ବିଏସଏନଏଲ ସେବାରେ ବିଭ୍ରାଟ – ମୁହଁ ଫେରେଇଲେଣି ଗ୍ରାହକ ; ବରିଷ୍ଟ ସାମ୍ବାଦିକ ଅଭୟ ପତି

ଯାଜପୁର-୭/୮(ଓଡିଆ ପୁଅ/ଏ.ରାଉତ) ବିଏସଏନଏଲ (ଭାରତ ସଂଚାର ନିଗମ ଲିମିଟେଡ)ସେବାରେ ଗୁରୁତର ବିଭ୍ରାଟ ପରିଲକ୍ଷିତ ହୋଇଛି । ମାସେ ହେଲାଣି ଏନେଇ ବ୍ୟାସନଗର ସହରବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । କୌଣସି ବିଏସଏନଏଲ ମୋବାଇଲରୁ କୌଣସି ନେଟୱର୍କକୁ ଫୋନ୍ ଯାଉନାହିଁ କିମ୍ବା ଆସୁନାହିଁ । ଫଳରେ ବିକଳ୍ପଭାବେ ବିଏସଏନଏଲ ଗ୍ରାହକ ଅନ୍ୟ ନେଟୱର୍କ ଫୋନ ରଖିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଲ୍ୟାଣ୍ଡ ଲାଇନ୍ ସେବା ମାସ ମାସ ଧରି ଅଚଳ ରହୁଥିବାବେଳେ ଏହା ଉପରୁ ଲୋକଙ୍କ ଭରଷା ସଂପୂର୍ଣର୍ ତୁଟି ଯାଇଛି । ସହରରେ କାଁ ଭାଁ ଯେଉଁମାନେ ଘରୋଇ ଲ୍ୟାଣ୍ଡଲାଇନ ସେବା ରଖିଛନ୍ତି କେବଳ ବ୍ରଡବ୍ୟାଣ୍ଡ ଇଂଟରନେଟ୍ ସେବାପାଇଁ । ସେହି ସୁବିଧାରୁ ମଧ୍ୟ ମାସ ମାସ ଧରି ବଂଚିତ ହେଉଥିବାରୁ ଆଉ ଲୋକେ ବିଏସଏନଏଲ ନାଁ ଧରୁନଥିବାବଳେ ଏହି ସେବାରୁ ମୁହଁ ଫେରେଇ ନେଲେଣି ବୋଲି କହିଛନ୍ତି ବରିଷ୍ଟ ସାମ୍ବାଦିକ ଅଭୟ ପତି । ଦିନଥିଲା ବିଏସଏନଏଲର ଲ୍ୟାଣ୍ଡଲାଇନ୍ ଟେଲିଫୋନ୍ ସେବା ଯା ଘରେ ନଥିଲା ସେଠାରେ ଲୋକେ ଝିଅ ଦେଉ ନଥିଲେ କିମ୍ବା ବ୍ୟାଙ୍କ ବାଲା ଲୋନ୍ ମଧ୍ୟ ଦେଉନଥିଲେ । କହୁଥିଲେ ନୋ ଫୋନ୍ ନୋ ଲୋନ୍ । ଏବେକିନ୍ତୁ ସେ ଧାରା ବଦଳିଯାଇଥିବା ଦେଖିବାକୁ ମିଳିଛି । ବିଏସଏନଏଲ ଭଳି ଏକ ସମ୍ମାନଜନକ ସରକାରୀ ସେବାରେ ଏଭଳି ବିଭ୍ରାଟ ଦେଖାଦେବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । କାହିଁକି ଏଭଳି ପରିସ୍ଥିତି ଉପୁଜୁଛି ସେନେଇ ବିଭାଗ ପକ୍ଷରୁ ଖୋଳତାଡ କରାଯିବାସହ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହଛିବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗତମାସରେ ସହରରେ ରାସ୍ତା କଡରେ ଡ୍ରେନ୍ ନିର୍ମାଣ ସମୟରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ସହରରେ ୭୭୦ ପେୟାର ଟେଲିଫୋନ ତାର କଟିଯାଇଥିଲା ଯାହା ଆଜି ପର୍ଯ୍ୟନ୍ତ ସଜଡା ହୋଇ ପାରିନାହିଁ । ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି ପାଖାପାଖି ହଜାରେରୁ ଉଦ୍ଦ୍ୱର୍ ଗ୍ରାହକ ଓ ୫ଟି ବଡ ବଡ ବ୍ୟାଙ୍କ । ଯାଜପୁରରୋଡ ଟେଲିଫୋନ୍ ଏକ୍ସଚେଞ୍ଜରୁ ଚୋରଦା ଛକ ଦେଇ ସହର ମଧ୍ୟକୁ ଯାଇଥିବା ମୁଖ୍ୟ କେବୁଲକୁ କୀର୍ତ୍ତନ ଏନ୍କ୍ଲେଭ ଆପାର୍ଟାମେଂଟ ନିକଟରେ ସଂପୃକ୍ତ ନିର୍ମାଣକାରୀ ଠିକାଦାରଙ୍କ ଦ୍ୱାରା ନିୟାଜିତ ମେସିନ୍ ଡ୍ରେନ ଖୋଳୁଥିବା ସମୟରେ କାଟିଦେଇଥିଲେ । ଏଠାରେ କେବୁଲ ଲାଇନ କଟିଯିବା ଫଳରେ ସମାଜ ଅଫିସ, ଚୋରଦା ବ୍ୟାଙ୍କଷ୍ଟ୍ରୀଟ୍ ମୁଖ୍ୟ ରାସ୍ତା, ରାଧାନାଥ ମାର୍ଗ, ତହସିଲ ଅଫିସ, ପୌର କାର୍ଯ୍ୟାଳୟ. ବସଷ୍ଟାଣ୍ଡ, ଚୋରଦା- ଦଳା ବାଇପାସରେ ଥିବା ସମସ୍ତ ଲ୍ୟାଣ୍ଡ ଲାଇନ୍ ସେବା ମାସେ କାଳ ବ୍ୟାହତ ହେଲା । ସହରରେ ଥିବା ବିଜୟା ବ୍ୟାଙ୍କ, ଦେନା ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଆଂଚଳିକ ଶାଖା, ଓରିଏଂଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ୫ଟି ବ୍ୟାଙ୍କର ବିଏସଏନ୍ଏଲ ନେଟ୍ ସେବା କଟିଯାଇଥିବାରୁ ୧୫ ଦିନ ଧରି ଲିଙ୍କ ଫେଲ ରହିବାରୁ ହଜାର ହଜାର ଗ୍ରାହକ ନାହିଁ ନଥିବା ହଇରାଣ ହୋଇଛନ୍ତି । । ବ୍ୟାଙ୍କରେ ଘଂଟା ଘଂଟା ଧରି ଗ୍ରାହକ ମାନେ ଠିଆହୋଇ ଅସନ୍ତୋସ ବ୍ୟକ୍ତ କରୁଥିବା ଦେଖାଯାଇଥିଲା । ଇଂଟରନେଟ ସେବା ବ୍ୟାହତ ହେବାରୁ ସଂପୃକ୍ତ ବ୍ୟାଙ୍କର ଏଟିଏମ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇ ବନ୍ଦ ରହିଥିଲା । ସହରର ବିଭିନ୍ନ ମହଲରେ ଏହି ଘଟଣାକୁ ଉଦବେଗ ପ୍ରକାଶ ପାଇବାପରେ ଆମେ ଏନେଇ ଯାଜପୁରରୋଡ ଟେଲିଫୋନ୍ ଏକ୍ସଚେଞ୍ଜର କନିଷ୍ଠ ଟେଲିଫୋନ୍ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ମତାମତ ଲୋଡିଥିଲୁ । ବାରମ୍ବାର ବିଜୁଳି ଓ ଘଡଘଡି ପାଇଁ ମୋବାଇଲ ସେବାରେ ଏଭଳି ସମସ୍ୟା ଉପୁଜିଛି ଓ ଠିକାଦାରଙ୍କ ପକ୍ଷରୁ ଡ୍ରେନ ନିର୍ମାଣ ସମୟରେ କେବୁଲ ତାଡି ଦିଆଯାଇଥିବାରୁ ଯାଜପୁରରୋଡ ଏକ୍ସଚେଞ୍ଜର ଶହ ଶହ ଟେଲିଫୋନ୍ ଲାଇନ ଅଚଳ ହୋଇଯାଇଥିଲା । ଆମ ଅଧୀନରେ ପର୍ଯାପ୍ତ କ୍ଷେତ୍ର କର୍ମଚାରୀ ନଥିବାରୁ ଧିରେ ଧିରେ କାମ ଚାଲିଛି ଓ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

Leave a Reply

Your email address will not be published. Required fields are marked *