ବାଟବଣା ସୌଭାଗ୍ୟ ଯୋଜନା : ଉପକରଣରେ ଅଳନ୍ଧୁ ଲାଗିଲାଣି; ବିଜୁଳି ମିଳୁନି

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କେହି ଅନ୍ଧାରରେ ରହିବେ ନାହିଁ। ସବୁ ଘରେ ଜଳିବ ବିଜୁଳି ଆଲୁଅ। ସରକାରଙ୍କ ଏହି ଘୋଷଣା ପରେ ବି ହିତାଧିକାରୀଙ୍କ ଘରେ ଆଲୁଅ ଜଳି ପାରୁନି। ଘର କାନ୍ଥରେ ବସିଥିବା ବିଦ୍ୟୁତ ଉପକରଣରେ ଅଳନ୍ଧୁ ମାଡି ଗଲାଣି। ଚାରି ମାସ ହେବ ହିତାଧିକାରୀ ବିଜୁଳି ଆଲୁଅକୁ ଅନାଇ ରହିଥିଲେ ବି ସଂଯୋଗ ଦିଆଯାଉନି। ଆଜି ମିଳିବ, କାଲି ମିଳିବ କହି ଦିନ ଗଡାଇ ଚାଲିଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ। ସରକାରଙ୍କ ଏହି ଯୋଜନାରେ ସାମିଲ ପାଇଁ ବହୁ ପରିବାର ଆଶାୟୀ ଥିଲେ। ନିୟମାନୁସାରେ ଆବେଦନ ମଧ୍ୟ କରିଥିଲେ। ତଦନ୍ତ ପରେ ଉପକରଣ ମିଳିଛି, ହେଲେ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ମିଳିନି। ଏହି ଜିଲାର ବାସୁଦେବପୁର ବ୍ଲକ ନୂଆଗାଁ ଗ୍ରାମର ଦେବୀପ୍ରିୟା ମଲିକ ନିୟମ ଅନୁସାରେ ଆବେଦନ କରିଥିଲେ। କର୍ମଚାରୀଙ୍କ ତଦନ୍ତ ପରେ ତାଙ୍କ ଘର ଛପରରେ ଲାଗିଛି ବାଙ୍କୁଲା ବାଡି, କାନ୍ଥରେ ବସିଛି ମିଟର, ମେନସୁଇଚ, ବୋର୍ଡ ଓ ବଲ୍ବ ଜାଳିବା ପାଇଁ ହୋଲଡର। ଚାରି ମାସ ହେବ ଏହି ବିଦ୍ୟତ ଉପକରଣ ବସିଛି। ଏଇଭିତରେ କନେଫକ୍ସନ ହୋଇଯିବ ବୋଲି କର୍ମଚାରୀମାନେ କହି ଚାଲିଛନ୍ତି। ସେହି ଗାଁର ସୁନ୍ଦରୀ ମଲିକଙ୍କର ସମଦଶା। ଚାରି ମାସ ହେବ ତାଙ୍କୁ ଉପକରଣ ମିଳିଲାଣି। ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ମିଳି ପାରୁନି। ସେହିପରି ସେହି ପ୍ରଶାନ୍ତ ମଲିକ, ଅଭିମନ୍ୟୁ ମଲିକ, କୁନି ମଲିକ, କୃଷ୍ଣ ମଲିକଙ୍କ ସମେତ ବହୁ ହିତାଧିକାରୀ ସମାନ ଅଭିଯୋଗ ଆଣିଛନ୍ତି। ଖାଲି ନୂଆଗାଁର ହିତାଧିକାରୀମାନଙ୍କ ପାଇଁ ଏହି ସମସ୍ୟା ନୁହେଁ, ବ୍ଲକର ବିଭିନ୍ନ ପଞ୍ଚାୟରେ ବହୁ ହିତାଧିକାରୀ ଏହି ସମସ୍ୟାରେ ପଡିଛନ୍ତି। ବିଦ୍ୟୁତ୍ ସଂଯୋଗ ନଥାଇ କାହାକୁ ସଂପୂର୍ଣ୍ଣ ଉପକରଣ ମିଳିଛି ତ ଆଉ କାହାକୁ ଅଧା। ଏହାଛଡା ସୌଭାଗ୍ୟ ଯୋଜନାରେ ଉପକରଣ ଦେବା ଦାୟିତ୍ୱରେ ଥିବା କର୍ମଚାରୀ ହାତଗୁଂଜା ମାଗୁଥିବା କେତେକ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। କର୍ମଚାରୀମାନେ ମଧ୍ୟସ୍ତି ଲଗାଇ ଏହି ଅର୍ଥ ଆଦାୟ କରୁଛନ୍ତି। କାହକୁ ଖୁଣ୍ଟ ଦେବାକୁ ତ ଆଉ କାହାକୁ ବିଦ୍ୟୁତ ସଂଯୋଗ କରିଦେବାକୁ କହି ଟଙ୍କା ଆଦାୟ କରାଯାଉଛି। ଏପଟେ ସୌଭାଗ୍ୟ ଯୋଜନା ବିନା ଅର୍ଥରେ ହିତାଧିକାରୀଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିବ ବୋଲି କୁହାଯାଉଥିଲେ ହେଁ ସଂଯୋଗ ପାଇଁ କାହିଁକି ଅର୍ଥ ଆଦାୟ କରାଯାଉଛି ବୋଲି ହିତାଧିକାରୀ ପ୍ରଶ୍ନ କରିଛନ୍ତି। ଏହି ଅର୍ଥ ଆଦୟ ନେଇ କିଛିଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା। ତେବେ ବିଳମ୍ବ ବିଦ୍ୟୁତ୍ ସଂଯୋଗ ଓ ଅର୍ଥ ଆଦାୟ ହେଉଥିବା ଘଟଣା ସଂପର୍କରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଏସଡିଓ ବିପ୍ରେସ କୁମାର କହିଛନ୍ତି, ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯିବାର ବ୍ୟବସ୍ଥା କରାଯାଉଛି। ତା’ଛଡା ଯେଉଁମାନେ ଅର୍ଥ ଆଦାୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ କହିଛନ୍ତି। ସୌଭାଗ୍ୟ ହିତାଧିକାରୀଙ୍କ ଘରେ ବିଦ୍ୟୁତ ଉପକରଣ ବସିବାର ଚାରି ମାସ ଗଲାଣି ଆଉ କେତେ ମାସ ପରେ ଆଲୁଅ ଜଳୁଛି ତାହା ଦେଖିବାକୁ ବାକି ରହିଛି।

Leave a Reply

Your email address will not be published. Required fields are marked *