ବିଗିଡି ଗଲାଣି ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ବ୍ୟବସ୍ଥା ; ବିଭାଗୀୟଙ୍କ ନଜର ଟିକେ ପଡୁ

ଯାଜପୁର-୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକର ୨୯ ପଂଚାୟତର ହଜାରହଜାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରୁଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ବିଗିଡି ଗଲାଣି। ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଏପରି ଭାବେ ବିଗିଡି ଯାଇଛି ଯେ ଏହା କେତେବେଳେ କୋମାକୁ ଚାଲିଯିବାର ଭୟ ମଧ୍ୟ ସାଧାରଣରେ ସୃଷ୍ଟି ହୋଇଛି। ବାହାରକୁ ଖୁବ ସୁନ୍ଦର ଦେଖାଯାଉଥିବା ଏହି ଚିକିତ୍ସାଳୟ ଭିତରେ ବେଶ ରୋଗାକ୍ରାନ୍ତ ହୋଇ ପଡିଛି। ଚିକିତ୍ସାଳୟ ପରିସରରେ ଟାଟା ଷ୍ଟିଲ ଦ୍ୱାରା ନିର୍ମିତ ଗୃହରେ ପଡିଥିବା ଶଯ୍ୟା ଏହାର ସ୍ଥିତି ବୟାନ କରୁଛି। ଡାକ୍ତର ସମସ୍ୟାରେ ଥିବା ଏହି ଚିକିତ୍ସାଳୟରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସହିତ ଜଣେ ବାହାରର ଡାକ୍ତର ନିଯୁକ୍ତ ହୋଇଛନ୍ତି। ସ୍ଥାନୀୟ ଡାକ୍ତର ପ୍ରାୟ ସବୁ ସମୟରେ ଚିକିତ୍ସାଳୟରେ ରହି ରୋଗୀ ଚିକିତ୍ସା କରୁଥିଲାବେଳେ ଏହା ବରୀବାସୀଙ୍କୁ ବେଶ ସହାୟକ ହୁଏ। ଏହାକୁ ଛାଡିଦେଲେ ପ୍ରାୟ ଅନ୍ୟାନ୍ୟ ସୁବିଧା ସୁଯୋଗ ଏଠାରେ ମିଳିବା କଷ୍ଟ ବୋଲି ସାଧାରଣରେ ଦୀର୍ଘଦିନ ହେଲା ଅଭିଯୋଗ ହୋଇ ଆସୁିଛି। ଗୁରୁତର ରୋଗୀଙ୍କୁ ଏଠାରେ ରଖି ଚିକିତ୍ସା କରିବା ସହିତ ପ୍ରସୂତୀ ମାନଙ୍କର ରହିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଏକ ଗୃହ ନିର୍ମାଣ ହୋଇଛି। ୨୦୦୫ ମସିହା ଜାନୁୟାରୀ ମାସ ୧୩ ତାରିଖରେ ପ୍ରାକ୍ତନ ମନ୍ତ୍ରୀ ତଥା ବରୀ ବିଧାୟକ ଦେବାଶିଷ ନାୟକଙ୍କ ଦ୍ୱାରା ୩୦ ଶଯ୍ୟା ବିଶିଷ୍ଠ ଗୃହର ଶିଳାନ୍ୟାସ ହୋଇଥିଲା। ଯାହା ୨୦୦୬ ମସିହା ଅକ୍ଟୋବର ମାସ ୨୬ ତାରିଖରେ ରୋଗୀମାନଙ୍କ ପାଇଁ ଉଦ୍ଘାଟିତ ହୋଇଥିଲା। ସେ ସମୟରେ ଏହି ଗୃହ ବେଶ ଚିକ୍ଚିକ୍ କରୁଥିଲାବେଳେ ଏହା ମଧ୍ୟରେ ୩୦ଟି ଶଯ୍ୟା ପଡିଥିଲା। କିଛିଦିନ ବେଶ ଭଲ ରକ୍ଷଣାବେକ୍ଷଣ ହୋଇ ଏହା ରୋଗୀଙ୍କ ପାଇଁ ବ୍ୟବହାର ହେଉଥିଲାବେଳେ ବର୍ତମାନ ଏହାର ଅବସ୍ଥା ସଂଗୀନ ହୋଇ ପଡିଛି। ପୁରୁଷ ଉଆର୍ଡରେ ୧୧ଡି ଶଯ୍ୟା