ବାଲିଅନ୍ତା ଦୋଳମେଳଣ ଉଦ୍ୟାପିତ

ଭୁବନେଶ୍ୱର, ତା ୫ା୩ (ଓଡ଼ିଆ ପୁଅ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଗ୍ରାମର ଦୁଇଦିନିଆ ବାଲିକୁଦା ଗାଦି ଗୋସାଇଁ ଓ ନିକୁଞ୍ଜବିହାରୀ ଦୋଳମେଳଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହୋଲି ଦିନ ରାତିରେ ବିଭିନ୍ନ ଗ୍ରାମର ଠାକୁରମାନେ ଦୋଳବିମାନରେ ଲଉଡ଼ି, ସଂକୀର୍ତ୍ତନ, ନାଗା ଘୋଡ଼ା, ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସମ୍ବଳିତ ରୋଷଣୀ ଯାତ୍ରାରେ ପରିକ୍ରମା କରି ମେଳଣ ପଡ଼ିଆରେ ଅବସ୍ଥାନ କରିଥିଲେ। ଏହି ମେଳଣରେ ମଞ୍ଚେଶ୍ୱରର ମଞ୍ଚନାଥଦେବ ଥାନପତି ହୋଇଥିବା ବେଳେ ରସୁଲଗଡ଼ର ଗୋପୀନାଥଦେବ, ଜୟପୁରର ନୀଳକଣ୍ଠେଶ୍ୱରଦେବ, ଗୋପୀନାଥଦେବ, ମଦନମୋହନଦେବ, ଭୁବନପୁରର ଲକ୍ଷ୍ମୀନୃସିଂହଦେବ, ନୂଆଗାଁର ରାଧାକାନ୍ତଦେବ ଓ ରାଧାମାଧବଦେବ, ହରିଦାସପୁରର ସ୍ୱପ୍ନେଶ୍ୱରଦେବ, ନହରକଣ୍ଟାର ଗୋପୀନାଥଦେବ ଓ ହଂସପାଳର ରାଧାମାଧବଦେବ ଏଠାରେ ଉପସ୍ଥିତ ହୋଇ ମେଳଣର ଶୋଭା ବର୍ଦ୍ଧିତ କରିଆସୁଛନ୍ତି। ମେଳଣ ଦିବସରେ ଗୋପାଳମାନଙ୍କଦ୍ୱାରା ଲଉଡ଼ି ନୃତ୍ୟ, ରାମତାଳି ଓ ଗୋପାଳଓଗାଳ ପରିବେଷଣ କରାଯାଇଥିବା ବେଳେ ଶ୍ରୀଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀ ଓ ଡାଳଖାଇ ସଂକୀର୍ତ୍ତନ ସମିତି ତରଫରୁ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ବହୁ ପ୍ରାଚୀନ ଏ୍ୟତିହ୍ୟ ବିମଣ୍ଡିତ ଏହି ମେଳଣରେ ବାଲିଅନ୍ତା ସମେତ ଆଖପାଖ ଅଞ୍ଚଳ ସହ ଭୁବନେଶ୍ୱର ଓ କଟକ ସହରର ହଜାର ହଜାର ଶ୍ରଦ୍ଧାଳୁ ଏହି ମେଳଣରେ ଉପସ୍ଥିତ ହୋଇ ଆଧ୍ୟାତ୍ମିକ ଭାବନାରେ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ସମୟରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗରପାଳ ଅନନ୍ତ ନାରାୟଣ ଜେନା, କର୍ପୋରେଟରଗଣ, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମେଳଣରେ ଉପସ୍ଥିତ ହୋଇ ଫଗୁଖେଳରେ ସାମିଲ୍ ହୋଇଥିଲେ। ରାତିରେ ଆତସବାଜି ପ୍ରଦର୍ଶନ ପରେ ମେଳଣ ସମାପନ ହୋଇଥିଲା। ଏଠାରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, କମିଶନରେଟ୍ ପୋଲିସ୍ ଓ ବାଲିଅନ୍ତା ଥାନା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅଞ୍ଚଳର ବିଭିନ୍ନ କ୍ଲବର କର୍ମକର୍ତ୍ତା, ବାଲିଅନ୍ତା ଗ୍ରାମପଞ୍ଚାୟତ ଯୁବ ସଂଗଠକ ଓ ମୁରବୀମାନେ ଉପସ୍ଥିତ ରହି ମେଳଣର ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *