ବିକାଶର ବାଧକ ତିନିତର ସେତୁ : ଚିନ୍ତାରେ ଜନତା

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲାକୁ ନଦୀବନ୍ଧ ଯୋଜନାରେ ସଂଯୋଗ କରାଯିବା ନେଇ ରାଜ୍ୟ ସରକାର ୪୦ ଦଶନ୍ଧି ପୂର୍ବରୁ ଯୋଜନା କରିଥିଲେ। ୩ ଜିଲାର ଲୋକଙ୍କ ମଧ୍ୟରେ ଯୋଗାଯୋଗ ଓ ବ୍ୟବସାୟିକ ସଂପର୍କର ଲକ୍ଷ୍ୟ ରଖିଥିଲେ। ସରକାରଙ୍କର ମୂଳ ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ବିକାଶ। ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି, ଯାଜପୁର ଜିଲାର ମା’ ବିରଜା କ୍ଷେତ୍ର ଓ କେନ୍ଦ୍ରାପଡା ଜିଲାର ପ୍ରଭୁ ବଳଦେବଜୀଉଙ୍କର ପୀଠ ସହ ଓଡ଼ିଶାର ଭକ୍ତମାନଙ୍କୁ ଯୋଡିବା। ତତ୍କାଳୀନ କଂଗ୍ରେସ ସରକାର ଏଇ ଯୋଜନା କରିଥିଲେ। ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଯାଜପୁର-ଭଦ୍ରକ ଜିଲାକୁ ସଂଯୋଗ କରାଯିବା ପାଇଁ ବୈତରଣୀ ନଦୀର କଇଁଆଗୋଲା ଠାରେ ସେତୁ ନିର୍ମାଣ। ଆରଡିର ବୈତରଣୀ ଉପରେ ତିନିତର ଘାଟରେ ସେତୁ ଓ ଚାନ୍ଦବାଲିରେ ବୈତରଣୀ ନଦୀ ଉପରେ ସେତୁ ନିର୍ବାଣ ପାଇଁ ଯୋଜନା ହୋଇଥିଲା। ୧୯୯୦ ରେ ଜନତା ଦଳ ସରକାରଙ୍କ ଅମଳରେ ଏଇ ପ୍ରସଙ୍ଗକୁ ନେଇ ଫାଇଲ୍ ଉପରକୁ ଉଠିଥିଲା। ୧୯୯୫ ରେ କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ୧୯୯୮ ରେ ସ୍ୱର୍ଗତଃ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ବୈତରଣୀ ନଦୀ ଉପରେ ଚାନ୍ଦବାଲି ଠାରେ ଏକ ସେତୁ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ୨୦୦୩ ରେ ପୋଲର ଉଦ୍ଘାଟନ କରିଥିଲେ କ୍ଷମତାସୀନ ବିଜେଡି ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାନ୍ଦବାଲି ଠାେରେ ବୈତରଣୀ ନଦୀରେ ସ୍ଥାୟୀ ପକ୍କା ପୋଲ ନିର୍ମାଣ ହେବା ପରେ ଏଇ ପଥ ଦେଇ ପୁରୀ, ଭୁବନେଶ୍ୱର, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା ଜିଲାର ଲୋକ ସହଜରେ ଚାନ୍ଦବାଲିକୁ ଆସି ପାରୁଛନ୍ତି। ଆଜକୁ ୧୩ ବର୍ଷ ତଳେ ବୈତରଣୀର କଇଁଆଗୋଲାଠାରେ ସେତୁ ନିର୍ମାଣ ହୋଇ କାର୍ଯ୍ୟକାରୀ ହେବା ପରେ ଏଇ ସେତୁ ଯାଜପୁରର ବିରଜା କ୍ଷେତ୍ରରୁ ଆରଡି ପୀଠକୁ ସଂଯୋଗ କରିଛି। ଦୁଇଟି ସେତୁ କାମ ଶେଷ ହୋଇ ଗମନାଗମନ ହେଉଥିବାବେଳେ ବୈତରଣୀ ନଦୀ ଉପରେ ଆରଡିର ତିନିତର ସେତୁ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇପାରିଲା। ଏହା ହେଉଛି ଜିଲାର ଗମନାଗମନର ମୁଖ୍ୟ ପ୍ରତିବନ୍ଧକ। ଆରଡିର ତିନିତର ଘାଟରେ ରାଜ୍ୟ ସରକାର ଟର୍ଣ୍ଣ କି ପଦ୍ଧତିରେ ସେତୁ ନିର୍ମାଣ ପାଇଁ ୧୯ ଥର ଟେଣ୍ଡର କରି ବାତିଲ ହେବା ପରେ ଶେଷରେ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ଯେ, ଏଇ ସେତୁକୁ ଟର୍ଣ୍ଣିକ୍ ପଦ୍ଧତିରେ ନିର୍ମାଣ କରାଯିବ। ଯେତେ ଟଙ୍କା ଲାଗିବ ସରକାର ଖର୍ଚ୍ଚ କରିବେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ହୋଇଛି। ଏଇ ଯୋଜନା ମୁତାବକ ୨୦୧୬ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିତର ଘାଟରେ ସେତୁ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ସେତୁ ଶୁଭ ଦେବାର ୩ ବର୍ଷ ପୂରିବାକୁ ରହିଛି। କାମ କରିବାକୁ ଟେଣ୍ଡର ନେଇଥିବା ସଂସ୍ଥା ଏବେସୁଦ୍ଧା କାମ କରି ନାହିଁ। ସେତୁ ନିର୍ମାଣ କାମ ହେବା ଲୋକଙ୍କ ପାଇଁ ଯେତିକି ଜରୁରୀ ତା ଠାରୁ ଅଧିକ ସ୍ୱାଭିମାନର ପ୍ରଶ୍ନ ହୋଇଛି ଚାନ୍ଦବାଲିବାସୀଙ୍କ ପାଇଁ। ଏଇ ନିର୍ବାଚନ ମଣ୍ଡଳୀର ଭୋଟର ନବୀନ ବାବୁଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡିକୁ ବାରମ୍ବାର ଭୋଟ୍ ଦେଉଥିବାବେଳେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ଏଇ ପ୍ରମୁଖ ପ୍ରସଙ୍ଗ ଉପରେ ନବୀନ ବାବୁ ଦୃଷ୍ଟି ଦେବାକୁ ଚାନ୍ଦବାଲି ବାସୀ ଦାବି ଉଠାଇଛନ୍ତି। ତିନିତର ସେତୁ ନିର୍ମାଣ ନହେବା ପର୍ଯ୍ୟନ୍ତ ଭଦ୍ରକ ଜିଲାର ପର୍ଯ୍ୟଟନ ବିକାଶର ଭାଗ୍ୟ ବଦଳିବ ନାହିଁ। ଯେଉଁ ପର୍ଯ୍ୟଟକମାନେ କେନ୍ଦ୍ରାପଡା ଦେଇ ଚାନ୍ଦବାଲିକୁ ଆସୁଛନ୍ତି। ସେମାନେ ସେଠାରୁ ୧୦ କିଲୋ ମିଟର ରାସ୍ତା ଆରଡିର ଆଖଣ୍ଡଳମଣି ପୀଠକୁ ଯିବା ପାଇଁ ପୁଣି ଜଳପଥରେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ତିନିତର ସେତୁ ଯେ ଆଗକୁ ଯାଇପାରୁନାହିଁ। ଚାନ୍ଦବାଲି ବ୍ଲକ୍ର ୩ ଟି ପଂଚାୟତ ଆରଡି, ନାନ୍ଦପୁର ଓ ସୁନ୍ଦରପୁର ବିଚ୍ଛିନ୍ନାଞ୍ଚଳରେ ରହିବା ପରି ରହିଛନ୍ତି। ଭଦ୍ରକର ଆରଡି, ଯାଜପୁରର ବିରଜା, କେନ୍ଦ୍ରାପଡାର ବଳଦେବଜୀଉ ଓ ଜଗତସିଂହପୁରର ମା’ ସାରଳା ପୀଠକୁ ନେଇ ରାଜ୍ୟର ଦ୍ୱିତୀୟ ପର୍ଯ୍ୟଟନ ସକ୍ରିଟ୍ କରିବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟଟନ ସର୍କିଟ୍କୁ ସାକାର କରିବାକୁ ହେଲେ ଆରଡିର ତିନିତର ସେତୁ ନିର୍ମାଣ ଜରୁରୀ ମନେହୁଏ।

Leave a Reply

Your email address will not be published. Required fields are marked *