ad
ଓଡ଼ିଶା

ବାରିପଦାଠାରେ ୫୩୯୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

– ଆସ୍କା, ଭଦ୍ରକ, କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଏବଂ ବାଲେଶ୍ୱର ଲଜିଷ୍ଟିକ ପାର୍କ ଲୋକାର୍ପିତ
– ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
– ୩୨ ମାସ ମଧ୍ୟରେ ଦିଆଯାଇଛି ୬ କୋଟି ଉଜ୍ୱଳା ଏଲପିଜି ସଂଯୋଗ
– ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ପାଇପଲାଇନ ଦ୍ୱାରା ଓଡିଶା, ପଶ୍ଚିମବଙ୍ଗ ମଧ୍ୟରେ ଗ୍ୟାସ ଯୋଗାଣ ହେବ ସହଜ
– ମିଶନ ଇନ୍ଦ୍ରଧନୁଷରେ ହୋଇଛି ୩ କୋଟି ଶିଶୁ, ୮୫ ଲକ୍ଷରୁ ଅଧିକ ଗର୍ଭବତୀଙ୍କ ଟୀକାକରଣ
– ଆୟୁଷ୍ମାନ ଭାରତ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ ନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
– ଝିଅଙ୍କ ପ୍ରତି ଅତ୍ୟାଚାର ରୋକିବାକୁ ପରାମର୍ଶ
– ଭାରତରେ ଚାଲିଥିଲା “ମିଶେଲ ମାମା”ଙ୍କ ଦରବାର
– ଚୌକିଦାରକୁ ଭୟ କଲେଣି ଭ୍ରଷ୍ଟାଚାରୀ

ବାରିପଦା ୫-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ଆଜି ବାରିପଦାଠାରେ ପ୍ରାୟ ୫୩୯୯ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ଉଦ୍ଘାଟିତ ହୋଇଥିବା ପ୍ରମୂଖ ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ। ଏହି ପ୍ରକଳ୍ପକୁ ଭାରତୀୟ ତୈଳ ନିଗମ ନିର୍ମାଣ କରୁଛି। ଏହାଛଡା ବାଲେଶ୍ୱରଠାରେ ଏକ ବହୁଢ଼ାଂଚୀୟ ଲଜିଷ୍ଟିକ ପାର୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଗସ୍ତବେଳେ ଶ୍ରୀ ମୋଦୀ ଆସ୍କା, ଭଦ୍ରକ, କଟକ, ଢ଼େଙ୍କାନାଳ, ଯାଜପୁର ଓ କେନ୍ଦୁଝରଗଡଠାରେ ଥିବା ପ୍ରଧାନ ଡାକଘରଗୁଡିକରେ ପାସପୋର୍ଟ ସେବା କେନ୍ଦ୍ରମାନଙ୍କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଂଚଳର ଜନସାଧାରଣ ସହଜରେ ପାସପୋର୍ଟ ପ୍ରସ୍ତୁତି ସଂକ୍ରାନ୍ତ ସେବା ପାଇପାରିବେ।

ବାରିପଦାଠାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ମୟୁରଭଞ୍ଜ ଜିଲ୍ଲାର ପ୍ରାଚୀନ ହରିପୁରଗଡ ଦୁର୍ଗ ଏବଂ ରସିକରାୟ ମନ୍ଦିରର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ସେହିପରି ଟାଟାନଗର ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସେହିଭଳି ପ୍ରଧାନମନ୍ତ୍ରୀ ରିମୁଳି-କୋଇଡା ସେକ୍ସନ (ଏନଏଚ-୨୧୫), ସିଙ୍ଗଡା-ବିଞ୍ଜବାହାଲ ସେକ୍ସନ (ଏନଏଚ-୬) ଏବଂ କୋଇଡା-ରାଜାମୁଣ୍ଡା ସେକ୍ସନ (ଏନଏଚ-୨୧୫)ର ପ୍ରଶସ୍ତିକରଣ (୪ ଲେନ) କାର୍ଯ୍ୟର ଆଧାରଶିଳା ରଖିଥିଲେ। ଏହିସବୁ ପ୍ରକଳ୍ପରେ ୩ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ ହେବ।

ଏହି ଗସ୍ତ ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଦ୍ୱାରା ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏଲପିଜି ଯୋଗାଣ ସୁଗମ ହେବ ଏବଂ ୮ଟି ଜିଲ୍ଲା ବେଶ ଉପକୃତ ହେବେ। ଏବେ କେନ୍ଦ୍ର ସରକାର ଗ୍ୟାସ ଆଧାରିତ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଇ ଆଗକୁ ବଢ଼ୁଛନ୍ତି। ଏକବିଂଶ ଶତାବ୍ଦି ହେଉଛି ସଂଯୋଗୀକରଣର। ପୂର୍ବ ଭାରତ ଏବଂ ଉତର-ପୂର୍ବାଂଚଳ ରାଜ୍ୟଗୁଡିକର ବିକାଶକୁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି। ଅନେକ ଦିନରୁ ରହିଆସିଥିବା ଆଂଚଳିକ ବୈଷମ୍ୟ ଦୂର କରି ଉନ୍ନୟନ ସାମଞ୍ଜସ୍ୟ ଆଣିବା ଲାଗି ପ୍ରୟାସ ହେଉଛି। ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଓଡିଶାର ବିକାଶକୁ କେନ୍ଦ୍ର ଯଥେଷ୍ଟ ଗୁରୁତ୍ୱ ଦେଉଛି। ଓଡିଶା ଖଣିଜ ସମ୍ପଦ ଭରା ଏକ ଅଂଚଳ। ଏଠାରେ ରେଳପଥ, ସଡକପଥ, ଜଳପଥ, ବନ୍ଦର ସହ ସଂଯୋଗୀକରଣ, ବିମାନବନ୍ଦର ଆଦିର ବିକାଶ ଉପରେ ଅଗ୍ରାଧିକାର ଦିଆଯାଉଛି। ଏହାଦ୍ୱାରା ଉଦ୍ୟୋଗ ଓ ଖଣି ଅଂଚଳ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ ଏବଂ କଂଚାମାଲ ଯୋଗାଣ ସହଜ, ସୂଲଭ ଓ ସଅଳ ହେବ। ଏହିସବୁ ପଦକ୍ଷେପ ଅନେକ ରୋଜଗାର ସୃଷ୍ଟି କରିବ। ଏହା ମଧ୍ୟମ ବର୍ଗର ଲୋକ ଓ ମଧ୍ୟମ ଉଦ୍ୟୋଗ ପାଇଁ ବେଶ ସହାୟକ ହେବ। ମାଲ ପରିବହନ ସହ ଯାତ୍ରୀ ପରିବହନରେ ସୁବିଧା ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର କ୍ଷମତାକୁ ଆସିବା ବେଳେ ୨୦୧୪ରେ ବହୁତ କମ ଲୋକଙ୍କ ଘରେ ଗ୍ୟାସ ଚୁଲି ଜଳୁଥିଲା। ଏବେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧିନରେ ମାତ୍ର ୩୨ ମାସ ମଧ୍ୟରେ ୬ କୋଟି ଉଜ୍ୱଳା ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି। ବହୁ ଗରିବ ମହିଳା ଉପକୃତ ହୋଇଛନ୍ତି। ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିଛି। ଜସ୍ମିନା ଖାତୁନ୍ ୬ କୋଟିତମ ମହିଳା ଭାବେ ଉଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି। “ସବ୍କା ସାଥ୍, ସବ୍କା ବିକାଶ” ମନ୍ତ୍ରରେ ଅଭିମନ୍ତ୍ରିତ ତାଙ୍କର ସରକାର ଓଡିଶାର ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ଗୁରୁତ୍ୱ ଦେଉନଥିବା ମନେ ହେଉଛି। ଓଡିଶାର ଲୋକମାନେ ଆୟୁଷ୍ମାନ ଭାରତ ଭଳି ଯୋଜନାର ଲାଭ ପାଇପାରୁନାହାନ୍ତି। ଏଣୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ – ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ସେ ପୁଣି ଥରେ ନିବେଦନ କରିଥିଲେ। ରାଜ୍ୟର ଲୋକଙ୍କୁ ଜନ କଲ୍ୟାଣକାରୀ ଯୋଜନାରୁ ବଂଚିତ ନ କରିବାକୁ ସେ ଓଡିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଦେଶର ମାତ୍ର ୬୦ ଭାଗକୁ ଟୀକାକରଣ ପହଂଚିଥିଲା। ତାଙ୍କ ସରକାର କ୍ଷମତାକୁ ଆସିବା ପରେ ମିଶନ ଇନ୍ଦ୍ରଧନୁଷ ଆରମ୍ଭ କଲେ ଏବଂ ଏହି କାର୍ଯ୍ୟକ୍ରମ ଅଧିନରେ ଦେଶର ଦୁର୍ଗମ, ଅପହଂଚ, ଅଲକ୍ଷିତ ଏବଂ ଅବହେଳିତ ଅଂଚଳକୁ ନିଆଗଲା ଏବଂ ଏବେ ଟୀକାକରଣର ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇପାରିଛି। ଦେଶର ୩ କୋଟିରୁ ଅଧିକ ଶିଶୁ ଏବଂ ୮୫ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଓଡିଶାର ୫ ଲକ୍ଷରୁ ଅଧିକ ଶିଶୁ ଏବଂ ଦେଢ଼ ଲକ୍ଷ ମହିଳା ଏହି କାର୍ଯ୍ୟକ୍ରମରେ ଉପକୃତ ହୋଇଛନ୍ତି।

କେନ୍ଦ୍ର ସରକାର “ବେଟୀ ବଚାଓ, ବେଟୀ ପଢ଼ାଓ” ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମମାନ ଗ୍ରହଣ କରୁଥିବା ବେଳେ ରାଜ୍ୟ ସରକାର ଝିଅମାନଙ୍କ ସୁରକ୍ଷା ପ୍ରତି ଉପଯୁକ୍ତ ଧ୍ୟାନ ଦେଉନଥିବା ମନେ ହେଉଛି। ପୁରୀ ନିକଟରେ ଏକ ଝିଅ ପ୍ରତି ଯେଉଁ ଅନ୍ୟାୟ ହୋଇଛି, ତା’ପଛରେ ରହିଥିବା ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସରକାର ଝିଅପିଲାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ଲାଗି ଆଇନ ଆଣିଛନ୍ତି।

ଓଡିଶାର ଲୋକମାନଙ୍କ ସ୍ନେହରେ ସେ ଅଭିଭୂତ। ଏହା ନୂଆ ଓଡିଶା ଓ ନୂଆ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ଦିଗରେ ବେଶ ସହାୟକ ହେବ। ଦେଶର ସ୍ୱାଧିନତା ସଂଗ୍ରାମ ତଥା ବିକାଶରେ ଓଡିଶାର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୟୁରଭଞ୍ଜ ଭୂମି ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଭଳି ଭାଷା ଓ ସାହିତ୍ୟାନୁରାଗୀ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଭଳି ଯଶସ୍ୱୀଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛଦରେ ସ୍ଥାନ ଦିଆଯାଇଥିଲା। ଆଦିବାସୀ ଭାଇଭଉଣୀମାନଙ୍କ ଅବଦାନକୁ ଦେଶ ତଥା କୌଣସି ସରକାର କେବେହେଲେ ଭୂଲିପାରିବେ ନାହିଁ।

ଗୁଜରାଟ ଏବଂ ଓଡିଶା ମଧ୍ୟରେ ସ୍ୱାଧିନତା ସଂଗ୍ରାମ ବେଳର ସମ୍ବନ୍ଧକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଦାଣ୍ଡିଯାତ୍ରା ଏବଂ ଇଂଚୁଡିର ଲବଣ ସତ୍ୟାଗ୍ରହ ସ୍ୱାଧିନତା ସଂଗ୍ରାମକୁ ପ୍ରଚଣ୍ଡ ବଳ ଦେଇଥିଲା। ସେହିପରି ଖୋର୍ଦ୍ଧାର ବୀର ପାଇକ ଭୂମି ମୁକ୍ତି ସଂଗ୍ରାମର ଆଦି ପର୍ବକୁ ଜନ୍ମ ଦେଇ ଅନେକ ପାଇକ ବୀରଙ୍କୁ ସହୀଦ କରିଥିଲା। ଏଣୁ ଓଡିଶା ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଲାଗି ତାଙ୍କ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାରିପଦାରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିବାର ପ୍ରାଚୀନ ପରମ୍ପରା ରହିଛି। ଏହା ନାରୀଙ୍କୁ ଉପଯୁକ୍ତ ମର୍ଯ୍ୟଦା ପ୍ରଦାନର ଉଜ୍ୱଳ ପ୍ରତୀକ। ତାଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମହିଳା ପ୍ରତିରକ୍ଷା ମନ୍ତ୍ରୀ କିଭଳି ରକ୍ଷା ଦୁର୍ନିତୀ ବିରୁଦ୍ଧରେ ପାର୍ଲାମେଂଟରେ ଲଢ଼େଇ କରିଛନ୍ତି, ତାହା ସେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ଏବେ ମିଥ୍ୟା ଏବଂ କାଳ୍ପନିକ ତଥ୍ୟ ଉପରେ ଆଧାର କରି ଦୁଷ୍ପ୍ର୍ରଚାର କରୁଛି। କିନ୍ତୁ ଆମ ପ୍ରତିରକ୍ଷା ମନ୍ତ୍ରୀ ପାର୍ଲାମେଂଟରେ ଏହିସବୁ ମିଥ୍ୟାର ରହସ୍ୟ ଖୋଲିଛନ୍ତି। ଏଥିପାଇଁ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।

