ବାଲେଶ୍ୱର, ବଲାଙ୍ଗୀର ମେଡିକାଲ କଲେଜକୁ କେନ୍ଦ୍ରର ସବୁଜ ସଙ୍କେତ ବାରିପଦା ମେଡ଼ିକାଲ କଲେଜରେ ଦ୍ୱିତୀୟ ବର୍ଷ ନାମ ଲେଖା ପାଇଁ ଅନୁମତି

– ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା
– ଧର୍ମେନ୍ଦ୍ରଙ୍କ ଧନ୍ୟବାଦ
ନୂଆଦିଲ୍ଲୀ, ଭୁବନେଶ୍ୱର, ୧୭ ମଇ – ରାଜ୍ୟର ଦୁଇ ନୂତନ ମେଡିକାଲ କଲେଜ ବାଲେଶ୍ୱର ଓ ବଲାଙ୍ଗୀରକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାସହିତ ପଣ୍ଡିତ ରଘୁନାଥ ମେଡ଼ିକାଲ କଲେଜ, ବାରିପଦାରେ ୨୦୧୮-୧୯ ଶିକ୍ଷା ବର୍ଷରେ ୨ୟ ବର୍ଷ ନାମ ଲେଖା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟଯେ ବାଲେଶ୍ୱର ଓ ବଲାଙ୍ଗିରରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୨୦୧୮-୧୯ରେ ଦୁଇଟି ନୂତନ ମେଡ଼ିକାଲ କଲେଜ ସ୍ଥାପନକୁ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ତିନି ମେଡ଼ିକାଲ କଲେଜ୍କୁ ଅନୁମତି ପ୍ରଦାନ ନେଇ ରାଜ୍ୟର ଅନୁରୋଧକୁ ସମ୍ମାନ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡିଶା ପାଇଁ କରା ଯାଇଥିବା ଏହି ଅନୁରୋଧ ଗୁଡିକୁ ମାନି ନେଇ ତଦନୁଯାୟୀ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର ଓ ବଲାଙ୍ଗୀର ସ୍ଥିତ ସରକାରୀ ମେଡିକାଲ କଲେଜରେ ୨୦୧୮- ୧୯ ପାଠ୍ୟବର୍ଷରେ ୧୦୦ଟି ଲେଖାଏଁ ସିଟ୍ରେ ନାମଲେଖା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରାଯାଇଛି। ସେହିପରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ଦିଆ ଯାଇଥିବା ସର୍ତମୂଳକ ଅନୁମତିକୁ ବଜାୟ ରଖିବା ସହିତ ୨ୟ ବର୍ଷରେ ୧୦୦ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ସ୍ୱୀକୃତି ଦିଆ ଯାଇଥିବା ଶ୍ରୀ ନଡ୍ଡା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ପାଇଁ କେନ୍ଦ୍ର ସରକାର ସର୍ବଦା ତତ୍ପର ବୋଲି ଏହି ପଦକ୍ଷେପ ପୁନଶ୍ଚ ପ୍ରମାଣିତ କରିଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *