ବାସନ୍ଦ ପରେ ଗ୍ରାମବାସୀ ମିଳିମିଶି ଘର ଭାଙ୍ଗି ଦେଲେ, ଭୟରେ ଗ୍ରାମ ଛାଡିଲେ ପରିବାର

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାରୀ ଆଇନ ଯେତେ କଡା ହେଉଛି ଲୋକଙ୍କ ଆଇନ ଉପରୁ ଭୟ ସେତିକି କମିବାରେ ଲାଗିଛି। ସ୍ୱାଧୀନ ଭାବରେ ବଂଚିବା, ରହିବା, ଖାଇବା ପାଣି ପବନ ଗ୍ରହଣ କରିବା ଯେକୌଣସି ବ୍ୟକ୍ତିର ମୌଳିକ ଅଧିକାର ଅଟେ। କିନ୍ତୁ ପିତୃ ପୁରୁଷଙ୍କ ଜମିକୁ ସରକାରୀ ଜମି ଦର୍ଶାଇ ସେଠାରୁ ହଟିବାକୁ କହିବା ପରେ ତାହା ନମାନିବାରୁ ଗ୍ରାମବାସୀଙ୍କ ଭୟରେ ଏକ ପରିବାରକୁ ନିଜର ଭିଟାମାଟି ଛାଡିବାକୁ ପଡିଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ସରୋଜ ଜେନାଙ୍କ ପରିବାରର ତିନି ପିଢି ଧରି ନିଜ ଗ୍ରାମରେ ରହି ଆସୁଥିଲେ। ପୈତୃକ ଯାଗାରେ ଘର କରି ରହୁଥିଲେ ମଧ୍ୟ ଗ୍ରାମର କିଛି ଲୋକ ଏହା ସରକାରୀ ଜାଗା ତେଣୁ ସେହି ଜାଗା ଛାଡିବାକୁ ତାଙ୍କୁ କହିଥିଲେ। କିନ୍ତୁ ସେ ଏହି ନିଷ୍ପତି ନମାନିବାରୁ ତାଙ୍କ ପରିବାରକୁ ଗ୍ରାମରେ ବାସନ୍ଦ ଜୀବନ ଯାପନ କରିବାକୁ ପଡୁଥିଲା। ତେବେ ଗତ ୩୦ ତାରିଖ ଦିନ ଗ୍ରାମର କିଛି ଲୋକ ସରୋଜଙ୍କ ୩ ବଖରା ଘର ବଳପୂର୍ବକ ଭାଙ୍ଗି ଦେବାପରେ ସେ ବୌଦ୍ଧ ଥାନାରେ ଗ୍ରାମର ଝାଂଟୁ ଜେନା, ରାଜ କିଶୋର କର୍ଣ୍ଣ, ରମେଶ ଜେନାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ପୋଲିସ ଥାନା କେସ ନମ୍ବର ୧୮୧/୧୮ ରେ ମୋକଦ୍ଦମା ରୁଜୁ କରି ୪୫୨, ୪୨୭, ୨୯୪, ୫୦୬, ୩୨୩, ୩୪୧ ଓ ୩୪ ଦଫାରେ ଅଭିଯୁକ୍ତ ରାଜକିଶୋର କର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗତ ୪ ତାରିଖ ଦିନ ଅଭିଯୁକ୍ତ ଜାମିନ ପାଇ ଗ୍ରାମକୁ ଫେରିବା ପରେ ୫ ତାରିଖ ଦିନ ଉପରୋକ୍ତ ୩ ଜଣ ଓ ଗ୍ରାମର ସତ୍ୟାନନ୍ଦ ପ୍ରଧାନ, ଅକ୍ଷୟ ସାହୁଙ୍କ ସହ ପୁନର୍ବାର ସରୋଜଙ୍କ ଘରକୁ ଆସି ତାଙ୍କର ବଳକା ଦୁଇ ବଖରା ଆଜାବେଷ୍ଟ ଘରକୁ ଭାଙ୍ଗି ଦେଇଥିଲେ। ସରୋଜଙ୍କ ପରିବାରକୁ ଧମକ ଚମକ ଦେବା ସହିତ ଗ୍ରାମରେ ରଖାଇ ନଦେବାକୁ ଓ ଜୀବନରେ ମାରିଦେବାକୁ ଧମକ ଦିଆଯିବାପରେ ତାଙ୍କ ପରିବାର ଭୟରେ ଚନ୍ଦ୍ରପୁର ଗ୍ରାମ ଛାଡି ନିକଟସ୍ଥ ବାଘପାଲି ଗ୍ରାମରେ ସଂପର୍କିୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାଯାଇଛି। ଗ୍ରାମରେ କିଛି ଲୋକଙ୍କ ସହିତ ଶତ୍ରୁତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ସରୋଜଙ୍କ ପରିବାରକୁ ନିଜର ପୈତୃକ ଗ୍ରାମରୁ ବାସନ୍ଦ ହେବାକୁ ପଡିଛି। ଗ୍ରାମକୁ ଫେରିଲେ ଗ୍ରାମବାସୀଙ୍କ ଆକ୍ରମଣର ଭୟ ଥିବାରୁ ସେମାନେ ସଂପର୍କିୟଙ୍କ ଘରେ ରହୁଥିବାବେଳେ ସେପଟେ ତାଙ୍କ ଭଙ୍ଗା ଘରର ଜିନିଷପତ୍ର ଚୋରୀ ହୋଇଯାଇଥିବା ସେ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି। ଏହି ମାମଲାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *