ବାମପନ୍ଥୀ ଐକ୍ୟ ଓ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସିପିଆଇ ରାଜ୍ୟ ସମ୍ମିଳନୀର ନିର୍ଦ୍ଧାରଣ ଆଶିଷ କାନୁନ୍ଗୋ ରାଜ୍ୟ ସମ୍ପାଦକ ନିର୍ବାଚିତ

ଭୁବନେଶ୍ୱର, ତା ୨୮/୩– (ଓଡ଼ିଆ ପୁଅ) ଓଡ଼ିଶାରେ ବାମପନ୍ଥୀ ଐକ୍ୟକୁ ଶକ୍ତିଶାଳୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଓ କାର୍ଯ୍ୟ ବିରୋଧରେ ଏବଂ ବିଭିନ୍ନ ଜନ ସମସ୍ୟା ଉପରେ ସିପିଆଇ ବ୍ୟାପକ ଜନ ଆନ୍ଦୋଳନ ଚଳାଇବ ବୋଲି ପାର୍ଟିର ୨୨ତମ ରାଜ୍ୟ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିଛି। ଗତ ୨୪, ୨୫ ଓ ୨୬ ତାରିଖ ୩ଦିନ ଧରି କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏହି ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟ ସମ୍ମିଳନୀରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ଆରଏସଏସ ନିୟନ୍ତ୍ରିତ ବିଜେପି ଓ ସଂଘ ପରିବାରର ସାମ୍ପ୍ରଦାୟିକ ଘୃଣା, ବିଦ୍ୱେଷ ଓ ଅସହିଷ୍ଣୁତା ବିରୋଧରେ; ଧର୍ମ ନିରପେକ୍ଷତା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆମ ରାଜ୍ୟରେ ବାମ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତିମାନଙ୍କୁ ଐକ୍ୟବଦ୍ଧ କରି ଆବଶ୍ୟକୀୟ ମିଳିତ ଅଭିଯାନ ଚଳାଇବା ପାଇଁ ଆହ୍ୱାନ ଦିଆଯାଇଛି।

ସିପିଆଇର ଏହି ସମ୍ମିଳନୀରେ ଆଗାମୀ ତିନିବର୍ଷ ପାଇଁ ଏକ ୫ଜଣିଆ କଣ୍ଟ୍ରୋଲ କମିଶନ ଗଠନ ହେବା ସଙ୍ଗେ ସଙ୍ଗେ ୬୫ଜଣ ପୂର୍ଣ୍ଣ ସଦସ୍ୟ ଓ ୭ଜଣ କ୍ୟାଣ୍ଡିଡେଟ୍ ସଦସ୍ୟ ଏହିପରି ୭୭ଜଣଙ୍କୁ ନେଇ ରାଜ୍ୟ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଜ୍ୟ ପରିଷଦ ଗଠନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୭ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି। ଏହି ରାଜ୍ୟ ପରିଷଦ ଦ୍ୱାରା ଆଶିଷ କାନୁନ୍ଗୋ ସିପିଆଇର ନୂତନ ରାଜ୍ୟ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି।

ଆଜି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ନବନିର୍ବାଚିତ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ରାଜ୍ୟ ସମ୍ମିଳନୀର ଏହି ନିର୍ଦ୍ଧାରଣ ସମ୍ପର୍କରେ ସୂଚନା ଦେବା ସହିତ ସମ୍ମିଳନୀରେ ଗୃହୀତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସ୍ତାବମାନ ଉପସ୍ଥାପିତ କରିଛନ୍ତି।

ଏହିସବୁ ପ୍ରସ୍ତାବାବଳୀ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା ଧାର୍ଯ୍ୟ, କୃଷି ଋଣ ଛାଡ଼, ଚାଷୀ ଓ ମୂଲିଆଙ୍କୁ ମାସିକ ୬ହଜାର ପେନସନ, ଭାଗଚାଷ ଆଇନ, ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତା; ସବୁ ଗାଁ ଓ ବସ୍ତିକୁ ପାନୀୟ ଜଳ ଯୋଗାଣ; ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ଓ ସରକାରୀ କର୍ମଚାରୀ ମାନ୍ୟତା, ମୂଲ୍ୟଯୁକ୍ତ ଶିଳ୍ପ ପ୍ରତିଷ୍ଠା, ନୂତନ ନିଯୁକ୍ତି ସୃଷ୍ଟି, ଶିକ୍ଷାର ଉନ୍ନତି ଓ ଶିକ୍ଷକଙ୍କ ଦାବି ପୂରଣ, ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଜଙ୍ଗଲ ଜମି ଓ ଦଖଲ ଜମିର ପଟ୍ଟା, ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ୧୮ ହଜାର ଦରମା, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା; ଶ୍ରମିକମାନଙ୍କର ଟ୍ରେଡ ୟୁନିୟନ ଅଧିକାରର ସୁରକ୍ଷା, ବିଟିଏମ୍ ଶ୍ରମିକଙ୍କ ବକେୟା ପ୍ରଦାନ, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥରକ୍ଷା, ମହାନଦୀର ରମ୍ପେଲା ସେତୁ ପ୍ରସନ୍ନ ପଣ୍ଡାଙ୍କ ନାମରେ ନାମିତ କରିବା, ନାରୀ ନିର୍ଯାତନା ବନ୍ଦ ଓ କଠୋର ଦଣ୍ଡ, ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ ବନ୍ଦ କରିବା, ସ୍ମାର୍ଟ ସିଟି ନାଁରେ ଉଠାଦୋକାନ ଓ ବସ୍ତିବାସିନ୍ଦା ଉଚ୍ଛେଦ ବନ୍ଦ କରି ସେମାନଙ୍କୁ ଥଇଥାନ ପ୍ରଭୃତି ୨୫ଟି ପ୍ରସ୍ତାବ ଅନ୍ତର୍ଭୁକ୍ତ।

ଏହି ସାମ୍ବାଦିକ ସମ୍ମିଳନୀରେ ଦିବାକର ନାୟକ, ସୌରୀବଂଧୁ କର, ନାରାୟଣ ରେଡ୍ଡି ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *