ବାରକୋଟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଦେବଗଡ, ୨୭-୮ (ଓଡ଼ିଆ ପୁଅ) ଆଜି ବାରକୋଟ ବ୍ଲକମହକୁମାଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଯୋଗଦେଇ ଜନସାଧାରଣଙ୍କର ୭୮ ଟି ବିଭିନ୍ନ ଆପତି ଅଭିଯୋଗ ସମ୍ବନ୍ଧୀୟ ଦରଖାସ୍ତ ଶୁଣାଣି କରିଥିଲେ। ଶିବିରରେ ଜିଲ୍ଲାପାଳ ୧୮ ଟି ଦରଖାସ୍ତର ତତ୍କ୍ଷଣାତ ଶୁଣାଣି କରି ତା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ୭୩ ଟି ବ୍ୟକ୍ତିଗତ ଆପତି ଅଭିଯୋଗ ଥିବାବେଳେ ୫ ଟି ସାମୁହିକ ସମସ୍ୟା ଉପରେ ଥିଲା। ଜିଲ୍ଲାପାଳ ଶ୍ରୀ ସାମଲ ଠାକୁରପାଲି ଗ୍ରାମର ସବିତା ସାହୁଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଅନୁମୋଦନ କରିଥିଲେ। ଶିବିରରେ ଯୋଗଦେଇଥିବା ଜନସାଧାରଣ ମୁଖ୍ୟତଃ ଇନ୍ଦିରା ଆବାସ ଯୋଜନା, କେନାଲ ମରାମତି, ବିପିଏଲ ବିଦ୍ୟୁତକରଣ ଯୋଜନା, ରେଙ୍ଗାଳି ବାସଚ୍ୟୁତଙ୍କର ଥଇଥାନ, ଘରଡିହ ଯୋଗାଣ, ଠିଆନାଲ ଗ୍ରାମପଂଚାୟତ ଗୃହ ନିର୍ମାଣ ଆଦି ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେମାନଙ୍କର ଅବସରକାଳିନ ସୁବିଧା ଉପରେ ମଧ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଅନୁପମା ଜେମ୍ସ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଭିନସେଣ୍ଟ ପୂନମ କାନ୍ତ ଏକ୍କାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକର ଅଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *