ବାଲି ମାଫିଆମାନେ ଭାଙ୍ଗିଲେ ପୁରୁଣା ଶିବ ମନ୍ଦିର

ଯାଜପୁର -୧୧/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବରାହନାଥଠାରେ ଥିବା ବହୁ ପୁରାତନ ଶିବ ମନ୍ଦିରକୁ ବାଲି ମାଫିଆମାନେ ଟ୍ରାକ୍ଟର ଲଗାଇ ଭାଙ୍ଗିଦେଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯାଜପୁର ସହରର ବୈତରଣୀ ନଦୀର ବାମପାଶ୍ୱର୍ରେ ଥିବା ବରାହନାଥ ଘାଟରୁ ବାଲି ମାଫିଆମାନେ ବେଆଇନଭାବେ ଟ୍ରାକ୍ଟର ଯୋଗେ ବାଲି ଉଠାଣ କରୁଛନ୍ତି। ପ୍ରତ୍ୟହ ଦିନ ରାତିରେ ପ୍ରଶାସନର ନିର୍ଦ୍ଦେଶକୁ ଖାତର ନକରି ଟ୍ରାକ୍ଟର ଯୋଗେ ବାଲି ଉଠାଣ କରୁଛନ୍ତି। ଏହାଦ୍ୱାରା ଜିଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି। ଗ୍ରାମବାସୀମାନେ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ବାଲି ମାଫିଆମାନେ ବୈତରଣୀ ନଦୀର ବରାହନାଥ ଘାଟରୁ ବାଲି ଉଠାନ୍ତି ସେହି ଜାଗାରେ ବହୁ ପୁରାତନ ଶିବ ମନ୍ଦିର ଥିଲା। ରାଜା ଯଯାତି କେଶରୀ ଯାଜପୁରର ସର୍ବମଙ୍ଗଳ ପାଇଁ ତାଙ୍କ ରାଜତ୍ୱ ସମୟରେ ଏହି ଶିବ ମନ୍ଦିର ସ୍ଥାପନା କରିଥିଲେ ବୋଲି ଗ୍ରାମବାସୀମାନେ ସୂଚନା ଦେଇଥିଲେ। ଏହି ପ୍ରାଚୀନ ଶିବ ମନ୍ଦିରଟିକୁ ଗୁରୁବାର ବିଳମ୍ବିତ ରାତିରେ ବାଲି ମାଫିଆମାନେ ଟ୍ରାକ୍ଟର ଲଗାଇ ଭାଙ୍ଗିଦେଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନଙ୍କ ଅଭିଯୋଗ ପାଇ ଘଟଣାସ୍ଥଳରେ ଯାଜପୁର ପୌର ପ୍ରଶାସନ ପହଞ୍ଚି ଥିବାର ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *