ଜିଲ୍ଲା ପରିକ୍ରମା

ବାସୁଦେବପୁରରେ ଭୂତ ଖାଉଛି ଅନ୍ତ୍ୟୋଦୟ ଯୋଜନାର ସାମଗ୍ରୀ, ଲକ୍ଷାଧିକ ଟଙ୍କାର ଦୁର୍ନୀତି ପଦାରେ ପଡିଲା

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଖାଦ୍ୟ ସୁରକ୍ଷା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଏହି ଯୋଜନାର ପ୍ରକୃତ ସୁଫଳ ହିତାଧିକାରୀଙ୍କ ପାଖରେ ନପହଞ୍ଚି ହରିଲୁଟ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ପଂଚାୟତରେ। ପଂଚାୟତର ମୋଟ ୧୮୦୬ ଟି ରାସନ୍ କାର୍ଡଧାରୀଙ୍କ ମଧ୍ୟରୁ ୧୭୭ ଟି ଅନ୍ତ୍ୟୋଦୟ ଯୋଜନାରେ ଖାଦ୍ୟ ପାଇବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୮ ଟି କାର୍ଡଧାରୀଙ୍କୁ ଆସୁଥିବା ୩୫ କିଲୋ ଖାଦ୍ୟ ସାମଗ୍ରୀ ମିଳୁନାହିଁ। କିଛି ହିତାଧିକାରୀ ଆଦୌ ପାଉନଥିବା ମଧ୍ୟ ଅଭିଯୋଗ କରନ୍ତି, ଏବଂ ଅନ୍ୟ କିଛି ହିତାଧିକାରୀ ମାତ୍ର ୧୦ କିଲୋ ଖାଦ୍ୟ ସାମଗ୍ରୀ ପ୍ରତି ମାସରେ ପାଉଥିବା ଦର୍ଶାଇଛନ୍ତି। ଏପରିକି କିଛି ମୃତ ହିତାଧିକାରୀଙ୍କ ନାମରେ ଖାଦ୍ୟ ସାମଗ୍ରୀ ଉଠାଯାଉଥିବାବେଳେ କିଛି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଥିବା ମଧ୍ୟ ଅଭିଯୋଗ କରନ୍ତି ଗ୍ରାମବାସୀ। ଯେମା ନାୟକ ନାମ୍ନୀ ଜଣେ ବିଧବା ଇନ୍ଦିରା ଆବାସ ପାଇଥିଲେ ମଧ୍ୟ ତାଙ୍କ ନାମରେ ଥିବା ଅନ୍ତ୍ୟୋଦୟ କାର୍ଡରେ ଆସୁଥିବା ଖାଦ୍ୟ ସାମଗ୍ରୀ ତାଙ୍କୁ ମିଳୁନଥିବା ଅଭିଯୋଗ ହେଉଅଛି। ୯୦ ବର୍ଷରୁ ଅଧିକ ବୟସ୍କ ବାବାଜୀ ସାହୁ ଯାହାଙ୍କର ଚଳିବାକୁ ଅନ୍ୟ କିଛିବି ଉପାୟ ନାହିଁ, ତାଙ୍କୁ ମଧ୍ୟ ୩୫ ବଦଳରେ ମିଳୁଛି ମାତ୍ର ୧୦ କିଲୋର ସାମଗ୍ରୀ ସୁବର୍ଣ୍ଣରେଖା ମିଶ୍ର ବିଧବା, ସାହା ଭରସା କହିଲେ କେହି ନାହିଁ। ଏହିପରି ୩୮ଟି କାର୍ଡରେ ମୁଣ୍ଡପିଛା ୫ କିଲୋ ଖାଦ୍ୟ ସାମଗ୍ରୀ ଦେଇ ଡିଲର କରୁଛନ୍ତି ହରିଲୁଟ। ମୋବାଇଲ୍ରେ ୩୫ କିଲୋଗ୍ରାମର ମେସେଜ୍ ଦେଖି କିଛି ହିତାଧିକାରୀ ଖୋଳତାଡ କରିବାରୁ ପ୍ରକୃତ ତଥ୍ୟ ପଦାକୁ ଆସିଲା। ସରକାରୀ ଭାବେ ନିଯୁକ୍ତ ଡିଲର ଶମା ନାୟକାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୁରଥୀ ନାୟକ ଅଭିଯୋଗକୁ ଖଣ୍ଡନ କରି ଟ୍ୟାଗ୍ ଡିଲର ଅଭିମନ୍ୟୁ ବାରିକ ରାସନ୍ ସାମଗ୍ରୀ ବଣ୍ଟନ କରୁଛନ୍ତି, ସେ ଯାହାକିଛି ଏପଟ ସେପଟ କରୁଛନ୍ତି ଆମେ ସେ ବିଷୟରେ କିଛି କରୁନାହିଁ ବୋଲି କହିଛନ୍ତି। ଅପର ପକ୍ଷେ ହିତାଧିକାରୀଙ୍କୁ ରାସନ୍ ସାମଗ୍ରୀ ଯୋଗାଉଥିବା ଟ୍ୟାଗ୍ ଡିଲର ଅଭିମନ୍ୟୁ ବାରିକଙ୍କ କହିବା ଅନୁଯାୟୀ ମୋତେ ଯେଉଁପରି ଡିଲର ସୁରଥୀ ନାୟକ ଦିଅନ୍ତି, ମୁଁ ସେହିପରି ଜଣ ପିଛା ୫ କିଲୋଗ୍ରାମ ହିସାବରେ ଦେଉଛି ଓ ସେହି ହିସାବରେ ପ୍ରତି ରାସନ୍ ଖାତାରେ ଏଣ୍ଟି୍ର କରିଛି। ମୁଁ ଦେଖିବାକୁ ପାଉଛି କାର୍ଡରେ ୩୫ କିଲୋଗ୍ରାମର ମ୍ୟାସେଜ୍ କାର୍ଡଧାରୀଙ୍କ ମୋବାଇଲ୍କୁ ଆସୁଛି, କିନ୍ତୁ ମୋତେ ଜଣ ପିଛା ୫ କିଲୋଗ୍ରାମ ହିସାବରେ ଖାଦ୍ୟ ସାମଗ୍ରୀ ଦିଆଯାଇଛି, ତାହା ମୁଁ ହିତାଧିକାରୀଙ୍କୁ ଦେଇ ସେମାନଙ୍କ ଖାତାରେ ପକାଇଛି। ଏ ବିଷୟରେ ସେମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଥିବା ଜଣାଯାଏ। ନାୟକାଣୀଡିହି ସରପଞ୍ଚ ବଂଶୀଧର ବିଶ୍ୱାଳଙ୍କ କହିବା ଅନୁଯାୟୀ ପଂଚାୟତ ରାସନ୍ ସାମଗ୍ରୀ ବାଣ୍ଟୁନାହିଁ। ଏଥିରେ ହରଫେରର ଅଭିଯୋଗ ସେ ପାଇଛନ୍ତି ଏବଂ ଏ ବିଷୟରେ ବାସୁଦେବପୁର ବିଡିଓ ଓ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଖୁବ୍ଶୀଘ୍ର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିଛି। ବାସୁଦେବପୁର ବିଡିଓ ବୀର କିଶୋର ପାଣିଗ୍ରାହୀ ଓ ଯୋଗାଣ ଅଧିକାରୀ ବିଭୀଷଣ ନାୟକ କହନ୍ତି ଅଭିଯୋଗ ପାଇଛୁ କାର୍ଯ୍ୟବ୍ୟସ୍ତତା ପାଇଁ ଯାଇପାରିନାହୁଁ, ଖୁବ୍ଶୀଘ୍ର ଅଭିଯୋଗର ତଦନ୍ତ ହେବ ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରକୃତ ପକ୍ଷେ ବାସୁଦେବପୁର ପ୍ରତିଟି ପଂଚାୟତରେ ଏପରି ହେଉଥିବାର ଅଭିଯୋଗ ରହିଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top