ସେ କହିଥିଲେ ଯେ, ପୂର୍ବରୁ ପ୍ରତିରକ୍ଷା କ୍ରୟ କ୍ଷେତ୍ରରେ ଏଜେଂଟ ଓ ଦଲାଲମାନେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ମିଶେଲ ଅନ୍ୟତମ। ଯିଏକି ଅଗସ୍ତା ୱେଷ୍ଟଲେଣ୍ଡ ହେଲିକପ୍ଟର ଦୁର୍ନିତୀ ମାମଲାରେ ଧରାପଡିଛନ୍ତି ଏବଂ ଭାରତକୁ ଅଣାଯାଇଛି। ସେ ଏବେ ଅନେକ ଲାଂଚ ଦେଣନେଣ ତଥ୍ୟ ପ୍ରଘଟ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଦୁର୍ନିତୀର ରହସ୍ୟ ପଦାକୁ ଆସୁଛି। ତାଙ୍କର ଏକ ଚିଠିରୁ ଅନେକ କିଛି ତଥ୍ୟ ମିଳିଛି। ପୂର୍ବତନ ସରକାରରେ ଅନେକ ଫାଇଲ ଚଳନ ବିଷୟରେ ମିଶେଲକୁ ସୂଚନା ମିଳୁଥିଲା। ଏପରିକି ସରକାରଙ୍କ କାର୍ଯ୍ୟଧାରା, ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର କାର୍ଯ୍ୟ, ପ୍ରତିରକ୍ଷା ସଂକ୍ରାନ୍ତ ବୈଠକର ସୂଚନା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଏଭଳି ଅନେକ ତଥ୍ୟ ମିଶେଲ ପାଖରେ ପହଂଚୁଥିଲା। କଂଗ୍ରେସର ମନ୍ତ୍ରୀମାନେ କି କି ଫଏସଲା କରୁଥିଲେ, ତାର ଆଗୁଆ ସୂଚନା ମିଶେଲକୁ ମିଳୁଥିଲା। ଭାରତରେ “ମିଶେଲ ମାମା”ଙ୍କ ଦରବାର ଚାଲିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଯାହା ଜଣା ନଥିଲା ତାହା ମିଶେଲ ନିକଟରେ ପହଂଚୁଥିଲା। ଏବେ ଯାଂଚ ଏଜେନ୍ସୀମାନେ ଏହିସବୁ ତଥ୍ୟ ପ୍ରଘଟ କରିଛନ୍ତି। ଦେଶର ଜନତା ଏହିଭଳି କାରନାମାକୁ ବିଚାର ଓ ତର୍ଜମା କରିବେ। କାନୁନ କାହାକୁ ବି ଛାଡିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ କଂଗ୍ରେସ ଦେଶର ଚୌକିଦାରକୁ ଭୟ କରିବା ଆରମ୍ଭ କଲାଣି। ଚୌକିଦାର ସତର୍କ ରହିଥିବାରୁ ଆଉ ଚୋରି ହେଉନାହିଁ, ଭ୍ରଷ୍ଟାଚାର ବନ୍ଦ ହେଉଛି, ଦୁର୍ନିତୀକୁ ରୋକା ଯାଉଛି। ଏଣୁ ଚୌକିଦାର ଉପରେ ହାମଲା ଆରମ୍ଭ କରାଯାଇଛି। ମିଥ୍ୟାର ଆଶ୍ରୟ ନିଆଯାଉଛି। ଏହାକୁ ଦେଶର ଜନତା ଭଲଭାବେ ଜାଣି ସାରିଲେଣି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାରିପଦା ଜନସଭାରେ କହିଥିଲେ।

ଏହି ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top