନିଯୁକ୍ତି ପାଇପାରିବେ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ବିଜୁବାବୁଙ୍କ ଅମ୍ଳାନ ସ୍ମୃତି ସହ ଜଡ଼ିତ ଚୌଦ୍ୱାରର ଓଟିଏମ୍କୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top