ଓଡ଼ିଶା

ବିଜୁ ଜନତା ଦଳ ଲୋକସଭାରେ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କଲା କାହିଁକି ?

ଭୁବନେଶ୍ୱର, ୨୦/୭/୨୦୧୮(ଓଡ଼ିଆ ପୁଅ): କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି। ମହାନଦୀ, ପୋଲାଭରମ୍‌, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି। ଏହି କାରଣରୁ ବିଜୁ ଜନତା ଦଳ ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କରିଛି। ଏହି କକ୍ଷତ୍ୟାଗ ଉଭୟ ଏନ୍‌ଡିଏ ଓ ୟୁପିଏ ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜୁ ଜନତା ଦଳର ୧୯ଜଣ ମାନ୍ୟବର ସାଂସଦ ହୃଦୟଙ୍ଗମ କରି କକ୍ଷତ୍ୟାଗ କରିଥିଲେ। ଏଭଳି ଏକ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଓ ବିଜେପିର ଏକ ଡ୍ରାମା। ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

ୟୁପିଏ ଯାହା, ଏନ୍‌ଡିଏ ମଧ୍ୟ ତାହା। ସେଥିପାଇଁ ବିଜେଡି ଉଭୟ ଦଳ ଠାରୁ ସମଦୂରତ୍ୱ ରକ୍ଷା କରିଆସୁଛି। ଏହି ନିଷ୍ପତ୍ତିକୁ ଆଜି ବିଜେଡି ସଂସଦରେ ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛି। ୟୁପିଏ ସରକାର ଅମଳରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ। ଆଶା ଥିଲା, ଏନ୍‌ଡିଏ ସରକାର ଆସିଲା ପରେ ଏଥିରେ କିଛି ପରିବର୍ତ୍ତନ ଘଟିବ। କିନ୍ତୁ ଏନ୍‌ଡିଏ ସରକାରଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟରେ ଏହା ପ୍ରତିଫଳିତ ହେଲା ନାହିଁ। ବରଂ ଏନ୍‌ଡିଏ ସରକାରଙ୍କ ଅମଳରେ ଓଡ଼ିଶାର ସ୍ୱାର୍ଥକୁ ଚରମ ଉପେକ୍ଷା କରାଗଲା। ଏନ୍‌ଡିଏ ସରକାରଙ୍କ ଓଡ଼ିଶା ବିରୋଧୀ ପାତର ଅନ୍ତର ନୀତି ଓଡ଼ିଶାର ଜନଗଣଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା ପାଇଁ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। କିନ୍ତୁ ସରକାରକୁ ଆସିବା ପରେ ଏବେ ପଛଘୁଞ୍ଚା ଦେଉଛି। ସେହିପରି କଂଗ୍ରେସ ସରକାର ମଧ୍ୟ ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସଫା ସଫା ମନା କରିଦେଇଥିଲା। ସେହିପରି ୟୁପିଏ ସରକାର ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ବେଳେ ଏନ୍‌ଡିଏ ସରକାର ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ପ୍ରକଳ୍ପ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ହେଁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍‌ଲଗାଇବା ପାଇଁ ଏନ୍‌ଡିଏ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଖାଲି ସେତିକି ନୁହେଁ, ୟୁପିଏ ସରକାରର ସହଯୋଗ ଓ ସମର୍ଥନରେ ଛତିଶଗଡ଼ ସରକାର ବେଆଇନ୍‌ଭାବେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ନିର୍ମାଣ କରି ଓଡ଼ିଶାକୁ ମରୁଭୂମି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ଏନ୍‌ଡିଏ ସରକାର ସେଥିରେ ମଧ୍ୟ ରୋକ୍‌ଲଗାଇବାକୁ ଅସମର୍ଥ। କିନ୍ତୁ ବିଜେଡି ସରକାରଙ୍କ କ୍ରମାଗତ ଲଢ଼େଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍‌ଗଠନ କରାଯାଇଛି। ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏହିସବୁ ପ୍ରସଂଗରେ ଉଭୟ ୟୁପିଏ ଓ ଏନ୍‌ଡିଏ ସରକାର ଓଡ଼ିଶା ପ୍ରତି ଗତ ୧୪ବର୍ଷ ହେଲା ଯେଉଁ ଅବହେଳା ପ୍ରଦର୍ଶନ କରିଆସିଛନ୍ତି, ତା’ର ପ୍ରତିବାଦରେ ଆଜି ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡିର ମାନ୍ୟବର ସାଂସଦମାନେ କକ୍ଷତ୍ୟାଗ କରିବା ଯଥାର୍ଥ ବୋଲି ଶ୍ରୀ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top