ରହିଥିଲାବେଳେ ସେଥିରୁ ମାତ୍ର ୩ଟିର ଅବସ୍ଥା ଭଲ ଥିଲାବେଳେ ଅନ୍ୟ ୮ଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଛିଣ୍ଡା କୋତରା ଅବସ୍ଥାରେ ଥିବା ଏହି ଶଯ୍ୟାରୁ ସ୍ପଞ୍ଜ ବାହାରି ଯାଇଥିଲାବେଳେ ନଡିଆକତା ମଧ୍ୟ ବାହାରି ଯାଇଛି। ମହିଳା ଉଆର୍ଡରେ ଥିବା ୧୦ଟି ଶଯ୍ୟାର ଅବସ୍ଥା ମଧ୍ୟ ତଦୃପ। କେବଳ କାମ ଚଲାଇବା ଭଳି ସ୍ଥିତିରେ ଥିବା କିଛି ଶଯ୍ୟାରେ ରୋଗୀ ବାଧ୍ୟ ହୋଇ ଶୋଉଛନ୍ତି। ଏହି ଗୃହର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଛି। ସଫାସୁତୁରାରୁ ବହୁ ଦୂରରେ ରହି ଏହି ଗୃହ ଅଳିଆ ଆବର୍ଜନାରେ ପୁରା ହୋଇଛି। ରୋଗୀଙ୍କୁ ଆଣି ଏଠାକୁ ଆସୁଥିବା ତାଙ୍କ ସଂପର୍କୀୟ ମାନେ ରୋଗୀଙ୍କୁ ଏଠାରେ ରଖି ଚିକିତ୍ସା କରିବାକୁ ନାକ ଟେକୁଛନ୍ତି। ଅପରପକ୍ଷେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସଟି ମଧ୍ୟ ଦୀର୍ଘ ଦିନ ହେଲା ଖରାପ ହୋଇ ଯାଇଥିବା ଜଣାଯାଇଛି। ଏହି ଆମ୍ବୁଲାନ୍ସରେ ରୋଗୀମାନଙ୍କୁ ଯାଜପୁର ଓ କଟକ ସ୍ଥାନାନ୍ତର କରାଯାଉଥିଲାବେଳେ ସେମାନଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଆଦାୟ କରାଯାଉଥିଲା। ହେଲେ ଏହି ଗାଡିର ରକ୍ଷଣାବେକ୍ଷଣ ପ୍ରତି ବିଭାଗୀୟ ଅଧିକାରୀ ନଜର ନଦେବାରୁ ଏହା ଖରାପ ହୋଇ ଯାଇଥିବା ଜାଣିବାକୁ ମିଳିଛି। ବରୀ ବ୍ଲକର ଗୁରୁତର ରୋଗୀମାନଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ଭରସା ପାଲଟିଥିଲାବେଳେ ଯଦି ତାହା ଉପଲବ୍ଧ ନହୁଏ ତେବେ ରୋଗୀ ଅଧିକ ସଂକଟାପର୍ଣ୍ଣ ହୋଇ ଅନ୍ୟ ଘରୋଇ ଗାଡିରେ ଯାଜପୁର କିମ୍ବା କଟକ ଯାଉଛନ୍ତି। ଏହା ସହିତ ରୋଗୀମାନଙ୍କୁ ସରକାରୀ ଔଷଧ ବିତରଣରେ ମଧ୍ୟ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହିଭଳି ବିଭିନ୍ନ ସମସ୍ୟା ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗତି କରୁଥିଲାବେଳେ ଏଥିପ୍ରତି ବିଭାଗୀୟ ଉଚ୍ଚଅଧିକାରୀ ଦୃଷ୍ଟି ନଦେବା ବରୀବାସୀଙ୍କୁ ମର୍ମାହତ କରୁଥିଲାବେଳେ ଜିଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠିଛି।

Leave a Reply

Your email address will not be published. Required fields are marked *