ବାପାର ନୃଶଂସତା ଧରାପଡ଼ିଲା.. ପୁଣି ଝିଅ ହେବାରୁ କୂଅରେ ଫିଙ୍ଗି ଦେଲି; ସ୍ୱୀକାର କଲା ଦୁଃଶାସନ

ଅନୁଗୋଳ, ୧୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଶେଷରେ ଜଣାପଡ଼ିଲା ରହସ୍ୟଜନକଭାବେ କୂଅରେ ପଡ଼ି ମୃତ୍ୟୁବରଣ କରିଥିବା ୧୩ ଦିନର ଶିଶୁ କନ୍ୟା ମୃତ୍ୟୁର ଅସିଲି କାରଣ। ୨ୟ ଥର ଝିଅ ଜନ୍ମ ହୋଇଥିବାରୁ ତା’ର ନିଜ ବାପା ହିଁ ରାଗରେ ନିଷ୍ପାପ ଶିଶୁ କନ୍ୟାକୁ କୂଅରେ ଫିଙ୍ଗି ଦେଇଥିଲା। ଆଉ କିଛି ଜାଣିନଥିବାର ଅଭିନୟ କରିଥିଲା ସମସ୍ତଙ୍କ ଆଗରେ। ଏପରିକି ସମସ୍ତଙ୍କ ସହ ମିଶି ନିଖୋଜ ଝିଅକୁ ଖୋଜିବାର ଅଭିନୟ କରିଥିଲା। ତେବେ ସେ ଜାଣି ନଥିଲା ସତ କେବେ ଲୁଚି ରହେନି। ସନ୍ଦେହରେ ପୋଲିସ ତାକୁ ଅନବରତ ପଚାରା ଉଚୁରା କରିବାପରେ ଶେଷରେ ନିଜ ଦୋଷକୁ ସ୍ୱୀକାର କରିଛି ହତ୍ୟାକାରୀ ବାପା। ସମ୍ପୂର୍ଣ୍ଣ ଘଟଣା ଥିଲା ଏହିପରି। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଛାଂଚୁଣିଆ ଗ୍ରାମରେ ଜୁଲାଇ ୬ ତାରିଖ ସକାଳେ ଘଟିଥିଲା ଏକ ଚାଂଚଲ୍ୟକର ଘଟଣା। ଗ୍ରାମର ଦୁଃଶାସନ ସାହୁଙ୍କ ମାତ୍ର ୧୩ ଦିନର ଶିଶୁ କନ୍ୟା ଶୋଇବା ଶେଯରୁ କୁଆଡ଼େ ନିଖୋଜ ହୋଇ ଯାଇଥିବାର କଥା ସମଗ୍ର ଗ୍ରାମରେ ବିଜୁଳି ବେଗରେ ପ୍ରଚାରିତ ହେଲା। ଦୁଃଶାସନଙ୍କର ସ୍ତ୍ରୀ ମିତା ଶିଶୁ କନ୍ୟାଟିକୁ ସକାଳେ ତେଲ ଘସି ବିଛଣାରେ ଶୁଆଇ ଦେଇଥିଲେ। ମା’ଠାରୁ ତେଲ ଘଷା ଖାଇବାପରେ କୁନି ଝିଅଟି ନିଦରେ ଶୋଇ ପଡ଼ିଥିଲା। ଏହାପରେ ଝିଅର ମା ନିକଟସ୍ଥ ଜଳାଶୟକକୁ ଯାଇଥିଲେ ଶୈାଚ ହେବାପାଇଁ। ଏହି ସମୟରେ ଝିଅ ପାଖରେ ଥିଲେ ଦୁଃଶାସନ। ତେବେ କିଛି ସମୟ ପରେ ଦୁଃଶାସନଙ୍କ ସ୍ତ୍ରୀ ଫେରିବାପରେ ଶେଯରେ କୁନି ଝିଅକୁ ନପାଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ନିଜ ସ୍ୱାମୀ, ପରିବାର ଏବଂ ସମସ୍ତଙ୍କୁ ପଚାରିବା ପରେ ମଧ୍ୟ ଝିଅର କୈାଣସି ପତା ମିଳି ନଥିଲା। ଖବରପାଇଁ ଗାଁ ଲୋକେ ମଧ୍ୟ ଏଣେତେଣେ ଖୋଜାଖୋଜି କରିଥିଲେ। ଶେଷରେ ଏହି ଘଟଣା ସମ୍ପକରେ ଖମାର ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ସେତେବେଳେ କୁନି ଝିଅଟିକୁ କୁକୁର କିମ୍ବା ମାଙ୍କଡ଼ ନେଇଥିବାର ଦୁଃଶାସନ ଚାରିଆଡ଼େ ପ୍ରଚାର କରିବାସହ ସମସ୍ତଙ୍କ ସହ ମିଶି ଖୋଜିବା ଅଭିନୟ କରିଥିଲେ। ପରିଶେଷରେ ଶିଶୁ କନ୍ୟାର ମୃତ ଦେହ ନିଜ ଘର ବାଡ଼ିରେ କୁଅ ଭିତରେ ଭାସିବା ଅବସ୍ଥାରେ ଉଦ୍ଧାର ହେବା ଏବଂ ତାଦେହରେ କୈାଣସି ଦାଗ ନରହିବା ଦିଗକୁ ଅନୁଧ୍ୟାନ କରି ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା। ତେବେ ଦୁଃଶାସନର ଆଚରଣରେ ସନ୍ଦେହ ପ୍ରକଟ କରି ତାକୁ ବାରମ୍ବାର ପଚରା ଉଚୁରା କରିବାପରେ ପୋଲିସ ଆଗରେ ନିଜ ଦୋଷ ମାନିବାସହ ନିଜ ଝିଅକୁ ମାରିବାର କାରଣ ସମ୍ପର୍କରେ ପ୍ରକାଶ କରିଥିଲା। ୨୦୧୪ ମସିହାରେ ଦୁଃଶାସନ ମିତା ସାହୁଙ୍କୁ ବିବାହ କରିଥିଲେ। ହସଖୁସିରେ ପରିବାର ଚାଲିଥିଲା। ତେବେ ପ୍ରଥମେ ଏକ ଝିଅ ଜନ୍ମ ହେବାପରେ ଦୁଃଶାସନ ମିତାଙ୍କ ଉପରେ ଦାଉ ସାଧିବା ଆରମ୍ଭ କରିଦେଇଥିଲେ। ତେବେ ମିତା ୨ୟ ଥର ମଧ୍ୟ ପୁଣି ଏକ କନ୍ୟା ଶିଶୁ ଜନ୍ମ ଦେଇଥିଲେ। ଏହାପରେ ଦୁଃଶାସନଙ୍କ ରାଗ ପଂଚମକୁ ଉଠି ଯାଇଥିଲା। ଯେ କୈାଣସି ମତେ ନବଜାତ କନ୍ୟାକୁ ମାରିବାକୁ ଯୋଜନା କରିଥିଲେ। ଆଉ ୬ ତାରିଖ ସକାଳ ଦୁଃଶାସନଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଥିଲା। ତାଙ୍କ ସ୍ତ୍ରୀ କୁନି ଝିଅକୁ ତେଲ ଘସି ଶେଯରେ ଶୁଆଇ ପୋଖରୀକୁ ଯିବାପରେ ଦୁଃଶାସନ ପାଲଟି ଯାଇଥିଲେ ରାକ୍ଷସ। ନିଦ୍ରିତ ଅବସ୍ଥାରେ ଶିଶୁ କନ୍ୟାକୁ ଘର ପଛରେ ଥିବା କୂଅରେ ଫିଙ୍ଗି ଦେଇଥିଲେ। କିଛି ସମୟ ପରେ ସ୍ତ୍ରୀ ଘରକୁ ଫେରିବା ପରେ ଦୁଃଶାସନ ମଧ୍ୟ କିଛି ଜାଣିନଥିବାର ଅଭିନୟ କରି ମିଶି କରି ଖୋଜିଥିଲେ। ତେବେ ପୋଲିସର ତଦନ୍ତ ଆଗରେ ଦୁଃଶାସନର ସମସ୍ତ କୈାଶଳ ବିଫଳ ହୋଇଥିଲା। ଏବେ ପୁଲିସ ଦ୍ୱାରା ଗିରଫ୍ ହେବାପରେ ଦୁଃଶାସନକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *