ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରାଷ୍ଟ୍ରାୟତ ବ୍ୟାଙ୍କ ସମୂହର ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ନୀତିଗତ ମଞ୍ଜୁରି

ନୂଆଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଏକ ଯୁଗୋପଯୋଗୀ ବିକଳ୍ପ ବ୍ୟବସ୍ଥା ଜରିଆରେ ସ୍ୱଚ୍ଛଳ ଓ ଅସ୍ୱଚ୍ଛଳ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ବିକଳ୍ପ ବ୍ୟବସ୍ଥାକୁ କେନ୍ଦ୍ର କ୍ୟାବିନେଟ ନୀତିଗତ ଭାବେ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ବର୍ତମାନର ପରିସ୍ଥିତିରେ ଅଧିକ ପ୍ରତିଯୋଗୀତାମୂଳକ କରିବା ଲାଗି ନିଷ୍ପତି ନିଆଯାଇଛି। ଛୋଟ ବଡ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ମିଶ୍ରଣ ଦ୍ୱାରା ଅତି ସ୍ୱଚ୍ଛଳ ଓ ସଶକ୍ତ ବ୍ୟାଙ୍କ ଗଠନ ହୋଇପାରିବ।

ରାଷ୍ଟ୍ରାୟତ ବ୍ୟାଙ୍କ ସମୂହର ସଶକ୍ତିକରଣ ପାଇଁ ପ୍ରସ୍ତୁତ ବିକଳ୍ପ ବ୍ୟବସ୍ଥାର ଢ଼ାଂଚା ବା ଫ୍ରେମ ୱାର୍କକୁ କ୍ୟାବିନେଟ ମୋହର ବାଜିଛି। ଏହି ଫ୍ରେମ ୱାର୍କର ବୈଶିଷ୍ଟଗୁଡିକ ହେଲା–
– ଶକ୍ତିଶାଳୀ ଓ ପ୍ରତିଯୋଗୀତାପୂର୍ଣ୍ଣ ବ୍ୟାଙ୍କ ଗଠନ କରିବା ନିଷ୍ପତି କେବଳ ବ୍ୟାବସାୟିକ ଦୃଷ୍ଟିରୁ ବିଚାର କରାଯିବ।
– ବ୍ୟାଙ୍କ ବୋର୍ଡ ପାଖରୁ ହିଁ ଏ ସଂକ୍ରାନ୍ତ ପ୍ରସ୍ତାବ ଆସିବା ଜରୁରୀ।
– ବ୍ୟାଙ୍କମାନଙ୍କ ପକ୍ଷରୁ ନୀତିଗତ ମିଶ୍ରଣ ମଞ୍ଜୁରି ପାଇଁ ମିଳୁଥିବା ପ୍ରସ୍ତାବକୁ ବିକଳ୍ପ ବ୍ୟବସ୍ଥା ଫ୍ରେମ ୱାର୍କ ମଧ୍ୟରେ ବିଚାର ପାଇଁ ଗ୍ରହଣ କରାଯିବ।
– ନୀତିଗତ ମଞ୍ଜୁରି ପରେ ସେବିର ଆବଶ୍ୟକତା ଓ ଆଇନ ମତେ ବ୍ୟାଙ୍କ ମିଶ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଭାରତୀୟ ରିଜର୍ଭ ବ୍ୟାଙ୍କର ପରାମର୍ଶକ୍ରମେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ମିଶ୍ରଣ ସଂକ୍ରାନ୍ତରେ ଚୁଡାନ୍ତ ସ୍କିମ୍ ବିଜ୍ଞପ୍ତି ଆକାରରେ ପ୍ରକାଶ କରିବେ।
ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଛାଡି ଦେଶରେ ୨୦ଟି ରାଷ୍ଟ୍ରାୟତ ବ୍ୟାଙ୍କ କାର୍ଯ୍ୟ କରୁଛି। ବ୍ୟାଙ୍କ ଜାତୀୟକରଣ ପରେ ୧୯୭୦-୮୦ ଦଶକ ମଧ୍ୟରେ ବ୍ୟାଙ୍କ କାରବାର ଓ ସାମଗ୍ରୀକ ଚିତ୍ରରେ ଅନେକ ପରିବର୍ତନ ଓ ସଂସ୍କାର ଆସିଛି। ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟତିତ ଘରୋଇ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ, ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ, ପେମେଂଟ ବ୍ୟାଙ୍କ ଏବଂ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନଗୁଡିକ କାର୍ଯ୍ୟରତ ଅଛନ୍ତ। ଆଜି କ୍ୟାବିନେଟ ନିଷ୍ପତିର ମୂଳ ଲକ୍ଷ୍ୟ ହେଲା ଦେଶରେ ଶକ୍ତିଶାଳୀ ରାଷ୍ଟ୍ରାୟତ ବ୍ୟାଙ୍କ ଗଠନ ଯେଉଁମାନେ କି ଜାତୀୟ ଏବଂ ଆର୍ନ୍ତଜାତିକ ସ୍ତରରେ ପ୍ରବଳ ପ୍ରତିଯୋଗୀତାର ସଫଳ ମୁକାବିଲା କରିପାରିବେ। ଏହାଛଡା ଭାରତ ଭଳି ଏକ କ୍ରମବର୍ଦ୍ଧିଷ୍ଣୁ ଅର୍ଥ ବ୍ୟବସ୍ଥାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ, ଋଣ ସହାୟତା ପ୍ରଦାନ, ଅତିରିକ୍ତ ସମ୍ବଳ ସଂଗ୍ରହ, ରାଜ୍ୟ ରାଜକୋଷ ଉପରେ ନିର୍ଭର ନ କରି ବ୍ୟାଙ୍କ କାର୍ଯ୍ୟ ପରିଚାଳନା ଏବଂ ବିଭିନ୍ନ କ୍ଷେତ୍ରର ଋଣ ଚାହିଦା ପୁରଣ କରିବା ହେଉଛି ଶକ୍ତିଶାଳୀ ବ୍ୟାଙ୍କ ଗଠନର ଅନ୍ୟତମ ଉଦ୍ଦେଶ୍ୟ।

୧୯୯୧ ମସିହାରେ ଏହା ମଧ୍ୟ ଚିନ୍ତା କରାଯାଇଥିଲା ଯେ, ଦେଶରେ କମ୍ ସଂଖ୍ୟକ ରାଷ୍ଟ୍ରାୟତ ବ୍ୟାଙ୍କ ରହିବେ ଅଥଚ ସେମାନେ ବେଶ୍ ଶକ୍ତିଶାଳୀ ଓ ସ୍ୱଚ୍ଛଳ ଭାବେ କାର୍ଯ୍ୟ କରିବେ। ତେବେ ଏହି ଚିନ୍ତାଧାରାକୁ ମେ ୨୦୧୬ରେ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଥମ କରି ବ୍ୟାଙ୍କ ମିଶ୍ରଣ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ଏହାର ୬ଟି ଆନୁସଙ୍ଗିକ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ରୂପେ ମିଶାଇ ଦେବା ଲାଗି ନିଷ୍ପତି ନିଆଯାଇଥିଲା। ପୂର୍ବରୁ ଇନେ୍ଦାର ଏବଂ ସୌରାଷ୍ଟ୍ର ଷ୍ଟେଟ ବ୍ୟାଙ୍କର ମିଶ୍ରଣ ବିଳମ୍ବିତ ହୋଇଥିବା ବେଳେ ୨୦୧୬ ମେ ପରେ ଅନୁଷ୍ଠିତ ଷ୍ଟେଟ ବ୍ୟାଙ୍କ ସମୂହର ମିଶ୍ରଣ ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା।

ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହେଉଛି ଦେଶର ସବୁଠାରୁ ବୃହତ ନେଟୱାର୍କ ବିଶିଷ୍ଟ ବ୍ୟାଙ୍କ। ଏହାର ୨୪ ହଜାର ଶାଖା, ୫୯ ହଜାରରୁ ଅଧିକ ଏଟିଏମ୍ , ୫୦ ହଜାରରୁ ଅଧିକ ବ୍ୟବସାୟ ପ୍ରତିନିଧି ଏବଂ ୬ ଲକ୍ଷ ପିଓଏସ୍ ମେସିନ୍ କାର୍ଯ୍ୟ କରୁଛି। ଏକ ସୂଚନା ଅନୁଯାୟୀ ଦେଶର ୭୦ ପ୍ରତିଶତ ଗ୍ରାମାଂଚଳ ଓ ସହରତଳୀ ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ବ୍ୟାଙ୍କ ବ୍ୟବସାୟ କରୁଛି। କେବଳ ସେତିକି ନୁହଁ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଶରେ ସବୁଠାରୁ କମ୍ ସୁଧରେ ଋଣ ସହାୟତା ପ୍ରଦାନ କରୁଛି, ଯାଦ୍ୱାରା କ୍ଷୁଦ୍ର ବ୍ୟବସାୟୀ, ମହିଳା ଉଦ୍ୟୋଗୀ ଏବଂ ଚାଷୀ ସମାଜ ବେଶ ଉପକୃତ ହେଉଛନ୍ତି। ଏସବିଆଇ ସଂଲଗ୍ନ ଆପ ଆଧାରିତ ବ୍ୟବସ୍ଥା ଜରିଆରେ ୮.୬ ଲକ୍ଷ ବ୍ୟବସାୟୀ କାରବାର କରୁଛନ୍ତି। ସେଥିମଧ୍ୟରେ ଭୀମ ଆଧାର, ଭାରତ କ୍ୟୁଆର ଏବଂ ପିଓଏସ ଡିଭାଇସ ଅନ୍ୟତମ।

Leave a Reply

Your email address will not be published. Required fields are marked *