ବିକାଶ ପୁରୁଷ ତଥା ମହାନ ଜନନାୟକ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ଓଡ଼ିଶାବାସୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ତା୧୬/୦୮(ଓଡ଼ିଆ ପୁଅ): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ମହାଜନନାୟକ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୁଃଖଦ ବିୟୋଗରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ଓଡିଶାବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଶ୍ରୀ ବାଜପେୟୀ ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ସହ ଏକାଧାରାରେ ଜଣେ ଅନନ୍ୟ ଚିନ୍ତା ନାୟକ, ଲେଖକ, କବି ଓ ବରିଷ୍ଠ ରାଜନେତା ଭାବେ ପରିଚିତ।

‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ’ ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ। ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀ ଅବଦାନ ଅତୁଳନୀୟ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଂଚାଇବା ଏବଂ ବାସହରା ମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମସ ଶାଖାର ଶୁଭାରମ୍ଭ ସ୍ୱର୍ଗତଃ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା। ସେ ପାରାଦୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ଓ ଇଣ୍ଡିଆନ ଅଏଲ ତୈଳ ବିଶୋଧନାଗାର ପରିକଳ୍ପନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଂଚଳ ଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି। ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ। ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହ କିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଦୁଣ କରି ୩୨ ଶହ କିମିରେ ପହଂଚାଇଥିଲେ। ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ। ଏହି ସମସ୍ତ ଅବଦାନକୁ ମନେ ପକାଇ ରାଜ୍ୟ ବିଜେପି ନେତୃବୃନ୍ଦ ସ୍ୱର୍ଗତଃ ବାଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଶୋକ ସଭାରେ ବିଜେପି ନେତୃବୃନ୍ଦ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ଗସ୍ତ ଏବଂ ତାଙ୍କର ପ୍ରତିଟି ଅଭିଭାଷଣକୁ ମନେପକାଇ ତାଙ୍କର ସ୍ମୃତିଚାରଣ କରିଥିଲେ। ରାଜ୍ୟ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଧାୟକ ରବି ନାୟକ, ଉପ ସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ମୁଖପାତ୍ର ଗୋଲକ ମହାପାତ୍ର, ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *