ଓଡ଼ିଶା

ବାହାଘର ୪ମାସ ନପୁରୁଣୁ ଯୌତୁକ ଜୁଇରେ ବଳି ପଡ଼ିଲା ଉର୍ମିଳା, ୨ଲକ୍ଷ ଟଙ୍କା ନଦେବାରୁ ପୋଡ଼ି ମାରିଦେଲେ ନବବଧୂକୁ

ବାହାନଗା/ ବାଲେଶ୍ୱର, ୧୮/୦୯(ଓଡ଼ିଆ ପୁଅ/ ଭାରତୀଦାସ)- ଯୌତୁକ ଜୁଇରେ ୨ଲକ୍ଷ ଟଙ୍କା ପାଇଁ ପୁଣି ବଳି ପଡ଼ିଲେ ନବବଧୂ। ବିବାହର ୪ମାସ ନପୁରୁଣୁ ଯୌତୁକ ଲୋଭି ସ୍ୱାମୀ, ଶାଶୁ, ଶ୍ୱଶୁର ନବ ବଧୂକୁ ପୋଡ଼ି ମାରି ଦେଇଥିବାର ଅଭିଯୋଗ ହୋଇଛି। ଘର ତିଆରି ପାଇଁ ୨ଲକ୍ଷ ଟଙ୍କା ମାଗି ନପାଇବାରୁ ଏଭଳି ଜଘନ୍ୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତର କୁମାରପାଟଣାରେ ଘଟିଛି। ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ବୋଇତା ଗ୍ରାମର ଅକ୍ଷୟ ବେହେରାଙ୍କ ଝିଅ ଉର୍ମିଳା(୨୦)ଙ୍କୁ କୁମାରପାଟଣାର ମନୁ ଶିଅଳଙ୍କ ପୁଅ ନରହରି ଓରଫ ବାବୁ(୨୪) ବୈଦିକ ରୀତିରେ ଚଳିତ ବର୍ଷ ମଇ ମାସ ୧୧ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ଅନୁଯାୟୀ ୨୦ହଜାର ଟଙ୍କା ସହ ଝିଅକୁ ହାର ସେଟ ଗହଣା, ପୁଅକୁ ସୁନା ଚେନ, ମୁଦି ସହ ସମସ୍ତ ଆସବାବପତ୍ର ଦିଆଯାଇଥିଲା ହେଲେ ବିବାହା ପରେ ବାଙ୍ଗାଲୋରରେ କାମ କରୁଥିବା ଜ୍ୱାଇଁ ନରହରି ଗ୍ରାମରେ ପକ୍କାଘର ତିଆରି କରୁଥିଲେ। ଘର ତିଆରି ନିମନ୍ତେ ସ୍ୱାମୀ ନରହରିଙ୍କ ସମେତ ଶ୍ୱଶୁର ମନୁ ଓ ଶାଶୁ ଘାଉଲି ୨ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ବାରମ୍ବାର ଚାପ ପକାଉଥିଲେ। ଉର୍ମିଳା ମଧ୍ୟ ୨ଲକ୍ଷ ଟଙ୍କା କଥା ବାପ ଘରକୁ ଜଣାଇଥିଲେ। ତେବେ ଟଙ୍କା ନ ମିଳିବାର ଦେଖି ଶାଶୁଘର ଲୋକେ ନବବଧୂକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ତେବେ ଗତକାଲି ରାଧାଷ୍ଟମୀ ଭାର ନେଇ ଭାଈ ତରଣୀସେନ ଭଉଣୀ ଘରକୁ ଯାଇଥିଲେ ମଧ୍ୟ ଶାଶୁଘର ଲୋକେ ଯୌତୁକ ଟଙ୍କା କେବେ ମିଳିବ ବୋଲି ତାଙ୍କୁ ପଚାରି ଥିଲେ। ଅପରାହ୍ନରେ ତରଣୀ ଘରକୁ ଫେରି ଥିଲେ ମଧ୍ୟ ଆଜି ମଧ୍ୟାନ୍ନରେ ଉର୍ମିଳା ପୋଡ଼ି ମରିଥିବାର ବାପଘର ଲୋକ ଭିନ୍ନ ସୂତ୍ରରୁ ଖବର ପାଇଥିଲେ। ଖବରପାଇ ବାପଘର ଲୋକେ ତୁରନ୍ତ ଭଦ୍ରକ ମେଡ଼ିକାଲରେ ପହଞ୍ଚି ଉର୍ମିଳା ମରିପଡ଼ିଥିବାର ଦେଖିଥିଲେ। ତେବେ ଯୌତୁକ ପାଇଁ ଉର୍ମିଳାକୁ ପୋଡ଼ି ମାରି ଦେଇଥିବାର ବାପା ଅକ୍ଷୟ ବେହେରା ଓ ମାମୁଁ ଶଶଧର ଶିଅଳ ସିମୁଳିଆ ଥାନାରେ ଅଭିଯୋଗ କରିଥିବାର ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top