ବାସୁଦେବପୁର ଜଳ ସମ୍ପଦର ବିଚିତ୍ର ନୀତି ,ପାଠରେ ଡୋରି ବାନ୍ଧିଲେ ଛାତ୍ରଛାତ୍ରୀ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ବାସୁଦେବପୁର ଜଳ ସମ୍ପଦ ବିଭାଗର ନୀତି ଯୋଗୁ ଧାମରା ଅଂଚଳର ବହୁ ଛାତ୍ରଛାତ୍ରୀ ନିଜ ପାଠରେ ଡୋରି ବାନ୍ଧିଛନ୍ତି । ପାଠ ପ୍ରତି ଆଗ୍ରହ ଥିବା ଛାତ୍ରଛାତ୍ରୀ ଅନାଇ ବସିଛନ୍ତି କେବେ ରାସ୍ତା ଅବସ୍ଥାରେ ସୁଧାର ଆସିବ ଏବଂ ବର୍ଷାଦିନ ପରେ ସେମାନେ ପୁଣି ବିଦ୍ୟାଳୟର ମୁହଁ ଦେଖିବା ସହ ଦୀର୍ଘ ୪ ମାସର ପାଠ ଗୋଟିଏ ମାସରେ ଶେଷ କରିବେ ଏବଂ ଅନ୍ୟ ସହପାଠୀଙ୍କ ସହ ତାଳ ମିଳାଇ ଚାଲିବେ । ଏହା ଏକ କାହାଣୀ ନୁହେଁ ଏହା ଧାମରା ଅର୍ନ୍ତଗତ ବାଂଶଡା ପଂଚାୟତର ଥିବା ଗୁଳା ଗ୍ରାମ ପ୍ରତି ବାସୁଦେବପୁର ଜଳ ସମ୍ପଦ ବିଭାଗର କାଳକ୍ଷେପଣ ନୀତି । ଗୋଟିଏ ପଟରେ ନିଜର ଠିକାଦାର ମାନଙ୍କୁ ଘଂଟ ଘୋଡାଇ ବିଭାଗୀୟ ଅଧିକାରୀ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ଦୀର୍ଘ ୪ ମାସ ହେବ ଏହି ଗ୍ରାମକୁ ଥିବା ଯାତାୟତ ରାସ୍ତା ସଂପୂର୍ଣ ବନ୍ଦ ହୋଇ ଯାଇଛି । ଖବରରୁ ଜଣାଯାଇଛି  ମାର୍ଚ ମାସରେ ବାସୁଦେବପୁର ଜଳ ସମ୍ପଦ ବିଭାଗ ଗୁଳା ଗ୍ରାମ ନିକଟରେ ଥିବା ମନ୍ତେଇ ନଦୀ ପାଶ୍ୱର୍ ରାସ୍ତାରେ ହୋମ ପାଇପ ବିଛାଇବା ସହ ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ଆଦେଶ ଦେଇଥିଲେ । ଆଦେଶ ପାଇବା ପରେ କଛପ ଗତିରେ ନିର୍ମାଣ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘ ୪ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାପ୍ତ ହୋଇ ପାରିଲା ନାହିଁ । ଏହା ଫଳରେ ଲୁଣା ବନ୍ଧ ରାସ୍ତାରେ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଠରେ ଡୋରି ବନ୍ଧା ହୋଇଯିବା ସହ ସାଧାରଣ ଲୋକଙ୍କ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ବର୍ଷା ସମୟରେ ଡଙ୍ଗାର ସାହଯ୍ୟ ନେଉଥିବା ଜଣାଯାଇଛି । ଇତି ମଧ୍ୟରେ ଏହି ଗ୍ରାମର ୫ଶହ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଳ ଶୂନ ।  ଦିନକୁ ଦିନ ବାସୁଦେବପୁର ଜଳ ସମ୍ପଦ ବିଭାଗ ପ୍ରତି ଲୋକ ମାନଙ୍କର ଆସ୍ଥା କମି କମି ଯାଉଥିବା ବେଳେ କେବେ ଏହି ରାସ୍ତା ସଂପୂର୍ଣ ହେବା ସହ ଲୁଣା ବନ୍ଧର ମରାମତିକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଏହି କାର୍ଯ୍ୟ କେବେ ସରିବ ତାହା କହିବା ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କଷ୍ଟକର ବ୍ୟାପାର ହୋଇ ପଡିଛି ।ଏଥିସହ ଜଳ ସମ୍ପଦ ର ବିଚିତ୍ର ନୀତି ଯୋଗୁ ବର୍ଷା ଦିନରେ ବାଂଶଡା,ଧାମରା ଅଂଚଳର ବହୁ ଚାଷ ଜମିରେ ଲୁଣା ପାଣି ମାଡିବାର ଆଶଙ୍କା ବଢି ବଢି ଚାଲିଛି ଫଳରେ ଜଳ ସମ୍ପଦର କାଳକ୍ଷେପଣ ନୀତିରେ ଚାଷୀ ମାନେ ନିଜର ଜିବୀକା ହରାଇବା ଆଶଙ୍କା ଦୃଢୀଭୁତ ହେବାରେ ଲାଗିଛି ।ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଏବଂ ଚାଷୀ ମାନଙ୍କ ଜିବୀକାକୁ ଆଖି ଆଗରେ ରଖି ତୁରନ୍ତ ଏହି କାର୍ଯ୍ୟ ଶେଷ କରିବାକୁ ଗ୍ରାମର ଅନିରୁଦ୍ଧ ବଳ, ପରୀକ୍ଷିତ ବଳ, ଇନ୍ଦ୍ରମଣି ବଳ, ଗଗନ ବଳ, ପ୍ରତାପ ବଳ, ନଟବର ଧଳ, ମହେନ୍ଦ୍ର ବେହେରା, ଧନେଶ୍ୱର ଧଳ, ସୁଦାମ ଦାସ, ଶ୍ରୀଧର ବାରିକ, ବେଲୁରୀ ବାରିକ ପ୍ରମୁଖ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ଯନ୍ତ୍ରୀ ମୁଖ୍ୟ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନାମରେ ଏସ ପି ଙ୍କ ଦ୍ୱାରସ୍ଥ ହୋଇ ଆଇନର ଆଶ୍ରୟ ନେବାକୁ କଡା ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟ ଠିକ ସମୟରେ ସଂପୂର୍ଣ ନ ହେବାର କାରଣ ବିଷୟରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ସେ ଠିକାଦାରଙ୍କୁ କହିବେ ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଥିବା ବେଳେ ସହକାରୀ ଯନ୍ତ୍ରୀ ନିଜର ପ୍ରତିକ୍ରିୟା ରେ ଠିକାଦାରଙ୍କୁ ଘଂଟ ଘୋଡାଇବା ଭଳି ମନ୍ତବ୍ୟ ଦେଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏସଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ ପଚାରି ବୁଝିବେ ବୋଲି କହିଥିବା ବେଳେ  କେଉଁ ପରିସ୍ଥିତିରେ ବର୍ଷା ଦିନରେ ଏହି କାର୍ଯ୍ୟ ଅଧାରଖି ଠିକାଦାର ପଳାଇ ଗଲେ,ଏହା କେବଳ ସେମାନଙ୍କର ମଧୁ ଚନ୍ଦ୍ରିକା  ବୋଲି ସାଧାରଣରେ ଚର୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *