ବାଦୁଡିଙ୍କ ପ୍ରତି ପ୍ରଶାସନର ସୁଦୃଷ୍ଟି କେବେ ପଡିବ ?

ଖଇରା, ୫/୯ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)- ଆଧୁନିକ ଯୁଗରେ ହଜି ହଜି ଯାଉଛି ଜୀବ ଜଗତର ଦୁନିଆ। ଖୋଜିଲେ ମିଳୁ ନାହାଁନ୍ତି ଅନେକ ପ୍ରଜାତିର ପଶୁପକ୍ଷୀ। ପ୍ର୍ରଶାସନର ରକ୍ଷଣାବେକ୍ଷଣା ଅଭାବ ସାଙ୍ଗକୁ ଶିକାରୀ ମାନଙ୍କ ଆକ୍ରୋଷର ଶିକାର ହେଉଛନ୍ତି ନୀରିହ ପଶୁପକ୍ଷୀ। ଏମିତିରେ ଏକ ପ୍ରଜାତି ବାଦୁଡି ଆଜି ଲୋପ ପାଇବାକୁ ବସିଲେଣି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ସାରଡାଙ୍ଗଗାଁରେ। ହରେକୃଷ୍ଣ ଦାଶଙ୍କ ବାଡିରେ ଥିବା ତେନ୍ତୁଳି ଗଛରେ ଆଜକୁ ୨ ଶହ ବର୍ଷରୁ ଉର୍ଦ୍ଧହେବ ପ୍ରାୟ୧ ଲକ୍ଷରୁ ଉର୍ଦ୍ଧ୍ୱ ବାଦୁଡି ରହିଆସୁଅଛନ୍ତି। ଖରା, ବର୍ଷା ଓ କାକରକୁ ଖାତିର ନ କରି ସେହି ତେନ୍ତୁଳି ଗଛକୁ ଭରସା କରି ବାଦୁଡିମାନେ ପଡି ରହିଛନ୍ତି। କିନ୍ତୁ ବଡ ଦୁଃଖର କଥା ଏହିକି ଯେ ତେନ୍ତୁଳି ଗଛଟି ବର୍ତ୍ତମାନ ବୁଢାହୋଇ ମରିବାକୁ ପ୍ରାୟ ବସିଲାଣି। କେତେବେଳେଯେ ଗଛଟି ଅଦିନିଆ ଝଡବର୍ଷା କିମ୍ବା କାଳବୈଶାଖିରେ ନଷ୍ଟ ହୋଇଯିବ କିଏବା କହିପାରିବ। ତଥାପି ଶହଶହ ବର୍ଷର ବୁଢା ତେନ୍ତୁଳି ଗଛ ତା’ର ଆଶ୍ରୀତ ବାଦୁଡି ମାନଙ୍କ ପ୍ରତି କରିନାହିଁ ଅବହେଳା। କିନ୍ତୁ ଆଜିର ଏହି ଶିକ୍ଷିତ ସଭ୍ୟ ସମାଜରେ ବାପାମା ଯଦି ସେହି ବୁଢାବୁଢୀ ତେନ୍ତୁଳି ଗଛ ହୁଅନ୍ତି ତାଙ୍କର ଆଶ୍ରୀତ ପୁଅବୋହୂ ବୁଢାବୁଢୀଙ୍କ ଠାରୁ ଦୂରେଇ ଯାଉଛନ୍ତି। କେବଳ ବୃଦ୍ଧପିତାମାତାଙ୍କର ସେବାକରିବାକୁ ଘୃଣାକରି। କିନ୍ତୁ ବୁଢା ତେନ୍ତୁଳି ଗଛ ବାଦୁଡିମାନଙ୍କର କେଚେରେ ମେଚେରେ ରାବକୁ ଘୃଣା ନକରି ଆଶ୍ରୟ ଦେଇ ଚାଲିଛି। ଯାହା ଆଜିର ଏହି ମାନବ ସମାଜରେ ଦେଖାଯାଏ ନାହିଁ। ବର୍ତ୍ତମାନ ପ୍ରଶାସନର ପଶୁପକ୍ଷୀ ପ୍ରତି ଯେଉଁ ପ୍ରକାର ଅବହେଳା ଚାଲିଛି ଆଉକିଛିଦିନ ମଧ୍ୟରେ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବାର ଆଶଙ୍କା ଦେଖା ଦେଇଛି। ପ୍ରଶାସନ ର ଆନ୍ତରିକତା ନଥିବା ଯୋଗୁଁ ବାଦୁଡି ମାନଙ୍କ ପ୍ରଜାତି ଧିରେଧିରେ ଲୋପ ପାଇ ଯିବ ବୋଲି ଆଶଙ୍କା କରାଗଲାଣି। ଖରାଦିନେ ବାଦୁଡିମାନେ ଗରମ ସହ୍ୟ କରି ନପାରି ଗଛ ଉପରୁ ତଳକୁ ଖସି ପଡି ମୃତ୍ୟୁ ବରଣ କରିଥାନ୍ତି। ଗଛ ବୁଢାହୋଇ ନଷ୍ଟହେଉଥିବାର ଜାଣି ବାଦୁଡି ମାନେ ପାଖରେ ଥିବା ଆଉ ଏକ ଆମ୍ବ ଗଛରେ ବସା ବାନ୍ଧିଥିବା ଦେଖିବାକୁ ମିଳିଛି। ହରେକୃଷ୍ଣଙ୍କ ପରିବାର ବାଦୁଡିଙ୍କର ଜଗୁଆଳ ସାଜି ଆସିଛନ୍ତି। ଏହି ଜଗୁଆଳୀ ଦମ୍ପତିଙ୍କ ପ୍ରତି ଆଜି ଯାଏଁ ରାଜ୍ୟ ସରକାର କି କେନ୍ଦ୍ର ସରକାର କିମ୍ବା କୌଣସି ସରକାରୀ କର୍ମଚାରୀମାନେ ଦିନେହେଲେ ଚିନ୍ତା କରିନାହାଁନ୍ତି ବାଦୁଡିକୁ ଜଗିରହିଥିବା ଦାଶ ପରିବାର କଥା। ବାଦୁଡିଥିବା ଗଛ ପାଖକୁ ଯାଇଥିବା ଗାଁ ରାସ୍ଥାର ଅବସ୍ଥା ଏବେବି ସମସ୍ୟା ଭିତର ରହିଗଲା। କୌଣସିଦିନ ପ୍ରଶାନିକ ଅଧିକାରୀମାନେ ସେଠାକୁ ଯାଇ ବାଦୁଡିମାନଙ୍କ କଥା ଚିନ୍ତାବି କରୁନାହାଁନ୍ତି। ଯେପରି ପୂର୍ବରୁ ଗିଧମାନଙ୍କୁ ଦେଖିବାକୁ ମିଳୁଥିବାବେଳେ ବର୍ତ୍ତମାନ ଗିଧ ଏଅଂଚଳରେ ଗିଧ ଦେଖିବାକୁ ସ୍ୱପ୍ନ ହୋଇଯାଇଛି। ସେହିପରି ଦିନେ ଏହି ବାଦୁଡିମାନଙ୍କୁ ମଧ୍ୟ ଏହି ଗ୍ରାମରେ ଦେଖିବାକୁ ସ୍ୱପ୍ନ ହୋଇଯିବ। ବାଦୁଡି ମାନଙ୍କ ରକ୍ଷଣାବେକ୍ଷଣ ପ୍ରତି ସରକାର ପଦକ୍ଷେପ ନେଲେ ହୁଏତ କିଛି ଦିନ ଦେଖିବାକୁ ମିଳନ୍ତା। ପ୍ରଶାସନ କେବେ ତତ୍ପରତା ପ୍ରକାଶ କରୁଛି ତାହା ଦେଖିବାକୁ ବାକି ରହିଲା। ଜିଲ୍ଲା ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବଲାବେଳେ ତାଙ୍କୁ ଏ ବିଷୟରେ ପଚରାଯାଇଥିଲା ବେଳେ ସେ କହିଥିଲେ ଯେ ବାଦୁଡି ମାନଙ୍କ ରକ୍ଷଣାବେକ୍ଷଣା ପାଇଁ ପ୍ରଶାସନ ତତ୍ପର ଅଛି ଗରମ ଦିନରେ ଦମକଳ ଦ୍ୱାରା ପାଣି ଛିଞ୍ଚା ଯାଉଛି ମାତ୍ର ତାହା ଦ୍ୱାରା ବାଦୁଡି ମାନେ ତଳେ ଖସିପଡି ପ୍ରାଣ ହରାଉଛନ୍ତି ସେଥିପାଇଁ ପ୍ରଶାସନ ପକ୍ଷରୁ ଗଛ ତଳୁ ଉପରକୁ ପାଣି ସିଞ୍ଚନ ପାଇଁ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ। କିନ୍ତୁ କଥା ପାଣିର ଗାର ହୋଇ ରହିଗଲା ଆଜି ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯିବାର ଦେଖାଗଲାନାହିଁ। ଅନ୍ୟପଟେ ବାଦୁଡି ମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ନେଇଥିବା ହରେକୃଷ୍ଣ ଜୀବନର ଅପରାହ୍ନରେ ପଦାର୍ପଣ କରିଥିଲେ ମଧ୍ୟ ବାଦୁଡି ମାନଙ୍କ ପାଇଁ ପ୍ରଶାସନିକ ସହାୟତାକୁ ଚାହିଁ ବସିଛନ୍ତି। ଗାଁକୁ ଖଣ୍ଡେ ଭଲ ରାସ୍ତା ନଥିବାରୁ ହରେକୃଷ୍ଣ ଏଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ତ୍ତମାନର ଔପଦା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଚାହିଁଲେ ବାଦୁଡିମାନଙ୍କ ପ୍ରତି କିଛି ଉନ୍ନତି ହୋଇପାରନ୍ତା ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନ ଥିଲା। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *