ଓଡ଼ିଶା

ବିକାଶଠୁ ବହୁ ଦୂରରେ କାଶୀପୁର ଗାଁ ଅଣ୍ଟେ ପାଣିରେ ପଶି ପିଲାଙ୍କୁ ନେଇ ସ୍କୁଲରେ ଛାଡନ୍ତି ଅଭିଭାବକ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗାଁ ବିକାଶଠାରୁ ବହୁ ଦୂରରେ ରହିଛି। ଗାଁରେ ଯେଉଁ ଗୋଟିଏ ସ୍କୁଲ ରହିଛି, ତାହା ବର୍ଷାଦିନେ ଅଗମ୍ୟ ହୋଇଯାଏ। ଗାଁରୁ ସ୍କୁଲ ଅଧା କିମି ପର୍ଯ୍ୟନ୍ତ ସଂପୂର୍ଣ୍ଣ ମାଟି ରାସ୍ତା। ବର୍ଷା ପାଣି ନିଷ୍କାସନ ହୋଇ ନପାରି ରାସ୍ତା ମଝିରେ ପାଣି ଜମୁଛି। ୨୦୧୬ ମସିହାରେ କିଛି ମାଟି ପକାଯାଇଥିଲା। ଏବେ କିନ୍ତୁ ରାସ୍ତାର କିଛି ସତ୍ତା ନାହିଁ। ଏହି ଋତୁରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ପାଣି ଭିତରେ ପଶି ସ୍କୁଲରେ ଛାଡନ୍ତି ଆଉ ଆଣନ୍ତି। ଏ ସଂପର୍କରେ ଅଭିଯୋଗ କଲେ ମଧ୍ୟ କିଛି ପ୍ରତିକାର ନାହିଁ। ଯେଉଁ ସ୍କୁଲକୁ ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ ସେ ଅଞ୍ଚଳର ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ‘ଆମ ଗାଁ ଆମ ବିକାଶ’, ‘ସଭିଏଁ ପଢିବେ, ସଭିଏଁ ବଢିବେ’ ଆଦି ସ୍ଲୋଗାନ ମୂଲ୍ୟହୀନ ସାବ୍ୟସ୍ତ ହୋଇଛି। କୋମଳମତି ପିଲାମାନଙ୍କ ଭବିଷ୍ୟତ ଗଢିବାର ଦାୟିତ୍ୱ ନେଉଥିବା ଏହି ଅନୁଷ୍ଠାନ ପ୍ରତି ପ୍ରଶାସନ କାହିଁକି ଏତେ ବିତସ୍ପୃହ, ତାହା ବୁଝିବା କଷ୍ଟକର। ଏହି ସ୍କୁଲଟି ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେତେବେଳରୁ ସବୁଦିନିଆ ରାସ୍ତାଟିଏ ବିଦ୍ୟାଳୟକୁ ନରହିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି। ଅପରପକ୍ଷରେ ଗ୍ରାମବାସୀଙ୍କ ପାଇଁ ଦମକଳ ଓ ଆମ୍ବୁଲାନ୍ସ ସ୍ୱପ୍ନ ପାଲଟିଛି। ଗାଁରେ ହଜାରେରୁ ଅଧିକ ଲୋକ ବାସ କରନ୍ତି। ତେବେ ଗାଁକୁ ଯେଉଁ ରାସ୍ତାଟି ଅଛି ତାହା ଅଯୋଗ୍ୟ ହୋଇପଡିଛି। ବହୁଦିନ ପରେ କିଛିମାସ ତଳେ ମରାମତି ନାମରେ ନାଲିମାଟି ପକାଯାଇଥିଲା। ସେଥିରେ ବେଶୀ କିଛି ରାସ୍ତା ଅବସ୍ଥା ସୁଧୁରି ନାହିଁ। ତୁରନ୍ତ କଂକ୍ରଟି ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଭୀମସେନ ବାରିକ, କାହ୍ନୁଚରଣ ବାରିକ, ବଳିରାମ ବାରିକ ପ୍ରମୁଖଙ୍କ ମତ ଅନୁଯାୟୀ ମନ୍ତେଇ ନଦୀର ଯୋର ପାଶ୍ୱର୍ରେ ଅବସ୍ଥିତ ଏହି ଗ୍ରାମ ଭଦ୍ରକ-ଚାନ୍ଦବାଲି ରାସ୍ତାଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ। ଆରମ୍ଭରୁ ଗ୍ରାମକୁ କୌଣସି ରାସ୍ତା ନଥିଲା। ୨୦୦୨ ମସିହାରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଚେଷ୍ଟାରେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ୨ କୋଟି ଟଙ୍କା ବ୍ୟୟରେ ନଦୀନ- ସାଳନ୍ଦୀ କ୍ରିକ୍ ଖୋଳାଗଲା। ଭଦ୍ରକ ଚାନ୍ଦବାଲି ରାସ୍ତାର ଅର୍ଜୁନବିନ୍ଧା ଗ୍ରାମଠାରୁ କାଙ୍କମରା ଭାୟା କାଶିୁର କେନାଲ ଆଡକୁ କେନାଲ ରୋଡ୍ ଭାବେ ନିର୍ମାଣ କରାଯାଇଥିଲା। ଏହି ରୋଡ କାଶିପୁର ଓ କାଙ୍କମରା ଗ୍ରାମବାସୀଙ୍କ ପାଇଁ ଏକମାତ୍ର ଯାତାୟତ ରାସ୍ତା। ଏହି କେନାଲ ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ଏହି ଅଭିଯୋଗର ସରଜମିନ ତଦନ୍ତ କରି ବିହୀତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ଦାବିପତ୍ରର ନକଲ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜଳସଂପଦ ବିଭାଗ ସଚିବ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ପ୍ରଦାନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top