ଜିଲ୍ଲା ପରିକ୍ରମା

ବାସୁଦେବପୁର, ଧାମରା ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ଚୁକ୍ତିନାମା ସ୍ୱାକ୍ଷର ଦୁଇଟି ସହର ଲାଗି ୪୪ ଲକ୍ଷ ଅଟକଳ, ୬୦ ସପ୍ତାହ ମଧ୍ୟରେ ଚୂଡାନ୍ତ ମାଷ୍ଟରପ୍ଲାନ

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ବାସୁଦେବପୁର ଓ ଧାମରା ସହରର ମାଷ୍ଟରପ୍ଲାନ୍ ପ୍ରସ୍ତୁତି ଅଭିପ୍ରାୟ ନେଇ ବେଙ୍ଗାଲୁରର ସ୍କାଏ ଗ୍ରୁପ୍ ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି। ସହର ଯୋଜନା ନିର୍ଦ୍ଦେଶକଙ୍କ ପରାମର୍ଶରେ ବେଙ୍ଗାଲୁରର ଏହି ସଂସ୍ଥାକୁ ନିଯୁକ୍ତ କରାଯାଇଛି। ଜିଲାପାଳ ଜ୍ଞାନ ଦାସଙ୍କ ଉପସ୍ଥିତିରେ ତାଙ୍କ କାର୍ଯ୍ୟାଳୟଠାରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାରେ ଧାମରା ପାଇଁ ୨୨ ଲକ୍ଷ ୮୧ ହଜାର ଓ ବାସୁଦେବପୁର ପାଇଁ ୨୧ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଚୁକ୍ତିନାମା ଅନୁସାରେ ୬୦ ସପ୍ତାହ ମଧ୍ୟରେ ୨ଟି ସହରର ଚୂଡାନ୍ତ ମାଷ୍ଟରପ୍ଲାନ୍ ପ୍ରକାଶ ପାଇବ। ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ସଂସ୍ଥା ଅଧିନିୟମ ୧୯୫୬ ଓ ନିୟମାବଳୀ ୧୯୭୫ ବ୍ୟବସ୍ଥା ଅନୁଯାୟୀ ସହର ଅଭିବୃଦ୍ଧିକୁ ଯୋଜନା ଓ ସ୍ୱାସ୍ଥ୍ୟକର ଭିତ୍ତିରେ ନିୟନ୍ତ୍ରଣ ଓ ମାର୍ଗ ପ୍ରଦର୍ଶନ ନିମନ୍ତେ ୨୦୪୦ ମସିହାକୁ ଦୃଷ୍ଟିରେ ରଖି ଏହି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। ଏହି ପରିଯୋଜନାର ବିବରଣୀ ଅନୁଯାୟୀ ୪୬ ହଜାର ୫୨୧ ଜନସଂଖ୍ୟା ବିଶିଷ୍ଟ ୫୭ ଟି ରାଜସ୍ୱ ଗ୍ରାମର ୧୧୩.୨୫ ବର୍ଗ କିଲୋମିଟର ଅଂଚଳକୁ ନେଇ ଧାମରା ନୂଆ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ରହିଛି। ଏହା ପୂର୍ବରୁ ୫୭ ଟି ରାଜସ୍ୱ ଗ୍ରାମକୁ ନେଇ ଓଡ଼ିଶା ସହର ଯୋଜନା ଓ ଉନ୍ନୟନ ସଂସ୍ଥା ଅଧିନିୟମ ସଂପ୍ରସାରଣ କରାଯାଇଥିଲା। ଏ ସଂପର୍କରେ ଗତ ୨୫.୦୫.୧୧ ତାରିଖରେ ସରକାରଙ୍କ ଗୃହ ନିର୍ମାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ନଂ ୧୨୮୮୯ ପ୍ରକାଶ ପାଇଥିଲା। ସେହିପରି ବାସୁଦେବପୁର ପୌରପାଳିକାର ୩୩, ୬୯୦ ଜନସଂଖ୍ୟା ବିଶିଷ୍ଟ ୨୧ଟି ରାଜସ୍ୱ ଗ୍ରାମର ୪୭.୩୪ ବର୍ଗ କିଲୋମିଟର ଅଂଚଳକୁ ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହି ୨ଟି ସହରର ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ନିମନ୍ତେ ‘ଓରସାକ’ (ମହାକାଶ ଉପଯୋଗ କେନ୍ଦ୍ର) ପକ୍ଷରୁ ଆକାଶ ମାର୍ଗରୁ ସର୍ବେକ୍ଷଣ କରାଯାଇଥିଲା। ମାଷ୍ଟର ପ୍ଲାନ୍ ଭବିଷ୍ୟତ ବିକାଶକୁ ସମନ୍ୱିତ ମାର୍ଗରେ ବ୍ୟବସ୍ଥିତ କରିବା ପାଇଁ ଏକ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି। ଏହି ଦସ୍ତାବିଜ୍ରେ ଜନସଂଖ୍ୟା, ଅର୍ଥନୀତି, ମୌଳିକ ସୁବିଧା ଓ ଭୂମି ଉପଯୋଗ ପାଇଁ ବିଶ୍ଳେଷଣ ପାଇଁ ସୁପାରିଶ ଓ ପ୍ରସ୍ତାବମାନ ରଖାଯାଇଛି। ଜିଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଚୁକ୍ତିନାମା ପତ୍ରରେ ସ୍ୱତନ୍ତ୍ର ଯୋଜନା କର୍ତ୍ତୃପକ୍ଷ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଓ ସ୍କାଏ ଗ୍ରୁପ୍ ସଂସ୍ଥାର ବରିଷ୍ଠ ସହର ଯୋଜନାକାରୀ ରଂଜନ ଚଟ୍ଟୋପାଧ୍ୟାୟ ସ୍ୱାକ୍ଷର କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଓ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top