ବିଗୁଡୁଛି ଭଦ୍ରକ କଂଗ୍ରେସର ଘର ସଜଡା ଅଡୁଆରେ ସଭାପତି, କାର୍ଯ୍ୟକାରୀ ସଭାପତି ଚୟନ, ଖୁବଶୀଘ୍ର ଜୋନସ୍ତରୀୟ ସଭାପତି ଚୟନ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନୂଆ ପିସିସି ମୁଖିଆ ନିରଂଜନ ପଟ୍ଟନାୟକ କଂଗ୍ରେସର ଦାୟିତ୍ୱ ନେବା ପରେ ଘର ସଜଡା ଆରମ୍ଭ କରିଛନ୍ତି। ଏହି ଘର ସଜଡା ଭଦ୍ରକରେ ବି ହୋଇଥିଲା। ହେଲେ ଏବେ ଏହା ବିଗିଡିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଦଳର ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା ପରେ ଅନେକ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଭଦ୍ରକ କଂଗ୍ରେସର ଦୁଇ ଟର୍ମ ହୋଇଗଲା ପ୍ରାକ୍ତନ ବିଧାୟକ ନରେନ୍ ପଲେଇ ଜିଲା ସଭାପତି ଥିଲେ। କିନ୍ତୁ ପିସିସି ମୁଖିଆ ନିରଂଜନ ହେବା ପରେ ଭଦ୍ରକର ପ୍ରାକ୍ତନ ସାଂସଦ ଅନନ୍ତ ସେଠୀଙ୍କ ଉପରେ ଭଦ୍ରକ ଅଧା ଦାୟିତ୍ୱ ଦେଇଦେଲେ। ଏପରିକି ଅନନ୍ତଙ୍କ ସୁପାରିସ୍ରେ ଭଦ୍ରକ ସହର ଛାଡି ୩୫ କିଲୋମିଟର ଦୂରରେ ଥିବା ବାସୁଦେବପୁର ଏନ୍ଏସିର ଅଧ୍ୟକ୍ଷ ଅଶୋକ ଦାସଙ୍କୁ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ଲଦି ଦେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଭଦ୍ରକୀ ନେତା। ସଭାପତି ନିଯୁକ୍ତି ସହିତ ନୂଆ କାର୍ଯ୍ୟକାରୀ ସଭାପତି ଭାବେ ଯୁବ ନେତା ନଳିନୀ ମହାନ୍ତିଙ୍କୁ ଦିଆଯିବା ପରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ କରିଛି। ଭଦ୍ରକ ଜିଲା ସଭାପତି ପଦ ପାଇଁ ୧୦ ରୁ ଅଧିକ ନାମ ପିସିସିକୁ ଯାଇଥିବାବେଳେ ପିସିସି କିନ୍ତୁ ୩ ଜଣଙ୍କ ନାମ ଏଆଇସିସିଙ୍କୁ ସୁପାରିଶ୍ କରିଥିଲେ। ହାଇକମାଣ୍ଡ କିନ୍ତୁ ସବୁ କଳ୍ପନା ଜଳ୍ପନାକୁ ପଦାରେ ପକାଇ ଭଦ୍ରକ ସହର ଛାଡି ବାସୁଦେବପୁର ପୌରାଧ୍ୟକ୍ଷଙ୍କୁ ମୁକୁଟ ପିନ୍ଧାଇ ଦେଲେ। ବାସୁଦେବପୁର ଅଂଚଳର ନେତାଙ୍କୁ ଜିଲା ସଭାପତି ପଦସ ଦେଇ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଭଦ୍ରକ ସହରର ଜଣେ ଯୁବ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ପଦଦେଲେ। ଏହାକୁ ବିରୋଧ କରି ପୁଣି କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଜୁନ୍ ୧୨ ରେ ଭଦ୍ରକ କଂଗ୍ରେସର ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର, ସୁର୍ଜିତ ପାଲ, ଶିବପ୍ରସାଦ ମହାନ୍ତି, ବାବୁ ବାରିକ, ଅନନ୍ତ ପଣ୍ଡା, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ବିମୁଖ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ନେତା ପିସିସିରେ ଦରଖାସ୍ତ ଦେଇଛନ୍ତି। ଭଦ୍ରକ ସହରର ବରିଷ୍ଠ ନେତାଙ୍କୁ ଜିଲା ସଭାପତି ପଦ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ବିରୋଧକାରୀମାନେ ନିରଂଜନଙ୍କୁ ଦରଖାସ୍ତ ଦେବା ପରେ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦେଖା କରିଥିଲେ। ଏମାନଙ୍କ ସବୁ କଥା ଶୁଣି ଚିରଞ୍ଜିବୀ ଦୁଇ ଜଣ ନେତାଙ୍କ ନାମ ଦେବାକୁ କହିବାରୁ ବିରୋଧକାରୀ ଶୁଭେନ୍ଦୁରାୟ ମହାପାତ୍ର ଓ ଦେବରୂପ ମହାନ୍ତିଙ୍କ ନାମ ଚିଠା ଦେଇଛନ୍ତି। ଦେବରୂପ ମହାନ୍ତିଙ୍କ ନାମରେ ପୂର୍ବରୁ ସିବିଆଇରେ ଫାଇଲ ଗଡୁଥିବାରୁ ଏହାକୁ ଆଳ କରି ଏଆଇସିସି ପଛାଉଛି ବୋଲି ରାଜ୍ୟ ନେତା ସଫେଇ ଦେଇଛନ୍ତି। ଏହି ଅସନ୍ତୋଷ କୁହୁଳ ଥିବାବେଳେ ପିସିସି କର୍ମକର୍ତ୍ତାମାନେ ନୂଆ ମନ୍ତ୍ର ଦେଇଛନ୍ତି ଭଦ୍ରକ ପାଇଁ। ଜିଲାରେ ୨୮ ଟି ଜିଲା ପରିଷଦ ଜୋନ୍ ରହିଛି। କଂଗ୍ରେସକୁ ଆଗାମୀ ନିର୍ବାଚନ ପାଇଁ ସକ୍ରିୟ କରିବାକୁ ପ୍ରତି ଜୋନ୍ରୁ ନିର୍ବାଚନ ପାଇଁ ସଭାପତି ଜଣେ ଲେଖାଏଁ ନିଯୁକ୍ତି ହେବେ। ଏହା ଜୁନ୍ ଶେଷ ସୁଦ୍ଧା ହୋଇଯିବ। ଏପରିକି ଦୁର୍ଗାପୂଜା ପୂର୍ବରୁ ବାସୁଦେବପୁର ଓ ଚାନ୍ଦବାଲି ଆସନର ଟିକେଟ୍ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି। ବାସୁଦେବପୁର ଆସନରେ ନୂଆ ଜିଲା ସଭାପତି ଅଶୋକ ଦାସଙ୍କ ନାମ ଶୁଣାଯାଉଥିବାବେଳେ ପୂର୍ବତନ ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ବଂଚିତ କରିବା ଆଲୋଚନା ହେଉଛି। ସେହିପରି ଚାନ୍ଦାବାଲି ଆସନରେ ଜ୍ୟୋତି ପ୍ରକାଶ ମହାନ୍ତି ଏବଂ ସତ୍ୟାନନ୍ଦ ରାଉତଙ୍କ ନାମ ଚର୍ଚ୍ଚାକୁ ଆସିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣକ ନାମ ଜୁଲାଇ ସୁଦ୍ଧା ଘୋଷଣା କରାଯାଇ ମଇଦାନକୁ ଛାଡିବେ ମୁଖିଆ। ସେହିଭଳି ନିରଂଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଅନନ୍ତ ସେଠୀଙ୍କୁ ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଅନନ୍ତଙ୍କ ସମର୍ଥକ କହି ବୁଲୁଛନ୍ତି। ଏହି ସୁଯୋଗରେ ପ୍ରାକ୍ତନ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପଂଚାନନ ମଣ୍ଡଳ ଭଦ୍ରକ କଂଗ୍ରେସ ସାଂସଦ ପ୍ରାର୍ଥୀ ହେବାକୁ ଲବି ଆରମ୍ଭ କରିଥିବା ଆଲୋଚନା ହେଉଛି। ଧାମନଗର ଆସନରେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଟିକେଟ୍ ନେବାକୁ ପିସିସିର ଦରଖାସ୍ତ ଦେଇଛନ୍ତି। କଂଗ୍ରେସ ଛାଡି ନେତ୍ରାନନ୍ଦ ମାଠିଆ ଦଳକୁ ଯାଇଥିବାରୁ ତାଙ୍କୁ ଜୁନ୍ ୨୭ ରେ ଫେରାଇ ଅଣାଯିବ ବୋଲି ଆଲୋଚନା ହେଉଛି। କିନ୍ତୁ ଧାମନଗର ଆସନରେ ଟିକେଟ୍ ନେବାକୁ ଯୁବ ନେତା ଅକ୍ଷୟ ମଲ୍ଲିକ ଉଦ୍ୟମ ଆରମ୍ଭ କରିଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ପୂର୍ବତନ ବିଧାୟକ ତଥା ପୂର୍ବତନ ଭଦ୍ରକ ଜିଲା ସଭାପତି ନରେନ୍ ପଲେଇଙ୍କ ନାମ ପୁଣି ଥରେ ତାଲିକା ହୋଇଛି। ସେହିଭଳି ଭଣ୍ଡାରିପୋଖରୀ ଆସନରୁ ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଏବେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ୨୦୧୯ ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ରରୁ ୪ଟି ଆସନ କଂଗ୍ରେସ ହାତକୁ ଆସିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମୁଖିଆ। କିନ୍ତୁ ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ ସବୁ କିଛି ବାଟବଣା କରିଦେଉଛି।

Leave a Reply

Your email address will not be published. Required fields are marked *