ବିଛିନ୍ନାଞ୍ଚଳ ଦୁର୍ଗମ ଅପହଁଚ ଇଲାକାରେ ନଦୀ ନାଳ ପାରହୋଇ ସ୍ୱାସ୍ଥ୍ୟସେବା ଯୋଗାଇଲେ ତିନି ମହିଳା

ମାଲକାନଗିରି, ୬ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ମାଓପ୍ରବଣ ବିଛିନ୍ନାଞ୍ଚଳ ଦୁର୍ଗମ ଅପହଁଚ ଇଲାକାରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ନାଳ ପାର ହୋଇ ଆଦିବାସୀ ଗ୍ରାମରେ ସାହସର ସହିତ ପହଁଚି ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି ତିନିଜଣ ମହିଳା। ଏହି ତିନିଜଣ ମହିଳା ହେଲେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଣତି ମଣ୍ଡଳ, ଆଶା କର୍ମୀ ପଦ୍ମା ଦୁରୁଆ ଓ ଅଙ୍ଗନ ଓ୍ୟାର୍ଡି କର୍ମି ମଇନା କାମରୁବି, ସାଧରଣତଃ ମାଓ ପ୍ରବଣ ବିଛିନ୍ନାଞ୍ଚଳକୁ ପୁରୁଷ ଲୋକ ଓ ସରକାରି ଉଚ୍ଚ ଅଧିକାରୀମାନେ ଗସ୍ତ କରିବାକୁ ଭୟକରିଥାନ୍ତି। ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବିଛିନ୍ନାଚଳର ଗ୍ରାମଗୁଡିକୁ ଯିବାକୁ କଷ୍ଟକର ହୋଇପଡିଥିବା ବେଳେ ଓ ବିଛିନ୍ନାଚଳରେ ରାସ୍ତା ଘାଟ ନଥିବାରୁ ଅନେକ ନଦୀ ନାଳ ପାର ହୋଇ ଯିବାକୁ ପଡିଥାଏ। ଏହି ତିନିଜଣ ମହିଳା ବିଛିନ୍ନାଞ୍ଚଳର ଅତ୍ୟନ୍ତ ଦୁର୍ଗମ ଅପହଁଚ ଇଲାକା ଭାବେ ପରିଚିତ ଜାନବାଇ ସେକ୍ଟରର ଆନ୍ଧ୍ରପ୍ରଦେଶ ସୀମାନ୍ତକୁ ଲାଗିଥିବା ଚିନ୍ତାମଚିଲକା ଓ ମୁତାମ୍ବ ଗ୍ରାମକୁ ଗୁରୁବାର ଦିନ ଗସ୍ତ କରିଥିଲେ। ସେମାନେ ଜାନବାଇ ପର୍ଯ୍ୟନ୍ତ ବୋଟରେ ଯାଇ ସେଠାରୁ ଦୀର୍ଘ ୧୦ କିମି ପାଦରେ ଚାଲି ଚାଲି ମୁତାମ୍ବ ନଦୀ ଓ ଚିନ୍ତାମ ଚିଲିକା ପାଣି ନାଳ ପାର ହୋଇ ଚିନ୍ତାମ ଚିଲିକା ଗ୍ରାମରେ ଆୟୋଜିତ ଶିଶୁ ମାତୃ ମୃତ୍ୟୁର ପୁର୍ଣ୍ଣ ନରିକରଣ ଅଭିଯାନ ସମ୍ପୁର୍ଣ୍ଣା କାର୍ଯ୍ୟକ୍ରମରେ ଯୋଗଦେଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା ସହିତ ସେମାନଙ୍କୁ ଔଷଧ ଓ ପୃଷ୍ଟକିର ଖାଦ୍ୟ ଛତୁଆ ଯୋଗାଇ ଥିଲେ ଓ ଶିଶୁ ମାନଙ୍କୁ ସମୁହ ଟିକାକରଣ କରିଥିଲେ। ମାଓପ୍ରବଣ ଅପହଁଚ ଇଲାକାରେ ଏହି ତିନିଜଣ ମହିଳା ନିର୍ଭୟରେ ପହଁଚିବା ଦେଖି ଗ୍ରାମବାସୀ ବହୁତ ଖୁସିହୋଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ସ୍ୱାସ୍ଥ୍ୟକର୍ମୀ ଙ୍କ ନିକଟରେ ସେମାନଙ୍କ ଶିଶୁ ଓ ମହିଳାମାନଙ୍କୁ ଦେଖାଇଥିଲେ। ସେହି ସବୁ ଗ୍ରାମରେ ସରକାରି ବାବୁ ମାନଙ୍କର ପାଦ ପଡୁନଥିବା ବେଳେ ବର୍ଷାଦିନେ କାଦୁଅ ପାଣିରେ ଚାଲି ଚାଲି ଯାଇ ଏହି ତିନିଜଣ ମହିଳା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ଗ୍ରାମବାସୀ ମାନେ ଏହି ମହିଳା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Leave a Reply

Your email address will not be published. Required fields are marked *