ବିକଳ୍ପ ରାସ୍ତା ନିର୍ମାଣ ଦାବୀ ନେଇ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ

ତାଳଚେର,୧୩/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିକଳ୍ପ ରାସ୍ତା ନିର୍ମାଣ ଦାବୀ ନେଇ ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ଶାଳବଣିଆ ଛକଠାରେ ଚାଲିଥିବା ଗଣଧାରଣା ମଙ୍ଗଳବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମାଧାନୀ ବୈଠକ ଶାଳବଣିଆ ଛକଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ଏସଡ଼ିପିଓ ହେମନ୍ତ କୁମାର ପଣ୍ଡା, ଉପଖଣ୍ଡ ବନାଧିକାରୀ ବିକ୍ରମଦେବ ପଟ୍ଟନାୟକ, ଡେପୁଟି କଲେକ୍ଟର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଏମସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ କାଳୀଚରଣ ଖୁଣ୍ଟିଆ, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ପାତ୍ରଙ୍କ ସମେତ କଳମଛୁଇଁ, ଗୋପାଳପ୍ରସାଦ, କୁମୁଣ୍ଡା, ଡଅଁରା ଆଦି ପଂଚାୟତର ଲୋକପ୍ରତିନିଧିମାନେ ଯୋଗଦାନ କରିଥିଲେ।

ଏହି ବୈଠକରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା କରା ଯାଇଥିଲା। ଆସନ୍ତା ୨ମାସ ମଧ୍ୟରେ କୋଇଲା ପରିବହନ ପାଇଁ ଏକ ବିକଳ୍ପ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। ତତ୍ ସହିତ ଏକ ସପ୍ତାହ ମଧ୍ୟରେ ସର୍ବସାଧାରଣ ରାସ୍ତାକୁ ମରାମତି କରାଯିବା ସହ ନୋ-ଏଂଟି୍ର ଜୋନ୍ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ସୂଚନାଯୋଗ୍ୟ, ଶାଳବଣିଆ ଛକ ସ୍ଥିତ ସର୍ବସାଧାରଣ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରଖିବା ସହ କୋଇଲା ପରିବହନ ନିମନ୍ତେ ଏକ ବିକଳ୍ପ ରାସ୍ତା ନିର୍ମାଣ ଦାବୀରେ ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାତ୍ରଙ୍କ ନେତୃତ୍ୱରେ ଏକ ଗଣଧାରଣା ଦିଆଯାଇଥିଲା। ଏହି ବୈଠକରେ କୁମୁଣ୍ଡା ସରପଂଚ ବିରଂଚି କୁମାର ସାହୁ, ସମିତି ସଭ୍ୟ ପନଙ୍ଗ ଭୂଷଣ ସାହୁ, ଡଅଁରା ସରପଂଚ କଳ୍ପନା ବେହେରା,ସମିତି ସଭ୍ୟା କାନନ ବେହେରା, ଗୋପାଳପ୍ରସାଦ ସରପଂଚ ପୁଷ୍ପଲତା ଜ୍ୟୋତିଷ,ସମିତି ସଭ୍ୟ ଅର୍ଜୁନ ବେହେରା, କଳମଛୁଇଁ ନାଏବ ସରପଂଚ ସୁବ୍ରତ କୁମାର ପ୍ରଧାନ, ସମିତି ସଭ୍ୟା କୁମୁଦିନୀ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ସମାଜସେବୀ ନିରାକର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *